ପୁଣି ଖୋଲିପାରେ ତାଳଚେର ପ୍ଲାଣ୍ଟ୍‌

ଏନ୍‌ଟିପିସି-ରାଜ୍ୟ ସରକାରଙ୍କ ଆଲୋଚନା ପରେ ଆସିଲା ବଡ଼ ସୂଚନା

ସ୍ଥିତି ଅନୁଧ୍ୟାନ ଲାଗି ଯନ୍ତ୍ରୀ, ବିଶେଷଜ୍ଞଙ୍କୁ ନିର୍ଦେଶ ଦେଲେ ଏନ୍‌ଟିପିସି ଅଧ୍ୟକ୍ଷ
ନୂଆ ପ୍ଲାଣ୍ଟ କାର୍ଯ୍ୟ ବି ଖୁବ୍‌ଶୀଘ୍ର ଆରମ୍ଭ ହେବ, ୭୭୦୦କୋଟି ପୁଞ୍ଜିନିବେଶ ସୂଚନା

ଭୁବନେଶ୍ବର : ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ପୁରୁଣା ପ୍ଲାଣ୍ଟ ଚାଲୁ ରଖିବା ଓ ନୂଆ ପ୍ଲାଣ୍ଟ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସରକାରୀ ତନାଘନା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ଉଭୟ ପ୍ରକଳ୍ପ ପାଇଁ ଅଣ୍ଟାଭିଡ଼ିଛନ୍ତି।

ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବା ପରେ ଆଜି ପୁଣି ଥରେ ରାଜ୍ୟ ସରକାର ଓ ଏନ୍‌ଟିପିସି ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚଳାଇବା ଓ ନୂଆ ୟୁନିଟ୍ ପ୍ରତିଷ୍ଠା ସଂପର୍କରେ ଆଲୋଚନା ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

ମୁଖ୍ୟସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ତାଳଚେରରେ ରାଜ୍ୟର ବିଦ୍ୟୁତ ଚାହିଦା ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଲ୍‌ଟ୍ରା ମେଗା ପାଵାର ୟୁନିଟ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ସେବେ ଏକଥା ବି ସ୍ଥିର େହାଇଥିଲା ଯେ ନୂଆ ୟୁନିଟ୍‌ ପ୍ରତିଷ୍ଠା, ଉତ୍ପାଦିତ ବିଦ୍ୟୁତ ବଜାର ଆଦି ସଂପର୍କରେ ଗ୍ରିଡ୍‌କୋ ଓ ଏନ୍‌ଟିପିସି ମିଳିତ ଭାବେ କାର୍ଯ୍ୟ କରିବେ। ଆଜି ଏନ୍‌ଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂ କହିଥିଲେ ଯେ ଏସବୁ କେତେବାଟ ଅଗ୍ରଗତି ହୋଇଛି, ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଖୁବ୍ ଶୀଘ୍ର ଜଣାଇବେ।

ଏହି ଅବସରରେ ମୁଖ୍ୟଶାସନ ସଚିବ କହିଥିଲେ ଯେ ତାଳଚେରରେ ନୂଆ ୟୁନିଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପୁରୁଣା ୟୁନିଟ୍‌କୁ ଚଳାଇ ରଖାଯାଉ। ଏହି ପ୍ଲାଣ୍ଟ ସହିତ ଅନେକ ଲୋକଙ୍କର ଜୀବିକା ଜଡ଼ିତ ଥିବାରୁ ଏହା ଚଳାଇ ରଖିବା ନିହାତି ଆବଶ୍ୟକ। ରାଜ୍ୟ ସରକାର ଆହୁରି ଯୁକ୍ତି ରଖିଥିଲେ ଯେ ତାଳଚେର ତାପଜ କେନ୍ଦ୍ର ଏନ୍‌ଟିପିସିର ଉତ୍କୃଷ୍ଟ କେନ୍ଦ୍ର ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। କିଛି ପୁଞ୍ଜି ବିନିଯୋଗ ସହିତ ଏହି ପ୍ଲାଣ୍ଟର ନବୀକରଣ କରି ଏହାକୁ ପୁନଃ ଚଳାଇବା ଉଚିତ୍। ପ୍ରଦୂଷଣ ନିୟନ୍ତ୍ରଣ ସଂପର୍କିତ କିଛି ପଦକ୍ଷେପ ନିଆଗଲେ, ଏହି ପ୍ଲାଣ୍ଟ ଚଳାଯାଇପାରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ, କେ ମୁରୁଗେସନ୍ କହିଥିଲେ।

ବ୍ୟାପକ ଆଲୋଚନା ପରେ ପ୍ଲାଣ୍ଟର ନିରାପତ୍ତା ଅଡିଟ୍ କରି ଏହି ପ୍ଲାଣ୍ଟକୁ ପୁନଃ ଚଳାଚଳ ନିମନ୍ତେ ସମସ୍ତ ଅନୁଧ୍ୟାନ ଲାଗି ଏନ୍‌ଟିପିସି ଅଧ୍ୟକ୍ଷ ଶ୍ରୀ ସିଂହ ବୈଠକରେ ଉପସ୍ଥିତ ଯନ୍ତ୍ରୀ ଏବଂ ବିଶେଷଜ୍ଞମାନଙ୍କୁ ନିର୍ଦେଶ ଦେଇଥିବା ରାଜ୍ୟ ସରକାର କହିଛନ୍ତି। ଏହି ଅବସରରେ ସରକାର ଆହୁରି ପ୍ରତିଶ୍ରୁତି ଦେଇ କହିଛନ୍ତି, ଯଦି ଏନ୍‌ଟିପିସି ପୁରୁଣା ୟୁନିଟ୍‌ ଚଳାଇବା ନିମନ୍ତେ ପଦକ୍ଷେପ ନେବେ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବେ।

ଏଠାରେ ଉଲ୍ଲେଖଥାଉକି, ନୂତନ ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ କମିଟି ଅନୁମୋଦନ କରିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁସାରେ ଏଥିରେ ୭୭୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ େହବ। ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ ଏନ୍‌ଟିପିସିକୁ ଜମି, ଜଳ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯାଇଛି। ଏହାର ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ସିଂହ ରାଜ୍ୟ ସରକାରଙ୍କୁ ସୂଚନା ଦେଇଥିଲେ।

ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏନ୍‌ଟିପିସିର ପ୍ରକଳ୍ପ ନିର୍ଦେଶକ ଉଜ୍ଜ୍ବଳକାନ୍ତି ଭଟ୍ଟାଚାର୍ଯ୍ୟଙ୍କ ସମେତ ଗ୍ରିଡ଼୍‌କୋ, ଓପିଟିସିଏଲ୍‌ ଓ ଏନ୍‌ଟିପିସିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର