ତାଳଚେର ଥର୍ମାଲ ସବୁଦିନ ପାଇଁ ବନ୍ଦ

ଏନ୍‌ଟିପିସି ସ୍ଥାପନ କରିବ ନୂଆ ୟୁନିଟ୍, ଏନ୍‌ଟିପିସି ଅଧ୍ୟକ୍ଷ-ମୁଖ୍ୟ ସଚିବ ଆଲୋଚନା

ଭୁବନେଶ୍ବର : ତାଳଚେରରେ ୫୪ ବର୍ଷ ପୁରୁଣା ପାୱାର ପ୍ଲାଣ୍ଟ୍‌ ଟିଟିପିଏସ୍‌ର ସମସ୍ତ ୟୁନିଟ୍‌କୁ ସବୁଦିନ ପାଇଁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କାରଖାନାଟି ବହୁତ ପୁରୁଣା ହୋଇଯାଇଥିବା ବେଳେ ସେଥିରେ ବ୍ୟବହାର କରାଯାଇଥିବା ପୁରୁଣା ଯନ୍ତ୍ରାଂଶ ଆଦି ଖରାପ ଅବସ୍ଥାରେ ରହିଛି। ତେଣୁ ଏହାକୁ ବନ୍ଦ କରିବା ଏବଂ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ କାରଖାନାର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଜରୁରୀ ହୋଇପଡ଼ିଛି। ଏନ୍‌ଟିପିସି ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ୬୬୦ ମେଗାୱାଟ୍‌ ବିଶି‌ଷ୍ଟ ଦୁଇ ୟୁନିଟ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସହଯୋଗ ଓ ମାର୍ଗଦର୍ଶନ‌ରେ ଏହି କାର୍ଯ୍ୟ ଜାରି ରହିଛି ବୋଲି କଂପାନି ପକ୍ଷରୁ କହାଯାଇଛି।

ଟିଟିପିଏସ୍‌କୁ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଏହାର ପରିଚାଳନା କରୁଥିଲା। ୧୯୯୫ ଜୁନ୍‌ରେ ଏହି କାରଖାନାକୁ ଏନ୍‌ଟିପିସି ହାତକୁ ଟେକି ଦିଆଯାଇଥିଲା। କାରଖାନାର ଜୀବନ ୨୦୨୧ ମାର୍ଚ୍ଚରେ ଶେଷ ହେବ ବୋଲି କେନ୍ଦ୍ରୀୟ ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ (ସିଇଆର୍‌ସି) ତାରିଖ ଧାର୍ଯ୍ୟ କରିଥିଲେ।

ତାଳଚେର ଥର୍ମାଲ୍ ପ୍ଲାଣ୍ଟ୍‌ର ନୂଆ ୟୁନିଟ୍ ସ୍ଥାପନ କରିବା ନେଇ ନିଷ୍ପତ୍ତି ହୋଇଛି। ଏନ୍‌ଟିପିସିର ଅଧ୍ୟକ୍ଷ ଗୁରୁଦୀପ ସିଂହଙ୍କ ସହିତ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଲୋଚନା କରିଛନ୍ତି। ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ଟିଟିପିଏସ୍‌ର ନୂଆ ୟୁନିଟ୍ ସ୍ଥାପନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଗ୍ରିଡ୍‌କୋ, ଏନ୍‌ଟିପିସି, ଶକ୍ତି ବିଭାଗ ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗ ମଧ୍ୟରେ ଖୁବ୍‌ଶୀଘ୍ର ବୈଠକ ହେବ। ବୈଠକରେ ନୂଆ ୟୁନିଟ୍ ସ୍ଥାପନ କରିବା ଏବଂ ସ୍ଥାନୀୟ‌ ଲୋକମାନଙ୍କ ବିଭିନ୍ନ ଅଭିଯୋଗର ସମାଧାନ ନିମନ୍ତେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ। ସେହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ସବୁ ପ୍ରକାର ସହାୟତା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର