ଅନୁଗୁଳ : ପୂର୍ବତଟ ରେଳପଥର ଭୁବନେଶ୍ବର-କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ୍-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡ଼ିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଏହି ପ୍ରକଳ୍ପ ସମ୍ପାଦନ ହେବା ପରେ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ରେଳ ଚଳଚଳ ଆହୁରି ସୁଗମ ହୋଇ ପାରିବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରି ଟ୍ରେନ ଚଳଚଳ ସୁଗମ କରିବା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିର୍ଦେଶ ଦେବା ସହିତ ନିଜେ ଏହାର ବିକାଶମୂଳକ କାର୍ଯ୍ୟକୁ ତଦାରଖ କରୁଛନ୍ତି। ଫଳରେ ଏହି ମାର୍ଗରେ ଅଧିକରୁ ଅଧିକ ଟ୍ରେନ ଚଳାଚଳ ସୁବିଧାରେ ହୋଇପାରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସୁଗମ ହେବ ରେଳ ଚଳାଚଳ
ଓଡ଼ିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ଟ୍ରାଫିକ ସୁବିଧା କାର୍ଯ୍ୟକୁ ଶୀଘ୍ର ସମ୍ପାଦନ ପାଇଁ ବିସ୍ତୃତ ଓ ଉପଯୁକ୍ତ ଯୋଜନା ସହିତ ସମନ୍ୱୟ ରକ୍ଷାକରି ତ୍ୱରିତ କାର୍ଯ୍ୟ ସମ୍ପାଦନ କରିବାକୁ ମହାପ୍ରବନ୍ଧକ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଓଡ଼ିଶାର ରେଳପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏହା ଏକ ଗୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହେବାପରେ ରାଜ୍ୟରେ ରେଳ ସଂଯୋଗ ଅଧିକ ସୁଗମ ହୋଇ ପାରିବ। ଏହି କାର୍ଯ୍ୟ ସମୟରେ ଟ୍ରେନ୍ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ମହାପ୍ରବନ୍ଧକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ସମୟରେ ସ୍ୱଳ୍ପ ସଂଖ୍ୟକ ଟ୍ରେନ୍କୁ ବାତିଲ, ମାର୍ଗ ପରିବର୍ତନ ଓ ନିୟନ୍ତ୍ରଣ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇଅଛି।
ବାତିଲ-ମାର୍ଗ ପରିବର୍ତ୍ତନ-ନିୟନ୍ତ୍ରଣ
ପୂର୍ବତଟ ରେଳପଥ ସୂଚନା ଅନୁଯାୟୀ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମୟରେ ରାଉରକେଲା-ଭୁବନେଶ୍ବର- ରାଉରକେଲା ସୁପରଫାଷ୍ଟ ଇଣ୍ଟରସିଟି ଏକ୍ସପ୍ରେସକୁ ୧୨ ତାରିଖ ଦିନ ଉଭୟ ପାର୍ଶ୍ବରୁ ବାତିଲ କରାଯାଇଅଛି। ସେହିଭଳି ରାଉରକେଲା-ପୁରୀ- ରାଉରକେଲା ଏକ୍ସପ୍ରେସକୁ ରାଉରକେଲାଠାରୁ ଡିସେମ୍ବର ୧୧ତାରିଖରୁ ୧୩ ତାରିଖ ମଧ୍ୟରେ ଏବଂ ପୁରୀଠାରୁ ୧୨ରୁ ୧୪ ତାରିଖ ମଧ୍ୟରେ ବାତିଲ କରାଯାଉଅଛି। ସେହିପରି ୧୦ ତାରିଖରେ ଅମୃତସରରୁ ଛାଡୁଥିବା ଅମୃତସର-ବିଶାଖାପାଟନମ୍ ହୀରାକୁଦ୍ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଭୁବନେଶ୍ବର ମାର୍ଗ ପରିବର୍ତେ ଝାରସୁଗୁଡା-ରାଉରକେଲା-ଚକ୍ରଧରପୁର-ଜରୋଲି-ଜଖପୁର-କଟକ-ଭୁବନେଶ୍ବର ମାର୍ଗରେ ଯାତ୍ରା କରିବ। ଅନ୍ୟପକ୍ଷରେ ୧୧ ତାରିଖ ଦିନ ସିରିଡ଼ିରୁ ଛାଡିବାକୁଥିବା ୨୦୮୫୮ ସାଇ ନଗର ସିରିଡ଼ି-ପୁରୀ ଏକ୍ସପ୍ରେସ ଏବଂ ନୂଆ ଦିଲ୍ଲୀରୁ ଛାଡିବାକୁଥିବା ୨୦୮୧୮ ନୂଆ ଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସର ଚଳାଚଳ ମାର୍ଗରେ କିଛି ସମୟ ପାଇଁ ନିୟନ୍ତ୍ରଣ କରାଯିବ ବୋଲି ସୂଚନା ଦିଆଯାଇଛି।