କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ

ପାଣ୍ଠି ଦେବ ଏମ୍‌ସିଏଲ୍, ପରିଚାଳନା କରିବେ ସରକାର

ଭୁବନେଶ୍ବର : ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ(ଏମ୍‌ଏମ୍‌ଏସ୍‌ଆର) କାର୍ଯ୍ୟକ୍ଷମ ହେବା ନେଇ ବାଟ ଫିଟିଛି। ରାଜ୍ୟ ସରକାର ଏହି ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ବହନ କରିବେ ବୋଲି ଘୋଷଣା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି। ତେବେ ହସ୍ପିଟାଲର ସମସ୍ତ ଖର୍ଚ ମହାନଦୀ କୋଲଫିଲ୍‌ଡ(ଏମ୍‌ସିଏଲ୍‌) ବହନ କରିବ। ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ହାତକୁ ନେବା ପରେ ରାଜ୍ୟରେ ସରକାରୀ ମେଡିକାଲ କଲେକ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ତାଳଚେରଠାରେ ପିପିପି ମୋଡରେ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏମ୍‌ସିଏଲ୍‌ ସହାୟତାରେ ପ୍ରତିଷ୍ଠା କରାଯାଇଛି। ୨୦ ଏକର ଜାଗାରେ ହସ୍ପିଟାଲର ନିର୍ମାଣ ହୋଇଛି। ଆରମ୍ଭରୁ ଏମ୍‌ସିଏଲ୍ ଏହି କଲେଜର ପରିଚାଳନା ଦାୟିତ୍ବ ନେବାକୁ ସ୍ଥିର ହୋଇଥିବା ବେଳେ ପରବର୍ତୀ ସମୟରେ କେନ୍ଦ୍ର କୋଇଲା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ଏହାକୁ ପରିଚାଳନା ପାଇଁ ଏକ ପ୍ରସ୍ତାବ ଦେଇଥିଲା। ୨୦୨୦-୨୧ ମସିହାରେ ୧୦୦ ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ପରିଚାଳନା ବିବାଦ ପାଇଁ ନାମଲେଖା ଘୁଞ୍ଚି ଘୁଞ୍ଚି ଚାଲିଥିଲା। ମାତ୍ର ଏବେ ସ୍ବାସ୍ଥ୍ୟ ବିଭାଗ କଲେଜର ପରିଚାଳନା କରିବ। ଯାହାଫଳରେ ଅନୁଗୁଳ ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ସ୍ବାସ୍ଥ୍ୟସେବା ସହିତ ମେଡିକାଲ ଶିକ୍ଷା କ୍ଷେତ୍ରରେ ଏହା ‌ସହାୟକ ହେବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଡାକ୍ତରଙ୍କ ରହିଥିବା ଅଭାବକୁ ଦୂର କରିବା ଲାଗି ରାଜ୍ୟ ସରକାର ଆଉ ୫ଟି ମେଡିକାଲ କଲେଜ ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ସୁନ୍ଦରଗଡ଼, କେନ୍ଦୁଝର, ଭବାନୀପାଟଣା, ଯାଜପୁର ଓ କନ୍ଧମାଳ ମେଡିକାଲ କଲେଜ ରହିଛି। ଯାହାଫଳରେ ଆସନ୍ତା ୭/୮ବର୍ଷ ଭିତରେ ରାଜ୍ୟରେ ପ୍ରତିବର୍ଷ ୨୫ଶହ ଡାକ୍ତର ବାହାରିବେ। ନିକଟରେ ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି) ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସୁନ୍ଦରଗଡ଼ସ୍ଥିତ ମେଡିକାଲ କଲେଜକୁ ଅନୁମୋଦନ ଦେବା ଲାଗି ମନା କରି ଦେଇଛନ୍ତି। ଯାହାଫଳରେ ଜିଲ୍ଲାସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କୁ ଝଟ୍‌କା ଲାଗିଛି।

ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି କହିଛନ୍ତି, ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ପରିଚାଳନା କରିବା ସଂପର୍କରେ କେବଳ ସୂଚନା ମିଳିଛି। ଏହା ସଂପର୍କରେ ବିସ୍ତୃତ ସୂଚନା ମିଳିଲା ପରେ ଅଧ୍ୟାପକ ନିଯୁକ୍ତି ସହିତ କେଉଁ ଶିକ୍ଷା ବର୍ଷରେ ପାଠପଢ଼ା ହେବ ତାହା ସଂପର୍କରେ ନିଷ୍ପତ୍ତି ନିଆଯିବ। ତେବେ ସୁନ୍ଦରଗଡ଼ ମେଡିକାଲ କଲେଜ ପାଇଁ ଏନ୍‌ଏମ୍‌ସିକୁ ପୁନର୍ବାର ଆବେଦନ କରାଯାଇଛି। ଯେଉଁ ଯେଉଁ କ୍ଷେତ୍ରରେ ଅଭାବ ରହିଥିବା ଦର୍ଶାଇ ଏନ୍ଏମ୍‌ସି ଅନୁମୋଦନ ଦେଇ ନ ଥିଲା ସେସବୁକୁ କ୍ଷେତ୍ରକୁ ବିଚାରକୁ ନେବା ଲାଗି ନିବଦେନ କରାଯାଇଛି। ଏଥର ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି। ପରବର୍ତୀ ସମୟରେ ଭବାନୀପାଟଣା ମେଡିକାଲ କଲେଜ ପାଇଁ ଆବଦେନ କରାଯିବ ବୋଲି ଡା.ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର