ତାଳଚେର-ସୁନାଖଣି ରେଳ ଲାଇନ୍‌ ନିରୀକ୍ଷଣ କରିବେ ରେଳବାଇ ସୁରକ୍ଷା ଆୟୁକ୍ତ

ଭୁବନେଶ୍ବର : କଲିକତାସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳବାଇ ସୁରକ୍ଷା ଆୟୁକ୍ତ ଏ କେ ରାଇ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିଦର୍ଶନରେ ଆସି ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଳ ଲାଇନର ତାଳଚେର-ସୁନାଖଣି ମଧ୍ୟରେ ରେଳ ଲାଇନ୍‌କୁ ନିରୀକ୍ଷଣ କରିବେ। ଏଥିସହ ଯୁଜୁମୁରା-ଚାରମାଳ, ଦେଓଗାଁ-ସଇଁତଳା ଦୋହରୀକରଣ କାର୍ଯ୍ୟର ମଧ୍ୟ ନିରୀକ୍ଷଣ କରିବେ।

ମିଳିଥିବା ସୂଚନା ଅନୁଯାୟୀ ୧୪୯ କିମି ଦୀର୍ଘ ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଳପଥର ତାଳଚେର ଓ ସୁନାଖଣି ଷ୍ଟେସନ ମଧ୍ୟରେ ୨୦ କିମି ରେଳପଥ ନିର୍ମାଣ ଶେଷ ହୋଇଛି। ଏହା ରେଳବାଇ ସୁରକ୍ଷା ଆୟୁକ୍ତଙ୍କ ନିରୀକ୍ଷଣ ଓ ଅନୁମୋଦନ ପରେ କାର୍ଯ୍ୟକ୍ଷମ କରାଯିବ। ରେଳବାଇ ସୁରକ୍ଷା ଆୟୁକ୍ତ ୨୩ ତାରିଖରେ ଅନୁଗୁଳ-ସମ୍ବଲପୁର ଦୋହରୀକରଣ କାର୍ଯ୍ୟର ଯୁଜୁମୁରାଠାରୁ ଚାରମାଳ ପର୍ଯ୍ୟନ୍ତ ଓ ୨୪ ତାରିଖ ଦିନ ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ କାର୍ଯ୍ୟର ଦେଓଗାଁଠାରୁ ସଇଁତଳା ଷ୍ଟେସନ ମଧ୍ୟରେ ନିରୀକ୍ଷଣ କରିବେ। ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନ ପାଇବା ପର୍ଯ୍ୟନ୍ତ ତାଳଚେରଠାରୁ ସୁନାଖଣି ମଧ୍ୟରେ ନୂତନ ରେଳ ଲାଇନରେ ଟ୍ରେନ କିମ୍ବା ଇଞ୍ଜିନର ପରୀକ୍ଷାମୂଳକ ଚଳାଚଳ ଚାଲୁ ରହିବ। ଏହି ଅଞ୍ଚଳର ଲୋକେ ରେଳ ଲାଇନଠାରୁ ଦୁରେଇ ରହିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର