ଅନୁଗୁଳ : ଠିକ୍‌ ବର୍ଷକ ତଳେ ବନ୍ଦ ହୋଇଯାଇଥିଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍‌)। ହେଲେ ପୁଣିଥ‌ରେ ଏହି କାରଖାନାର ଚିମିନିରୁ ଧୂଆଁ ବାହାରିବା ନେଇ ଆଶା ରଖିଥିଲେ ଏଠାରେ କାର୍ଯ୍ୟରତ ଶହ ଶହ ଶ୍ରମିକ ଓ ହଜାର ହଜାର ଅଞ୍ଚଳବାସୀ। ବିଭିନ୍ନ ଦଳର ନେତାମାନେ ବି ସେତେବେଳେ ଏହି ପ୍ରସଙ୍ଗ ନେଇ ବେଶ୍‌ ଡେଇଁଥିଲେ। କିନ୍ତୁ ସମୟ ଗଡ଼ିବା ସହ ସବୁ କିଛି ନିରବି ଯାଇଛି। ଶହ ଶହ କର୍ମଚାରୀ ଛଟେଇ ହୋଇ ଏବେ ବେକାର। ପ୍ଲାଣ୍ଟ ଉପରେ ପରୋକ୍ଷରେ ନିର୍ଭର କରୁଥିବା ଅଞ୍ଚଳବାସୀଙ୍କ ଗୁଜୁରାଣ ବି ବନ୍ଦ। ଏପଟେ ଏହି ପ୍ଲାଣ୍ଟ ପୁଣି ଚାଲିବା ନେଇ ରହିଥିବା ସମସ୍ତ ଆଶା ମଉଳିଗଲାଣି। ନୂତନ ପ୍ଲାଣ୍ଟ ସ୍ଥାପନ ବି ଅନିଶ୍ଚିତତା ଭିତରେ। କେବେଠାରୁ ନୂତନ ପ୍ଲାଣ୍ଟର କାମ ଆରମ୍ଭ ହେବ ସେଥିନେଇ ଟିଟିପିଏସ୍‌ କର୍ତ୍ତୃପକ୍ଷ ନିରବ ରହିଥିଲାବେଳେ ଏହା ତାଳ‌ଚେରବାସୀଙ୍କ ଚିନ୍ତା ବଢ଼ାଇଦେଇଛି।

Advertisment

publive-image

ଜାତୀୟ ତାପଜ ବିଦ୍ୟୁତ ନିଗମ(ଏନଟିପିସି) ଦ୍ବାରା ପରିଚାଳିତ ତାଳଚେର ଥର୍ମାଲ୍‌ ପାୱାର ଷ୍ଟେସନ୍‌ରୁ ବିଜୁଳି ଉତ୍ପାଦନ ଗତ ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ରହିଛି। ୪୬୦ ମେଗାୱାଟ ବିଶିଷ୍ଟ ଏହି ପ୍ରକଳ୍ପକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ଏନଟିପିସି କର୍ତ୍ତୃପକ୍ଷ ଗତ ଏପ୍ରିଲ୍‌ ପହିଲାରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ନିକଟରେ ଆବେଦନ କରିଥିଲେ। ପ୍ଲାଣ୍ଟ ବନ୍ଦ କରିବା ପଛରେ ଏନଟିପିସି ୯ଟି କାରଣ ଦର୍ଶାଇଥିଲା। ଏହାର ବିଚାର କରି ଟିଟିପିଏସ୍‌କୁ ବନ୍ଦ କରିବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମଂଜୁରି ଦେଇଥିଲା। ଅଗ‌ଷ୍ଟ ୨୦ ତାରିଖରୁ ପ୍ଲାଣ୍ଟକୁ ଏନ୍‌ଟିପିସି କର୍ତ୍ତୃପକ୍ଷ ବନ୍ଦ କରିବାକୁ ଅନୁମତି ଦେଇଥିଲେ। ହେଲେ ବିଭିନ୍ନ ଶ୍ରମିକ ସଂଗଠନ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫଳରେ ହାଇକୋର୍ଟ ଏଥିରେ ରୋକ୍‌ ଲଗାଇବା ସହିତ ଅକ୍ଟୋବାର ଶେଷ ସପ୍ତାହ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଛଟେଇ ନ କରିବାକୁ ନିର୍ଦେଶ ଦେଇଥିଲେ। ଫଳରେ ଏହା ଚାଲିବା ନେଇ ଆଶା ସଂଚାର ହୋଇଥିଲା। ହେଲେ ଅକ୍ଟୋବର ପରେ ମଧ୍ୟ କିଛି ଅଗ୍ରଗତି ହେଲାନି। ଆଉ ଅକ୍ଟୋବର ପରଠାରୁ କର୍ମଚାରୀଙ୍କୁ ଗେଟ୍‌ ପାସ୍‌ ମିଳିନି କି ଦରମା ପାଉନାହାନ୍ତି। ଫଳରେ ପ୍ରାୟ ଦେଢ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ।

ଅପରପକ୍ଷରେ ପୁରୁଣା ପ୍ଲାଣ୍ଟ ବନ୍ଦ କରି ଆଉ ଏକ ଅତ୍ୟାଧୁନିକ ଥର୍ମାଲ ପ୍ଲାଣ୍ଟ ବସାଇବା ପାଇଁ ଆରମ୍ଭରୁ ଏନ୍‌ଟିପିସି କର୍ତ୍ତୃପକ୍ଷ କହି ଆସୁଛନ୍ତି। ଏହାର ଶିଳାନ୍ୟାସ ହୋଇ ନ ଥିବାରୁ ଏହାର ଆରମ୍ଭ ନେଇ ଅନିଶ୍ଚିତତା ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ଏହି ପ୍ରକଳ୍ପ ପାଇଁ ଏବେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ହେଲେ ଏହା ଚୂଡ଼ାନ୍ତ ହୋଇନି।