ବଢ଼ୁଛି ଶ୍ରମିକ ଅଶାନ୍ତି, ବଢ଼ୁଛି ରାଜନୀତି: ପଦଯାତ୍ରାରେ ଗଲେ ହଜାର ହଜାର ଶ୍ରମିକ

ଅନୁଗୁଳ: ରାଜଧାନୀ ରାଜ ରାସ୍ତାରେ ଥର୍ମାଲ ସଂପ୍ରସାରଣ ଓ ନବୀକରଣ ନେଇ ତାତି ଜୋର ଧରିଛି। ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ଶେଷ ଅବଧି ଯେତିକି ପାଖେଇ ପାଖେଇ ଆସୁଛି, ସେତିକ ସେତିକି ଅଶାନ୍ତ ହୋଇ ଉଠୁଛି ସାରା ତାଳଚେର ଅଞ୍ଚଳ। ଘନ ଘନ ବୈଠକ ସାଙ୍ଗକୁ ଚାଲିଛି ସଭା ସମ୍ମିଳନୀ ଓ ଆନ୍ଦୋଳନ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ମରିବୁ ପଛେ କୌଣସି ପରିସ୍ଥିତିରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟକୁ ବନ୍ଦ କରିବାକୁ ଦେବୁ ନାହିଁ। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତାତିଠୁ ବଳିଯାଇଛି କ୍ଷତିଗ୍ରସ୍ତ ଶ୍ରମିକମାନଙ୍କର ତାତି।
ଦୀର୍ଘଦିନ ଧରି ପ୍ଲାଣ୍ଟ ସମ୍ମୁଖରେ ନିଜର ହକ ପାଇଁ ସ୍ୱର ଉଠାଇଥିଲେ ମଧ୍ୟ ସମାଧାନର ବାଟ ନଫିଟିବାରୁ ଆଜି ବାଧ୍ୟ ହୋଇ ତାଳଚେର ଥର୍ମାଲର ଶ୍ରମିକ ଏକତା ମଞ୍ଚର ଡାକରାରେ ହଜାର ହଜାର ଶ୍ରମିକ ରାଜଧାନୀର ରାଜରାସ୍ତାରେ ସ୍ୱର ଶାଣିତ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ।
ସୂଚନା ମୁତାବକ, ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟର ଆୟୁଷ ପୁରିବାକୁ ଆଉ ମାତ୍ର ୧୪ ଦିନ ବାକି ରହିଛି। ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କାରଖାନା ଉପରେ ନିର୍ଭର କରୁଥିବା ଶହ ଶହ ଠିକା ଶ୍ରମିକ ଓ ଅଞ୍ଚଳବାସୀ। କାରଖାନା ଯଦି ଅଚଳ ହୋଇ ଯାଏ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହେବେ। ଇତି ମଧ୍ୟରେ ୧୫ ଶହ ଠିକା ଶ୍ରମିକମାନଙ୍କୁ କାମ ବନ୍ଦ ପାଇଁ ନୋଟିସ ମଧ୍ୟ ଦିଆଯାଇ ସାରିଛି। ସମୟ ବଢ଼ିବା ସହ ରାଜନୈତିକ ଛକା ପଞ୍ଝାର ଚକ୍ର ବ୍ୟୁହରେ ଫସି ଫସି ଯାଉଛନ୍ତି ସାରା ଅଞ୍ଚଳବାସୀ। ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ଶ୍ରମିକମାନଙ୍କୁ ଢାଲ କରି ରାଜନୀତି କାଦୁଅଫିଙ୍ଗା ଫୋପଡ଼ା ଆରମ୍ଭ କରିଛି। ଗତ କିଛି ମାସ ତଳେ ତାଳଚେର ମାଟିର ପୁଅ ତଥା କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସିଥିବା ସମୟରେ ସ୍ପଷ୍ଟ କରିଥିଲେ ଯେ, କୌଣସି ପରିସ୍ଥିତିରେ ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବ ନାହିଁ। ଏହା ଅଞ୍ଚଳବାସୀଙ୍କୁ କ୍ଷଣିକ ଆଶ୍ବସ୍ତି ଦେଇଥିଲେ ବି ପରବର୍ତ୍ତୀ ସମୟରେ ପ୍ଲାଣ୍ଟ ନବୀକରଣ ନେଇ କୌଣସି ସ୍ଫଷ୍ଟ ସୂଚନା ମିଳିନଥିବାରୁ ଅସନ୍ତୋଷ ଦିନକୁ ଦିନ ବଢ଼ିବାର ଦେଖିବାକୁ ମିଳିଥିଲା। ଏଭଳି ପରିପ୍ରେକ୍ଷିରେ ବିଜେଡି ସାଂସଦ ମହେଶ ସାହୁ କିଛି ହାତଗଣତି ଶ୍ରମିକମାନଙ୍କୁ ଧରି କେତେବେଳେ ତାଳଚେରରେ ପଦଯାତ୍ରା ତ କେତେବେଳେ ତାଳଚେର ପୌରପାଳିକା କାର୍ଯ୍ୟାଳୟ ଓ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ। ଖାଲି ସେତିକି ନୁହେଁ ତାଳଚରେରୁ ଅନୁଗୁଳ ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପ୍ଲାଣ୍ଟ ନବୀକରଣ ଓ ସମ୍ପ୍ରସାରଣ କ୍ଷେତ୍ରରେ ତୁରନ୍ତ ସମାଧାନର ବାଟ ବାହାର କରନ୍ତୁ ବୋଲି ମଧ୍ୟ ଦାବି କରିଥିଲେ।
ଦୀର୍ଘ ସମୟ ଧରି ଶ୍ରମିକ ଅଶାନ୍ତି ତେଜୁଥିଲେ ସୁଦ୍ଧା ବିଜେପି କର୍ମକର୍ତ୍ତାମାନଙ୍କର ନୀରବତାକୁ ନେଇ ଶ୍ରମିକଙ୍କଠୁ ଆରମ୍ଭ କରି ଅଞ୍ଚଳ ବାସୀଙ୍କ ମଧ୍ୟରେ ବିରୋଧର ସ୍ୱର ବଢ଼ିବାରେ ଲାଗିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ କାଳନ୍ଧୀ ସାମଲଙ୍କ କହିବା କଥା ହେଲା ପ୍ରଧାନମନ୍ତ୍ରୀ ତାଳଚେର ଥର୍ମାଲ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ ସୁଦ୍ଧା ରାଜ୍ୟ ସରକାର ତାହା କାର୍ଯ୍ୟକ୍ଷମ କରିପାରିଲେ ନାହିଁ। ବିଜେପି ନେତାଙ୍କର ଏଭଳି ମନ୍ତବ୍ୟକୁ କଟାଘା’ରେ ଚୂନ ଦେଲା ଭଳି ଶ୍ରମିକ ନେତା କହୁଛନ୍ତି । ଗତ ୯ ତାରିଖରେ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ଟ୍ରେଡ ୟୁନିଅନ ପ୍ଲାଣ୍ଟ ସମ୍ମୁଖରେ ଏକତ୍ରିତ ହୋଇ ବିଜେପି ସରକାରଙ୍କ ଅପରାଗତାକୁ ନେଇ ବର୍ଷିଥିଲେ। ଆଇଏନ୍ଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଶ୍ରମିକମାନଙ୍କୁ ଉଧବୋଧନ ଦେବା ପ୍ରସଙ୍ଗରେ କହିଥିଲେ ଯେ, ମୋଦୀ ସରକାର ଶ୍ରମିକମାନଙ୍କର ହିତ କମ୍ ଚିନ୍ତା କରନ୍ତି, ତାଠାରୁ ଅଧିକ ଆଦାନୀ ଓ ଅମ୍ବାନୀଙ୍କ ସମ୍ପତ୍ତି ବଢ଼ିବା ସହିତ ସାରା ଭାରତରେ ଥିବା ବିଭନ୍ନ ପ୍ଲାଣ୍ଟକୁ ଶାଗମାଛ ଦରରେ ବିକ୍ରି କରିଦେବେ ତାକୁ ନେଇ ଚକ୍ରାନ୍ତ କରୁଛନ୍ତି ବୋଲି କହିଥିଲେ।
ପ୍ଲାଣ୍ଟର ଜଣେ ବରିଷ୍ଠ କର୍ମଚାରୀ ନିଜର ନାମ ଗୋପନ ରଖି କହିଛନ୍ତି ଯେ, ପ୍ଲାଣ୍ଟ ଯେତେବେଳେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସୁନାମ ଅର୍ଜନ କରିଛି, ସେହି ସମୟରେ କର୍ମଚାରୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେଇଥିବାରୁ ସେତେବେଳ ସମସ୍ତେ ପ୍ଲାଣ୍ଟକୁ ପ୍ରଂଶସା କରିଛନ୍ତି। କିନ୍ତୁ ବର୍ତ୍ତମାନ ପ୍ଲାଣ୍ଟ ନବୀକରଣ ନିହାତି ଆବଶ୍ୟକ ହେବାରେ ଲାଗିଛି। ଯଦି ଏହାକୁ ନକରି ଶହ ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜନ କରାଯାଏ ତେବେ ଆଗାମୀ ସମୟରେ ବଡ଼ ଦୁର୍ଘଟଣା ଘଟିଲେ ସେଥିପାଇଁ ଉତ୍ତର ଦାୟୀ କିଏ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର