ବିଷ ବଳୟରେ ତାଳଚେର : ବଢ଼ୁଛି ଅସନ୍ତୋଷ

ତାଳଚେର (ଦୀପକ ପ୍ରଧାନ): ତାଳଚେର ସହର ଓ ଏହାର ଆଖପାଖ ଅ˚ଚଳର ବାୟୁମଣ୍ତଳ ପ୍ରଦୂଷଣର ସୀମା ଲ˚ଘିଛି। ଆର୍ଥିକ ପ୍ରଗତିର ମାଧୢମ ପାଲଟିଥିବା କୋଲ କରିଡର ରାସ୍ତା, ସହର ମଧୢ ଦେଇ ଯାଇଥିବା ଜାତୀୟ ରାଜପଥ ଓ ତାଳଚେର ଅ˚ଚଳରେ ଥିବା କୋଇଲା ଖଣି ପ୍ରାଚୁର୍ଯ୍ୟର ବାହକ ସାଜିଥିବା ବେଳେ ଅନ୍ୟ ପଟରେ ଏମାନେ ହିଁ ତାଳଚେରବାସୀଙ୍କ ମୁଣ୍ତବ୍ୟଥାର କାରଣ ମଧୢ ପାଲଟିଛନ୍ତି। ତାଳଚେରର ବାୟୁମଣ୍ତଳରେ ଅନୁମୋଦିତ ସୀମାଠାରୁ ବହୁ ଅଧିକ ପର୍ଟିକୁଲେଟ ମାଟର (ପିଏମ ୨.୫)ର ଅବସ୍ଥିତି ତାଳଚେରବାସୀଙ୍କ ପାଇଁ ଘାତକ ସାଜିଛି।

ଆନ୍ତର୍ଜାତୀୟ ସଂସ୍ଥା ‘ଗ୍ରିନପିସ୍’ ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ବିଶ୍ବର ସର୍ବାଧିକ ପ୍ରଦୂଷିତ ଅଂଚଳ ମଧ୍ୟରେ ତାଳଚେର-ଅନୁଗୁଳର ନାମ ରହିଛି। ଏହି ତାଲିକାରେ ଭାରତର ୩ଟି ସ୍ଥାନ ରହିଥିବା ବେଳେ ଏଥିରେ ତାଳଚେର-ଅନୁଗୁଳ ଅଂଚଳ ରହିଛି। ସେହିପରି କୋଲ ଇଣ୍ତିଆର ଏକ ସହଯୋଗୀ ସ˚ସ୍ଥା ସେଣ୍ଟ୍ରାଲ ମାଇନି˚ ପ୍ଲାନି˚ ଓ ଡିଜାଇନି˚ ଇନଷ୍ଟିଚ୍ୟୁଟ(ସିଏମପିଡିଆଇ) ତରଫରୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଦିଆଯାଇଥିବା ରିପୋର୍ଟରେ ମଧ୍ୟ ଏହା ସ୍ପଷ୍ଟ ହେବା ପରେ ଏ ସ˚ପର୍କରେ ଅଧିକ ଗବେଷଣା ଆରମ୍ଭ ହୋଇଛି। ଏହି ରିପୋର୍ଟକୁ ଭିତ୍ତି କରି କେନ୍ଦ୍ର ସରକାର ତାଳଚେର ସମେତ ଅନୁଗୁଳ ଜିଲ୍ଲାକୁ ଦେଶର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଅ˚ଚଳ ଭାବେ ଘୋଷଣା କରିଛନ୍ତି। ତାଳଚେର ମହାବିଦ୍ୟାଳୟର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ମୁଖ୍ୟ ତଥା ବାୟୁ ପ୍ରଦୂଷଣ ଦିଗରେ ଗବେଷଣାରତ ପଦାର୍ଥବିଜ୍ଞାନୀ ଡ. ଆଦିତ୍ୟ ପ୍ରଧାନଙ୍କ ସୂଚନା ହେଲା, ବାୟୁମଣ୍ତଳରେ ଭାସମାନ ଅବସ୍ଥାରେ ସ୍ବଚ୍ଛ ବାୟୁ ସହ କଠିନ ଓ ତରଳ ପଦାର୍ଥର ଘନୀଭୂତ ଦ୍ରବଣ କୋଟି କୋଟି ସ˚ଖ୍ୟାରେ ମିଶି ରହିଥାଏ। ବାୟୁମଣ୍ତଳକୁ ପ୍ରଦୂଷିତ କରୁଥିବା ଏହି ଘନୀଭୂତ ଦ୍ରବଣକୁ ପର୍ଟିକୁଲେଟ ମାଟର(ପିଏମ) କୁହାଯାଇଥାଏ। ସାଧାରଣ ଭାଷାରେ ମନୁଷ୍ୟ ଚୁଟିର ତିରିଶ ଭାଗରୁ ଏକ ଭାଗ ଓସାରର ପ୍ରଦୂଷିତ ଦ୍ରବଣକୁ ପିଏମ ୨.୫ ଭାବେ ନାମିତ କରାଯାଇଛି। ଏକ ଘନମିଟର ବାୟୁ ମଣ୍ତଳରେ ପିଏମ ୨.୫ ର ଅନୁମୋଦିତ ହାର ୩୫ -୪୦ ମାଇକ୍ରୋଗ୍ରାମ ହୋଇଥିବା ବେଳେ ପିଏମ ୧୦ର ହାରାହାରି ମାତ୍ରା ୬୦ ମାଇକ୍ରୋଗ୍ରାମ ଅଟେ। ଏହି ମାତ୍ରାର ପ୍ରଦୂଷଣ ମାନବଜୀବନ ଧାରଣ ପାଇଁ ବିପଜ୍ଜନକ ହୋଇ ନଥାଏ।

ତେବେ ସିଏମପିଡିଆଇ ତରଫରୁ ତାଳଚେରର ବିଭିନ୍ନ ୧୧ଟି ସ୍ଥାନରେ କରାଯାଇଥିବା ସର୍ବେକ୍ଷଣରୁ ଏହି ମାତ୍ରା ଯେ ବହୁ ଅଧିକ ରହିଥିବା ସ୍ପଷ୍ଟ ହୋଇଛି। ସ˚ସ୍ଥା ତରଫରୁ ତାଳଚେର ପୌରାଞ୍ଚଳର ମଣ୍ତାପାଳ ଓ ଗୋପୀନାଥପୁର, ଲିଙ୍ଗରାଜ ପ୍ରବନ୍ଧକ କାର୍ଯ୍ୟାଳୟ, ବ୍ଲକ ଅ˚ଚଳର ଡେରା ପ୍ରବନ୍ଧକ କାର୍ଯ୍ୟାଳୟ, କୁମୁଣ୍ତା ଗ୍ରାମ, ସୋଲଡା, ନତଡା, କୋଇଲା ପରିବହନ ରାସ୍ତା, ଲକେଇପଶି, ଅନନ୍ତ ବିହାର କଲୋନି, ଜଗନ୍ନାଥ କଲୋନି ଆଦି ୧୧ଗୋଟି ସ୍ଥାନରେ ମନିଟରି˚ ଷ୍ଟେସନ ସ୍ଥାପନ କରାଯାଇ ପ୍ରଦୂଷଣର ମାତ୍ରା ମାପ କରାଯାଇଥିଲା। ସିଏମପିଡିଆଇ ତରଫରୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ନଭେମ୍ବର, ଡିସେମ୍ବର ୨୦୧୭ ଓ ଜାନୁଆରି ଓ ଫେବ୍ରୁଆରି ୨୦୧୮ରେ ଦିଆଯାଇଥିବା ତଥ୍ୟକୁ ଆଧାର କଲେ ତାଳଚେର ବାୟୁମଣ୍ତଳ ଆଉ ଲୋକଙ୍କ ରହଣି ଉପଯୋଗୀ ହୋଇ ରହିନାହିଁ ବୋଲି ସ୍ପଷ୍ଟ ପ୍ରତ୍ୟୟ ହେଉଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ପଠାଯାଇଥିବା ଏହି ରିପୋର୍ଟ ଅନୁଯାୟୀ ତାଳଚେର ଅ˚ଚଳର ବାୟୁମଣ୍ତଳର ପ୍ରଦୂଷିତ ପରିମାଣ ଅତି ବିସ୍ଫୋରକ ସ୍ଥିତିରେ ପହ˚ଚି ସାରିଛି। କୋଇଲା ପରିବହନକାରୀ ଟ୍ରକ, ରାସ୍ତା କଡର ଧୂଳି, କୋଇଲା ଟ୍ରକରୁ ଝଡି ପଡ଼ୁଥିବା କୋଇଲା ଗୁଣ୍ତ, ଖଣି ଅ˚ଚଳରୁ ନିର୍ଗତ ହେଉଥିବା ଗ୍ୟାସ ବା ଧୂଆଁଳିଆ ପଦାର୍ଥ, ତାଳଚେରରେ ପରିବହନ କାର୍ଯ୍ୟରେ ସଂପୃକ୍ତ ହଜାର ହଜାର ଟ୍ରକରୁ ନିର୍ଗତ ଧୂଆଁ ଓ ଗ୍ୟାସ ଜାତୀୟ ପଦାର୍ଥ ହିଁ ବାୟୁମଣ୍ତଳରେ ମିଶି ପିଏମ ୨.୫ ଓ ପିଏମ ୧୦ ର ମାତ୍ରା ଉଦବେଗଜନକ ଭାବେ ବୃଦ୍ଧି କରିଛି। ଏହି କାରଣରୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିକଟରେ ତାଳଚେର ଦେଶର ଅନ୍ୟତମ ପ୍ରମୁଖ ପ୍ରଦୂଷିତ ଅ˚ଚଳ ଭାବେ ଘୋଷିତ ହୋଇଛି। ପିଏମ ୨.୫ ଓ ୧୦ ଆକାର ଦୃଷ୍ଟିରୁ ଅତି କ୍ଷୁଦ୍ରାତିକ୍ଷୁଦ୍ର ହୋଇଥିବା କାରଣରୁ ମନୁଷ୍ୟର ପ୍ରଶ୍ବାସ ଦ୍ବାରା ଶରୀରରେ ପ୍ରବେଶ କରି ଫୁସଫୁସରେ ଜମାହୋଇ ରହିଥାଏ। ଏହି କାରଣରୁ ତାଳଚେର ଅ˚ଚଳରେ ଆଖି, ନାକ, ଗଳା ଓ ଫୁସଫୁସ ସ˚କ୍ରମିତ ହେବା, ସର୍ଦ୍ଦି ଲାଗି ରହିବା, ନାକରୁ ପାଣି ଅନବରତ ବହିବା, ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ତାଳଚେରର ମାଟି ଚିରି ସରକାର ନିଜର ଅର୍ଥନୀତି ଭଣ୍ତାରକୁ ସମୃଦ୍ଧ କରୁଥିବା ବେଳେ ଲୋକମାନେ ପ୍ରତିବଦଳରେ ରୋଗ କିଣୁଛନ୍ତି। ତେବେ ବେଳ ଥାଉ ଥାଉ ପ୍ରତିକାର sjkନଗଲେ ପରିସ୍ଥିତି ଆଗକୁ ଆହୁରି ଭୟାନକ ହୋଇପଡ଼ିବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର