ଶକ୍ତିଶାଳୀ ଭୂକମ୍ପ ଜୋନ୍‌ରେ ତାଳଚେର

କଳାହୀରାର ସହରକୁ ପାତାଳୀ ଭୟ!

ତାଳଚେର ସହିତ ଏମ୍‌ସିଏଲ୍‌ର ଖେଳ
ଭୂମିକମ୍ପର ସାମାନ୍ୟ ଝଟ୍‌କାରେ
ଭୂଗର୍ଭକୁ ଗଳିପଡିବ ତାଳଚେର!

ତାଳଚେର : ତାଳଚେର ସହରବାସୀଙ୍କ ଧନଜୀବନ ସହିତ ଖେଳି ଚାଲିଛି ଏମ୍‌ସିଏଲ୍‌। ଭୂତଳ କୋଇଲା ଖଣିଗୁଡ଼ିକରେ ବାଲିଭର୍ତ୍ତି କ୍ଷେତ୍ରରେ ସାଂଘାତିକ ଅବହେଳା କରି ଲୋକଙ୍କୁ ଜାଣିଶୁଣି ମରଣ ମୁହଁକୁ ଠେଲି ଦେଇଛି। ଶକ୍ତିଶାଳୀ ଭୂକମ୍ପ ଜୋନ୍‌ରେ ତାଳଚେର ସହର ଅବସ୍ଥିତ ଥିବା ନେଇ ଆଇଆଇଟି, ଖଡ଼ଗପୁରର ବିଶେଷଜ୍ଞ ଟିମ୍ ରିପୋର୍ଟ ଦେବା ପରେ ଭୂଗର୍ଭ କୋଇଲା ଖଣିକୁ ଲାଗି ରହିଥିବା ତାଳଚେର ସହର ପ୍ରତି ବିପଦ ଘନେଇବାରେ ଲାଗିଛି। ଭୂଗର୍ଭରୁ କୋଇଲା ଉ‌‌ତ୍ତୋଳନ ପରେ ସାରା ସହରକୁ କିଛି କୋଇଲା ସ୍ତମ୍ଭ ଧରି ରଖିଥିବାରୁ ଅଘଟଣ କେଉଁ ମୁହୂର୍ତ୍ତରେ ବି ଘଟିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଆଇଆଇଟି ଖଡ଼ଗପୁର ବିଶେଷଜ୍ଞଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ତାଳଚେର ସହର ଭୂକମ୍ପପ୍ରବଣ ଜୋନ୍‌–୩ରେ ଆସୁଛି। ୧୯୯୩ରେ ଲାଟୁର, ୧୯୯୭ରେ ଜବଲପୁର ଓ ୨୦୦୧ ମସିହାରେ ଭୁଜ୍‌ଠାରେ ସଂଘଟିତ ଭୟାବହ ଭୂକମ୍ପ ପରେ ଭାରତର ବିଭିନ୍ନ ସହରର ଭୂଗର୍ଭ ସ୍ଥିତି ପରୀକ୍ଷଣ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସ୍ଥିର କରାଯାଇଥିଲା। ଏହି ଜାତୀୟ ସଂସ୍ଥା ଦ୍ବାରା ଓଡ଼ିଶାର ଭୂକମ୍ପ ଜୋନ୍ ମଧ୍ୟରେ ରହିଥିବା ସହରଗୁଡିକ ପ୍ରତି ସମ୍ଭାବ୍ୟ ବିପଦ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ପ୍ରତିଷ୍ଠିତ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ଖଡ଼ଗପୁର ଆଇଆଇଟିକୁ ଦାୟିତ୍ବ ଦିଆଯାଇଥିଲା। ଆଇଆଇଟି ଖଡ଼ଗପୁର ପକ୍ଷରୁ ଏହି କାର୍ଯ୍ୟ ପାଇଁ ବିଶେଷଜ୍ଞ ସାଇବଲ ଗୁପ୍ତା, ଉଇଲିୟମ କେ. ମହାନ୍ତି, ଅନିମେଷ ମଣ୍ତଳ ଓ ସୁରଜିତ ମିଶ୍ରଙ୍କୁ ନିୟୋଜିତ କରାଯାଇଥିଲା। ଏହି ୪ ଜଣିଆ କମିଟିର ରିପୋର୍ଟ ଅନୁଯାୟୀ ତାଳଚେର ସହର ତଳୁ କୋଇଲା ଉତ୍ତୋଳନ ପରେ ସହର ପ୍ରତି ବିପଦ ବୃଦ୍ଧି ପାଇଛି।

