ତାଳଚେର ମେଡିକାଲ କଲେଜ ଆଶା ମଉଳିଲା, ଏଥର ବି ହେବନି ନାମଲେଖା

ଅନୁଗୁଳ : ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର)ରେ ୨୦୨୧-୨୨ଶିକ୍ଷା ବର୍ଷରୁ ନାମଲେଖା ହେବ ବୋଲି କହିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ। ଗତ ନଭେମ୍ବର ୧୯ ତାରିଖରେ ମେଡିକାଲ କଲେଜ ସଂପର୍କରେ ସମୀକ୍ଷା ପରେ ଏଠାରେ ୧୦୦ ଏମ୍‌ବିବିଏସ୍ ଆସନରେ ପାଠପଢା ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ମେଡ଼ିକାଲ କଲେଜ କିଏ ଚଳାଇବ ତାହା ବି ସ୍ଥିର ହୋଇପାରିଲାନି। ତେଣୁ ଏ ବର୍ଷରୁ ଏଠାରେ ପାଠପଢା ଆରମ୍ଭ ହେବା ଆଶା ମଉଳି ଯାଇଛି। ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବା ନେଇ ବର୍ଷ ପରେ ବର୍ଷ ବିତୁଥିବାରୁ ଏହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ବି ବଢିବାରେ ଲାଗିଛି।

ତାଳଚେରରେ ହେବାକୁ ଥିବା ମେଡିକାଲ କଲେଜ କୋଠା ଏମ୍‌ସିଏଲ ଦ୍ବାରା ନିର୍ମାଣ କରାଯାଇଛି। ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‌ସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହାକୁ ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହେବାପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‌ବିବିଏସ ପାଠ୍ୟକ୍ରମ ପାଇଁ ପାଠପଢା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ପରେ ୨୦୧୬ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା। ଏପରିକି ୨୦୧୯ରେ ଏହି ଏକାଡେମିକ୍ କୋଠାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ। ତେଣୁ ସମସ୍ତଙ୍କର ଆଶା ଥିଲା ୨୦୧୯-୨୦ ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢା ସହ ଚିକିତ୍ସା ସୁବିଧା ଆରମ୍ଭ ହେବ। କିନ୍ତୁ ବିଭିନ୍ନ କାରଣରୁ ଏହା ଘୁଞ୍ଚି ଘୁଞ୍ଚି ଚାଲିଛି।

ଶେଷଥର ପାଇଁ ୨୦୨୦ ନଭେମ୍ବରରେ ମୁଖ୍ୟ ଶାସନ ସଚିବ ଏହି ମେଡିକାଲ କଲେଜ ନେଇ ସମୀକ୍ଷା କରିବା ସହ ୨୦୨୧-୨୨ ଶିକ୍ଷାବର୍ଷରୁ ନାମଲେଖା ହେବ ବୋଲି କହିଥିଲେ। ଏହାସହିତ ପୁରୀର ମେଡିକାଲ କଲେଜରେ ମଧ୍ୟ ନାମଲେଖା ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ, ମେଡିକାଲ କଲେଜ ପରିଚାଳନା କିଏ କରିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିବାରୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏଠାରେ ପାଠପଢା ନେଇ ରହିଥିବା ଆଶା ମଉଳି ଯାଇଛି।

ଏଥିନେଇ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ, ଏହି ମେଡିକାଲ କଲେଜ ପରିଚାଳନା ପାଇଁ ଦ୍ବିତୀୟ ଥର ଟେଣ୍ଡର ଡକାଯାଇଛି। ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ତେଣୁ ଚଳିତ ବର୍ଷ ମେଡିକାଲ କଲେଜ ଓ ଡାକ୍ତରଖାନା ଆରମ୍ଭ ହୋଇଯିବ ବୋଲି ଆଶା ରହିଛି। ଏହାପରେ କେନ୍ଦ୍ର ସରକାରଙ୍କ ଟିମ୍ ଭିତ୍ତିଭୂମି ଯାଞ୍ଚ କରିବା ପରେ ନାମଲେଖା ପାଇଁ ଅନୁମତି ଦେବେ।

ସମ୍ବନ୍ଧିତ ଖବର