ତାଳଚେର: ତାଳଚେର ମେଡ଼ିକାଲ କଲେଜ ପରିଚାଳନା ଏବଂ ତାଳଚେରରୁ ଏନ୍ଟିପିସି କଣିହାଁ ପର୍ଯ୍ୟନ୍ତ ପାେସଞ୍ଜର ଟ୍ରେନ ଚଳାଚଳ ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ‘ତାଳଚେର ବନ୍ଦ’ ଡାକରା ଦିଆଯାଇଥିଲା। ତେବେ ଦାବି ପୂରଣ ଲାଗି ଏମ୍ସିଏଲ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନକାରୀ ବନ୍ଦ ପାଳନରୁ ଓହରିଯାଇଥିଲେ।
ଆଜି ସକାଳେ ଏମ୍ସିଏଲ୍ର ତାଳଚେର ଓ କଣିହାଁର ସମସ୍ତ କୋଇଲା ଖଣିକୁ ବିକ୍ଷୋଭକାରୀ ବନ୍ଦ କରି ଦେଇଥିବା ବେଳେ ତାଳଚେର ବସ୍ଷ୍ଟାଣ୍ଡ, କୋଲ୍ କରିଡ଼ର ରାସ୍ତା, ବହ୍ଲର ଛକ ଏବଂ ତାଳଚେର ଟାଉନ୍ର ସମସ୍ତ ଦୋକାନବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବୁଲିବୁଲି ବନ୍ଦ କରାଇଥିଲେ। ଫଳରେ ତାଳଚେର ସହରରେ କାଁ ଭାଁ ଦୋକାନବଜାର ଖୋଲା ରହିଥିବା ବେଳେ ରାସ୍ତାରେ ବସ୍ ଓ ଟ୍ରକ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ସେହିଭଳି ଆନ୍ଦୋଳନକାରୀମାନେ ଏନ୍ଟିପିସି କଣିହାଁ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କର୍ମଚାରୀଙ୍କ ଯାତାୟାତରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା। ଏଥିସହ ବନ୍ଦ ପାଳନ ବେଳେ ସୁରକ୍ଷା ମଞ୍ଚର ସଦସ୍ୟମାନେ ତାଳଚେର ମେଡିକାଲ କଲେଜ ତଥା ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅନ୍ୟପକ୍ଷରେ ସକାଳ ୯ଟାରେ ଜିଲ୍ଲା ପ୍ରଶାସନ, ଏମ୍ସିଏଲ୍ କର୍ତ୍ତୃପକ୍ଷ ଏବଂ ସୁରକ୍ଷା ମଞ୍ଚ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ତ୍ରିପାକ୍ଷିକ ବୈଠକ ହୋଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏମ୍ସିଏଲ୍ କର୍ତ୍ତୃପକ୍ଷ ଯୋଗଦେଇ ମେଡିକାଲ କଲେଜ ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ଏମସିଏଲ୍ ବହନ କରିବ ଏବଂ ରାଜ୍ୟ ସରକାର ତାହାକୁ ଚଳାଇବା ଲାଗି ଆଲୋଚନା ହୋଇଥିଲା। ସେହିଭଳି ଆଗାମୀ ୬ ମାସ ମଧ୍ୟରେ ତାଳଚେରରୁ ଏନ୍ଟିପିସି କଣିହାଁ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକ ପରେ ଏମ୍ସିଏଲ୍ର ନିର୍ଦ୍ଦେଶକ (ପର୍ସୋନେଲ୍) କେଶବ ରାଓ ତାଳଚେର ମେଡିକାଲ କଲେଜ ସମ୍ମୁଖରେ ଚାଲିଥିବା ବିକ୍ଷୋଭସ୍ଥଳରେ ପହଞ୍ଚି ମେଡିକାଲ କଲେଜକୁ ରାଜ୍ୟ ସରକାର ନିଜେ ଚଳାଇବା ପାଇଁ ଅନୁରୋଧ କରିଛୁ ଏବଂ ମେଡ଼ିକାଲ କଲେଜ ପରିଚାଳନା ପାଇଁ ସମସ୍ତ ଖର୍ଚ୍ଚ ଏମ୍ସିଏଲ୍ କର୍ତ୍ତୃପକ୍ଷ ବହନ କରିବେ ବୋଲି ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇଥିବା କହିଥିଲେ। ରାଜ୍ୟ ସରକାର ଏ ବାବଦରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଥିଲେ।
ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, ମେଡିକାଲ କଲେଜ ନିଜେ ଚଳାଇବା ପାଇଁ ରାଜ୍ୟ ସରକାର ଆଜି ପ୍ରତିଶ୍ରୁତି ଦେଇଛନ୍ତି । ଏବଂ ଏମସିଏଲ୍ କର୍ତ୍ତୃପକ୍ଷ ମେଡିକାଲ କଲେଜ ପରିବାଳନା ବାବଦ ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇଛନ୍ତି। ସେହିଭଳି ତାଳଚେରରୁ ଏନ୍ଟିପିସି କଣିହାଁ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ପାଇଁ ଜିଲ୍ଲା ପ୍ରଶାସନ ଏବଂ ଏନ୍ଟିପିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତି ମାସରେ ଏହାର ଅଗ୍ରଗତି ନେଇ ସମୀକ୍ଷା କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ କହିଥିଲେ। ଏଭଳି ପ୍ରତିଶ୍ରୁତି ପାଇ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରିଥିଲେ। ଆଜିର ଏହି ଆନ୍ଦୋଳନରେ ସୁରକ୍ଷା ମଞ୍ଚର ସମସ୍ତ ସଦସ୍ୟ, ତାଳଚେର ସବଡିଭିଜନ୍ର ସମସ୍ତ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ସାମିଲ ଥିଲେ।
ରାଜ୍ୟ ସରକାରଙ୍କ ଲିଖିତ ଘୋଷଣା ଦାବି: କ୍ରିୟାନୁଷ୍ଠାନ କମିଟିର ‘ତାଳଚେର ବନ୍ଦ’ ୧୩ରେ
ତାଳଚେର ମେଡ଼ିକାଲ କଲେଜକୁ ରାଜ୍ୟ ସରକାର ଚଳାଇବା ଦାବି ନେଇ ଆସନ୍ତା ୧୩ ତାରିଖରେ ‘ତାଳଚେର ବନ୍ଦ’ ପାଳନ ଲାଗି କ୍ରିୟାନୁଷ୍ଠାନ କମିଟି ନିଜ ନିଷ୍ପତ୍ତିରେ ଅଟଳ ରହିଛି। ରାଜ୍ୟ ସରକାର ଏଥିସଂକ୍ରାନ୍ତ ଲିଖିତ ଘୋଷଣାନାମା ତୁରନ୍ତ ଜାରି ନକଲେ ପୂର୍ବ ଘୋଷଣା ଅନୁଯାୟୀ ‘ତାଳଚେର ବନ୍ଦ’ ପାଳନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି।
ସୂଚନା ମୁତାବକ, ଆଜି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ଅବସରରେ ଏମ୍ସିଏଲ୍ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ସୁରକ୍ଷା ମଞ୍ଚ ପକ୍ଷରୁ ଆଲୋଚନା କାଳରେ ରାଜ୍ୟ ସରକାର ଡାକ୍ତରଖାନାକୁ ଚଳିତ ବର୍ଷ ଚଳାଇବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ସୁରକ୍ଷା ମଞ୍ଚ ଆନ୍ଦୋଳନରୁ ଓହରିଥିଲା। କିନ୍ତୁ ସେହି ସମାନ ଦାବି ନେଇ ପୂର୍ବରୁ ତାଳଚେର କ୍ରିୟାନୁଷ୍ଠାନ କମିଟି ଆସନ୍ତା ୧୩ ତାରିଖରେ ‘ତାଳଚେର ବନ୍ଦ’ ଲାଗି ଡାକରା ଦେଇଥିଲା। ସଂଧ୍ୟାରେ ତାଳଚେର ଉପଜିଲ୍ଲାପାଳ ବିଶ୍ବରଂଜନ ରଥଙ୍କ ଅଧ୍ୟକ୍ଷତାରେ ଏଥିନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ କେଶବ ଭୂତିଆ, ସ୍ବାଧୀନ ଥମ୍ବ, ଦିଗମ୍ବର ଗଡ଼ନାୟକ ଏବଂ ଓକିଲ ସଂଘର ସଦସ୍ୟମାନେ ଯୋଗଦେଇଥିଲେ। ରାଜ୍ୟ ସରକାର ଡାକ୍ତରଖାନାକୁ ଚଳିତ ବର୍ଷ ଚଳାଇବେ ବୋଲି ପ୍ରତିଶ୍ରୁତି ମିଳିଥିବାରୁ ପ୍ରସ୍ତାବିତ ୧୩ ତାରିଖର ‘ତାଳଚେର ବନ୍ଦ’ ଡାକରା ପ୍ରତ୍ୟାହାର କରିନେବା ଲାଗି ଉପଜିଲ୍ଲାପାଳ କମିଟି ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ କମିଟିର ସଦସ୍ୟମାନେ ଏଥିରେ ଅରାଜି ହୋଇଥିଲେ। ରାଜ୍ୟ ସରକାର ଆଜି ଯେଉଁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି, ତାହା ଲିଖିତଭାବେ ନ ଦେବା ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ହୋଇ ପାରିବନାହିଁ ବୋଲି କମିଟି ସଦସ୍ୟମାନେ ପ୍ରଶାସନକୁ ରୋକଠୋକ୍ ଶୁଣାଇ ଦେଇଥିଲେ। ତେବେ ପ୍ରଶାସନ କୌଣସି ଲିଖିତ ପ୍ରତିଶ୍ରୁତି ଦେଇପାରିବେ ନାହିଁ ବୋଲି ଉତ୍ତର ମିଳିବାରୁ କମିଟି ସଦସ୍ୟମାନେ ବୈଠକରୁ ଉଠିଆସିଥିଲେ। ଫଳରେ ବୈଠକ ବିଫଳ ହୋଇଥିଲା। ପରେ କମିଟି ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ତୁରନ୍ତ ନମିଳିଲେ ଆସନ୍ତା ୧୩ ତାରିଖରେ ପୂର୍ବ ଘୋଷଣା ମୁତାବକ ‘ତାଳଚେର ବନ୍ଦ’ ପାଳନ ହେବ।