steel-360.com

କମିଟିର ରିପୋର୍ଟ ଅନୁଯାୟୀ ୧୯୫୮ ଓ ୧୯୬୨ ମସିହାରେ ୫.୨ ରିଚର୍ ସ୍କେଲ, ୧୯୮୬ ମସିହା ଜାନୁଆରିରେ ପ୍ରଥମ ଥର ୪.୪ ଓ ଦ୍ବିତୀୟ ଥର ୪.୧ ରିଚର ସ୍କେଲ, ୧୯୯୫ ମାର୍ଚ୍ଚ ୨୭ରେ ୫.୦ ରିଚର୍ ସ୍କେଲ୍‌, ଜୁନ୍‌ ୨୨ ରେ ୪.୮ ରିଚର୍ ସ୍କେଲ୍‌ ମାତ୍ରାର ଭୂକମ୍ପ ଏହି ଜୋନରେ ଘଟି ସାରିଛି। ଅତୀତରେ ଦେଶର ଅହମ୍ମଦାବାଦ ଓ ଲାଟୁରରେ ଘଟିଥିବା ଭଳି ଭୟଙ୍କର ଭୂମିକମ୍ପ ମଧ୍ୟ ତାଳଚେରରେ ଘଟିବାର ଯଥେଷ୍ଟ ସମ୍ଭାବନା ରହିଥିବା ରିପୋର୍ଟରେ କୁହାଯାଇଛି। ଏଭଳି ଭାବେ ଶକ୍ତିଶାଳୀ ଭୂକମ୍ପ ଜୋନ୍‌ରେ ତାଳଚେର ସହର ରହିଥିବାବେଳେ ୧୯୨୮ ମସିହାରେ କୋଇଲା ଓ ଶକ୍ତିକ୍ଷେତ୍ର ପାଇଁ ଆରମ୍ଭ ହୋଇଥିବା ଭୂଗର୍ଭ କୋଇଲା ଖଣିଗୁଡ଼ିକ ଏବେ ତାଳଚେରବାସୀଙ୍କ ପାଇଁ ଅଭିଶାପରେ ପରିଣତ ହୋଇଛି। ତାଳଚେର ସହର ମଧ୍ୟରେ ଥିବା ଦେଉଳବେଡ଼ା କୋଇଲା ଖଣି ଭୂଗର୍ଭରେ ପୂର୍ବ–ପଶ୍ଚିମ ଦିଗକୁ ସାଢେ଼ ୪ କିଲୋମିଟର ଓ ଦକ୍ଷିଣ–ଉତ୍ତର ଦିଗକୁ ୨.୧ କିଲୋମିଟର ବ୍ୟାପି ରହିଛି। ଖଣି ଭିତରୁ କୋଇଲା ଉ‌‌ତ୍ତୋଳନ ପରେ ଭୂପୃଷ୍ଠକୁ ଟେକି ରଖିବା ପାଇଁ ଖଣି ଭିତରେ ଛାଡ଼ି ଦିଆଯାଇଛି କିଛି କୋଇଲା ସ୍ତମ୍ଭ। ଷାଠିଏ ଓ ସତୁରି ଦଶକରେ ଭୂପୃଷ୍ଠରେ ନିର୍ମିତ କିଛି ସୌଧକୁ ଦୃଷ୍ଟିରେ ରଖି ଭୂଗର୍ଭରେ କୋଇଲା ସ୍ତମ୍ଭ ଛାଡି ଦିଆଯାଇଥିଲା। ମାଟି ତଳ ଫମ୍ପା ଅବସ୍ଥାକୁ ଅଣଦେଖା କରି ଏବେ ଭୂପୃଷ୍ଠରେ ନିର୍ମିତ ହୋଇଛି ହଜାର ହଜାର ବହୁତଳବିଶିଷ୍ଟ କୋଠା।

୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଜନସଂଖ୍ୟା ୪୧୮୪୧ ଥିବା ବେଳେ ଏହି ସଂଖ୍ୟା ଏବେ ୬୦ ହଜାରକୁ ଛୁଇଁଲାଣି। ସହରର ଭୂଗର୍ଭ ଫମ୍ପା ହୋଇଥିବା ବେଳେ ଏହି ଅଂଚଳ ଭୂକମ୍ପ ଜୋନ୍ ବଳୟରେ ଥିବାରୁ ସହରବାସୀଙ୍କ ବିପଦ ଦ୍ବିଗୁଣିତ ହୋଇଛି। ସାମାନ୍ୟ ଭୂକମ୍ପ ହେଲେ ସହରବାସୀ ପାତାଳଗାମୀ ହେବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି। ସମସ୍ୟାର ଗୁରୁତ୍ବକୁ ଅନୁଭବ କରି ବେଳ ଥାଉଁ ଥାଉଁ ପ୍ରତିକାର କରାନଗଲେ ପରିସ୍ଥିତି ଆଗକୁ ଆହୁରି ଭୟାନକ ରୂପ ନେବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର