ଅନୁଗୁଳ : ଉଦ୍ଘାଟନର ୫ ବର୍ଷ ପରେ ବଦଳିଛି ତାଳଚେର ମେଡିକାଲ କଲେଜର ନାମ। ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍ସାର)କୁ ରାଜ୍ୟ ସରକାର ବଦଳାଇ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହାକୁ ନାମିତ କରିଛନ୍ତି। ନାମ ବଦଳିବା ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କ ଆରମ୍ଭ ହୋଇଯାଇଛି। ନାଁ ସିନା ବଦଳିଲା, ସ୍ଥିତି କେବେ ବଦଳିବ ତା ଉପରେ ଲୋକଙ୍କ ନଜର। ଆସନ୍ତା ଅକ୍ଟୋବରରୁ ଏଠାରେ ରୋଗୀସେବା ମିଳିବ, ନା ପୂର୍ବ ପରି କେବଳ ଘୋଷଣାରେ ରହିଯିବ ତାକୁ ନେଇ ଲୋକଙ୍କ ସନ୍ଦେହ ଦୂର ହେଉନି।
ତାଳଚେରରେ ନିର୍ମାଣ ହୋଇଥିବା ଏହି ମେଡିକାଲ କଲେଜର ଇତିହାସ ପୁରୁଣା। ଏହା ପରେ ନିର୍ମାଣ ହୋଇଥିବା ମେଡିକାଲ କଲେଜର ରୋଗୀସେବା ସହ ପାଠପଢ଼ା ଆରମ୍ଭ ହୋଇଗଲାଣି। କିନ୍ତୁ ତାଳଚେର ମେଡିକାଲ କଲେଜ କୋଠା ଭୂତକୋଠି ହୋଇ ପଡ଼ିଛି। ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୦୦ ମସିହାରୁ ଦାବି କରାଯାଉଛି। ଶେଷରେ ୨୦୧୪ରେ ରାଜ୍ୟ ସରକାର ଓ ଏମ୍ସିଏଲ୍ ମଧ୍ୟରେ ମେଡିକାଲ କଲେଜ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କହାଯାଇଥିଲା। ପରେ ୨୦୧୬ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହେବା ସହ ୨୦୧୮ରେ ଶେଷ ହୋଇଥିଲା। ୨୦୧୯-୨୦ ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବା ସହ ଚିକିତ୍ସା ଆରମ୍ଭ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏପରିକି ମେଡିକାଲ କଲେଜର ନୂତନ କୋଠାକୁ ୨୦୧୯ରେ ଉଦ୍ଘାଟନ କରାଯାଇଛି।
ଏହା ପରେ ମେଡିକାଲ କଲେଜକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ଆରମ୍ଭରୁ ପରିଚାଳନାଗତ ସମସ୍ୟା ପାଇଁ ଏହା କାର୍ଯ୍ୟକ୍ଷମ ହୋଇପାରି ନଥିଲା। ଶେଷରେ ୨୦୨୨ ମେ ମାସରେ ରାଜ୍ୟ ସରକାର ଏହାର ପରିଚାଳନା କରିବାକୁ ରାଜି ହୋଇଥିଲେ। କିନ୍ତୁ ସର୍ତ୍ତ ରଖିଥିଲେ, ଏଥିପାଇଁ ଆବଶ୍ୟକ ଅର୍ଥ ଏମ୍ସିଏଲ୍ ପ୍ରଦାନ କରିବ। ଏମ୍ସିଏଲ୍ ଏହି ପ୍ରସ୍ତାବରେ ରାଜି ହୋଇ ସେହି ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା। ତେଣୁ ଖୁବଶୀଘ୍ର ଏହି ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ମେଡିକାଲ କଲେଜ
କାର୍ଯ୍ୟକ୍ଷମ ହୋଇନି। ଏପରିକି ଏଥିନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇନି।
ମେଡିକାଲ କଲେଜ ଚାଲିବା ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଦିନ ଗଡ଼ାଉଥିବାରୁ ସରକାରଙ୍କ ଏହି ନୂଆ ଘୋଷଣାକୁ ନେଇ ମଧ୍ୟ ଲୋକେ ସନ୍ଦେହ କରିବା ଆରମ୍ଭ କଲେଣି। ୨୦୨୦ରେ ଏହି ମେଡିକାଲ କଲେଜ ସଂପର୍କରେ ସମୀକ୍ଷା କରି ଓଡ଼ିଶାର ମୁଖ୍ୟ ଶାସନ ସଚିବ କହିଥିଲେ ଯେ ୨୦୨୧-୨୨ଶିକ୍ଷା ବର୍ଷରୁ ଏଠାରେ ନାମଲେଖା ହେବ। ଦୁଇବର୍ଷ ତଳେ ଏମସିଏଲର ନିର୍ଦ୍ଦେଶକ ଓ.ପି. ସିଂହ ମଧ୍ୟ ସମାନ କଥା ଦୋହରାଇଥିଲେ। ପରେ ୨୦୨୨-୨୩କୁ ଲକ୍ଷ୍ୟ ରଖାଯାଇଥିଲା। ବର୍ଷକ ତଳେ ଏହି ମେଡିକାଲ କଲେଜ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ୨୦୨୩ ଆରମ୍ଭରୁ ରୋଗୀସେବା କରିବାକୁ ଓ ସେହି ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ରାଜ୍ୟ ସରକାର ମେଡିକାଲ କଲେଜର ନାମ ବଦଳାଇବା ସହିତ ଆସନ୍ତା ଅକ୍ଟୋବରକୁ କଣ୍ଟ ବଢ଼ାଇଛନ୍ତି। ହେଲେ ସରକାରଙ୍କ ଏହି ଘୋଷଣା କାର୍ଯ୍ୟକାରୀ ହେବା ନେଇ ଲୋକଙ୍କ ସନ୍ଦେହ ହଟୁନି। ମେଡିକାଲ କୋଠା ଉଦ୍ଘାଟନ ହେବା ପରଠାରୁ ବାରମ୍ବାର ତାରିଖ ବଦଳୁଥିଲେ ମଧ୍ୟ ଏହାର ସ୍ଥିତି ବଦଳୁନି। ଏଥର ମେଡିକାଲ କଲେଜର ଭାଗ୍ୟ ଖୋଲିବ, ନା ପୁଣି ରାଜନୈତିକ ଛକାପଞ୍ଝାରେ ଚାପି ହୋଇଯିବ ତାକୁ ଅନୁଗୁଳବାସୀ ଅପେକ୍ଷା କରିଛନ୍ତି।