ତାଳଚେର ମେଡ଼ିକାଲ କଲେଜ: ଶ୍ରେୟ ନେବାକୁ କସରତ

ଅନୁଗୁଳ : ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମ୍‌ସିଏଲ୍‌ ପ୍ରଦାନ କରିବ। ଏଥିନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇବା ପରେ ମେଡ଼ିକାଲ କଲେଜ ପରିଚାଳନା ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦର ଅନ୍ତ ହେବାକୁ ଯାଉଛି। ଅପରପକ୍ଷରେ ଏହି ମେଡ଼ିକାଲ କଲେଜର ଶ୍ରେୟ ନେବାକୁ ଏବେ ବିଜେଡି ଓ ବିଜେପି ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ବନ୍ଦ୍ବିତା ଆରମ୍ଭ ହୋଇଛି। ଉଭୟ ଦଳର ନେତାମାନେ ସାମାଜିକ ଗଣମାଧ୍ୟମରେ ନିଜ ସରକାରଙ୍କ ଉଦ୍ୟମ ପାଇଁ ଏହି ମେଡ଼ିକାଲ କଲେଜ ଚାଲିବାକୁ ଯାଉଥିବା ଦାବି କରିଛନ୍ତି। ବାହାବାଃ ଗୋଟାଇବାକୁ ନେତାଙ୍କ ଭିତରେ ଲଢ଼େଇ ଚାଲିଥିଲାବେଳେ ଆଗକୁ ଏହା ଅଧିକ ବଢ଼ିବ ବୋଲି ଏବେଠାରୁ ଜଳଜଳ ଦିଶିଲାଣି।

ଅନୁଗୁଳ ତଥା ଆଖପାଖ ଜିଲ୍ଲାର ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ସହ ମେଡ଼ିକାଲ ଶିକ୍ଷା ପାଇଁ ଅନୁଗୁଳରେ ୨୦୧୫ରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)ର ଭିତ୍ତିଭୂମି ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଏମ୍‌ସିଏଲ୍‌ ଏହି ମେଡ଼ିକାଲ କଲେଜ ନିର୍ମାଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିଲାବେଳେ ୨୦୧୯ରେ ଏହି ମେଡ଼ିକାଲ କଲେଜରେ ନୂତନ କୋଠା ଲୋକାର୍ପିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ଏହି ମେଡ଼ିକାଲ କଲେଜ ପରିଚାଳନା ନେଇ ଆରମ୍ଭ ହୋଇଥିଲା ବିବାଦ। ରାଜ୍ୟ ସରକାର ଏହାର ପରିଚାଳନା ଭାର ନିଅନ୍ତୁ ବୋଲି ଏମ୍‌ସିଏଲ୍‌ କହିଥିଲାବେଳେ ସରକାର ଏଥିରେ ରାଜି ହୋଇ ନ ଥିଲେ। ବରଂ ଏମ୍‌ସିଏଲ୍‌ ନିଜେ ଏହି କଲେଜର ପରିଚାଳନା କରୁ ବୋଲି ଚାପ ପକାଇଥିଲେ। ହେଲେ ମେଡ଼ିକାଲ କଲେଜ ଚଳାଇବା ନେଇ ଅଭିଜ୍ଞତା ନ ଥିବାରୁ ଏମ୍‌ସିଏଲ୍‌ ଆରମ୍ଭରୁ କୁନ୍ଥକୁନ୍ଥ ହୋଇଥିଲା। କିନ୍ତୁ ପରେ ଏହାର ପରିଚାଳନା ପାଇଁ ଟେଣ୍ଡର ଡାକିଥିଲା। ଏହାକୁ କିନ୍ତୁ ତାଳଚେରବାସୀ ଗ୍ରହଣ କରି ନ ଥିଲେ। ସରକାର ଏହାର ପରିଚାଳନା କରନ୍ତୁ ବୋଲି ଦାବି କରି ରାସ୍ତାକୁ ଓହ୍ଲାଇଥିଲେ। ଶେଷରେ ସରକାର ଏହାର ପରିଚାଳନା ଦାୟିତ୍ବ ନେବାକୁ ରାଜି ହେବା ସହ ଏଥିପାଇଁ ଏମ୍‌ସିଏଲ୍‌ ଖର୍ଚ୍ଚ ବହନ କରୁ ବୋଲି ସର୍ତ୍ତ ରଖିଛନ୍ତି।

ଏପଟେ ଏହି ମେଡ଼ିକାଲ କଲେଜ ପାଇଁ ଶ୍ରେୟ ନେବାକୁ ଏବେ ସାମାଜିକ ଗଣମାଧ୍ୟମରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଜେଡି ପକ୍ଷରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଦିଆଯିବା ସହ ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ଏହି ମେଡ଼ିକାଲ କଲେଜ ଖୋଲିବାକୁ ଯାଉଛି ବୋଲି ଦାବି କରାଯାଉଛି। ରାଜ୍ୟ ସରକାର ଏହି ମେଡ଼ିକାଲ କଲେଜ ପାଇଁ ୨୦ ଏକର ଜମି ଯୋଗାଇ ଦେବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିବା ଦଳ ପକ୍ଷରୁ ସାମାଜିକ ଗଣମାଧ୍ୟମରେ କୁହାଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ବହୁ ବିଜେଡି ନେତା ଏଥିନେଇ ଟ୍ବିଟ୍ କରିଛନ୍ତି। ଏଥିପାଇଁ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇଛନ୍ତି।

ହେଲେ ବିଜେପି କହିଛି, ମୋଦି ସରକାର ଓଡ଼ିଶା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଗୁରୁତ୍ବ ଦେବାକୁ ଯାଇ ତାଳଚେର ମେଡ଼ିକାଲ କଲେଜ ସ୍ଥାପନ କରିବାରେ ସହଯୋଗ କରିଛନ୍ତି। ଏହି ମେଡ଼ିକାଲ କଲେଜ କାର୍ଯ୍ୟକାରୀ ହେବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ବିଜେପି ନେତାମାନେ ପ୍ରଶଂସା କରିଛନ୍ତି। ମେଡ଼ିକାଲ କଲେଜ ପାଇଁ ଏମ୍‌ସିଏଲ୍‌ ୪୯୨ କୋଟି ଟଙ୍କା ଖର୍ଚ୍ଚ କରିଥିଲାବେଳେ ଆଗକୁ ଏହାର ପରିଚାଳନା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ସ୍ବୀକୃତି ପ୍ରଦାନ କରିଛି। ତେଣୁ ଏହି ମେଡ଼ିକାଲ କଲେଜ ପଛରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିଥିବା ବିଜେପି ନେତାମାନେ କହୁଛନ୍ତି। ବିଜେପି ନେତା କାଳନ୍ଦୀ ସାମଲ ସାମ୍ବାଦିକ ସମ୍ମିଳନୀ କରି ଏହି ମେଡ଼ିକାଲ କଲେଜ ପଛରେ ମୋଦି ସରକାରଙ୍କ ଥିବା ଅବଦାନ ସଂପର୍କରେ ସୂଚନା ଦେଇଥିଲାବେଳେ ଅନ୍ୟ ନେତାମାନେ ସାମାଜିକ ଗଣମାଧ୍ୟମରେ ମୋଦି ଓ ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।

ମେଡ଼ିକାଲ କଲେଜ ଉଦ୍‌ଘାଟନର ୩ ବର୍ଷ ପର୍ଯ୍ୟନ୍ତ ଏହା ଚାଲି ପାରି ନ ଥିଲେ ମଧ୍ୟ ଏଥିପାଇଁ ଦୋଷ କେହି ମୁଣ୍ଡାଇବାକୁ ପ୍ରସ୍ତୁତ ନୁହେଁ। କିନ୍ତୁ କଲେଜ ଚାଲିବା ନେଇ ସମ୍ଭାବନା ସୃଷ୍ଟି ହେଉ ହେଉ ଶ୍ରେୟ ପାଇଁ ନେତାଙ୍କ ଏମିତି ତତ୍ପର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ମେଡ଼ିକାଲ କଲେଜ ଚଳାଇବାକୁ ତାଳଚେର ଓ ଅନୁଗୁଳର ବିଭିନ୍ନ ସଂଗଠନ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିଲେ ମଧ୍ୟ ସେମାନଙ୍କୁ କେହି ମନେ ପକାଉନାହାନ୍ତି। ବରଂ ମେଡ଼ିକାଲ କଲେଜରୁ ରାଜନୈତିକ ଫାଇଦା ନେବା ଆଶାରେ ନେତାମାନେ ଏବେ ଦିନରାତି ଏକ୍‌ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର