ଅନୁଗୁଳ : ମାର୍ଚ୍ଚ ଶେଷରୁ ବନ୍ଦ ହୋଇ ପଡ଼ିଛି ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍‌)। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନ ଥିବା କହି ଏହାକୁ ବନ୍ଦ କରି ଦିଆଯାଇଛି। ଏହା ବିରୋଧରେ ସବୁଆଡ଼େ ପ୍ରତିବାଦର ସ୍ବର ଉଠିବା ପରେ ପ୍ରକଳ୍ପକୁ ପୁଣି ଚଳାଇବା ପାଇଁ ପ୍ରତିଶ୍ରୁତି ବି ମିଳିଥିଲା। କିନ୍ତୁ ପ୍ରତିବାଦର ସ୍ବର ପତଳା ହେବା ସହ କରୋନାର ଦ୍ବିତୀୟ ଲହର ବଢିବାରୁ ଆଉ ଏ ଦିଗରେ କେହି ଧ୍ୟାନ ଦେଉନାହାନ୍ତି। କରୋନା ଆଳରେ ଏଠାକାର ଶ୍ରମିକ, କର୍ମଚାରୀ ଓ ଜନସାଧାରଣଙ୍କୁ ଭୂତାଇ ଚାଲିଛନ୍ତି।

Advertisment

publive-image The New Indian Express

ଅନୁଗୁଳ ଜିଲ୍ଲା ତାଳଚେରରେ ରାଜ୍ୟର ଏହି ପ୍ରଥମ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ୧୯୬୪ ଜାନୁଆରି ୫ରେ ଶୁଭ ଦେଇଥିଲେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ। ୧୯୬୮ ଫେବ୍ରୁଆରି ୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାର ପ୍ରଥମ ୟୁନିଟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ୧୯୬୮-୬୯ ମଧ୍ୟରେ ଏହାର ଅନ୍ୟ ୩ଟି ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରତି ୟୁନିଟରୁ ୬୦ ମେଗାୱାଟ ଲେଖାଏଁ ବିଜୁଳି ଉତ୍ପାଦିତ ହେଉଥିଲା। ୧୯୮୨ରେ ଏହାର ସମ୍ପ୍ରସାରଣ କରିଥିଲେ ସରକାର। ୧୧୦ ମେଗାୱାଟ ବିଶିଷ୍ଟ ଦୁଇଟି ନୂଆ ୟୁନିଟ ସ୍ଥାପନ କରାଯାଇଥିଲା। ପରେ ଏହି ପ୍ରକଳ୍ପର ଦାୟିତ୍ବ ଏନଟିପିସିକୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ଟିଟିପିଏସ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା। ଅନେକ ସଫଳତା ସୃଷ୍ଟି କରିବା ସହ ସାରା ଦେଶରେ ଏହି ପ୍ରକଳ୍ପ ଏକ ଉଦାହରଣ ପାଲଟିଥିଲା। ଏଠାରୁ ଉତ୍ପାଦିତ ୪୬୦ ମେଗାୱାଟ୍‌ ବିଜୁଳି ଓଡ଼ିଶା ହିଁ ବ୍ୟବହାର କରୁଥିଲା। ଗତ ମାର୍ଚ୍ଚ ୩୧ ତାରିଖରୁ ଏହା ବନ୍ଦ ହୋଇ ପଡ଼ିଛି। ୩ ମାସ ହେଲା ଏଠାରୁ ଉତ୍ପାଦନ ଆଉ ହେଉ ନାହିଁ।

publive-image

ଟିଟିପିଏସ୍ ପ୍ଲାଣ୍ଟ ବନ୍ଦ ହୋଇଯିବା ପରେ ଏହାକୁ ନେଇ ତାଳଚେର ସମେତ ଅନୁଗୁଳ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜନୈତିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ଶ୍ରମିକ ଏକତା ମଞ୍ଚ, ଠିକା ଶ୍ରମିକ ସଂଘ ଓ ତାଳଚେର ସୁରକ୍ଷା ମଞ୍ଚ ପ୍ଲାଣ୍ଟ ଆଗରେ ଧାରଣା ଦେଇଥିଲେ। ଏପଟେ ବିଜେଡି ପକ୍ଷରୁ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। କର୍ମଚାରୀମାନେ ବି ଧାରଣା ଦେଇଥିଲେ। ଏପ୍ରିଲ ମଝିରୁ କରୋନା ପ୍ରକୋପ ବଢିଥିଲାବେଳେ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଲକ୍‌ଡାଉନ କଟକଣା ଜାରି ହେବା ପରେ କେହି ଆଉ ଘରୁ ବାହାରି ପାରି ନ ଥିଲେ। ଆଉ ଏହି ମଉକାରେ ଟିଟିପିଏସକୁ ସବୁଦିନ ପାଇଁ ବନ୍ଦ କରି ଦେଇଛନ୍ତି କର୍ତ୍ତୃପକ୍ଷ। ଏହା ଆଉ ଚାଲିବ ନାହିଁ ବୋଲି ଜଣାଇଛନ୍ତି। ଟିଟିପିଏସ୍‌ର ଏଜିଏମ୍‌(ମାନବ ସମ୍ବଳ) ଚରଣଜିତ କୁମାର କହିଛନ୍ତି ଯେ, ଟିଟିପିଏସ୍‌ର ପୁରୁଣା ପ୍ଲାଣ୍ଟ ମାର୍ଚ୍ଚରୁ ବନ୍ଦ ହୋଇଛି। ଏହା ପୁଣି ଥରେ ଚଲାଇବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏଠାରେ ନୂଆ ପ୍ଲାଣ୍ଟ ଲାଗିବ। ଏଥିପାଇଁ କେବଳ କିଛି କାଗଜପତ୍ର କାମ ବାକି ଅଛି। ଏହା ମିଳିଗଲେ ନୂଆ ପ୍ଲାଣ୍ଟ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହି ପ୍ଲାଣ୍ଟ ଉପରେ ନିର୍ଭର କରୁଥିବା ହଜାରରୁ ଅଧିକ କର୍ମଚାରୀ ଏବେ ବି ଆଶା ଆଶଙ୍କାରେ ରହିଛନ୍ତି। କିଛି ନିର୍ଦ୍ଦିଷ୍ଟ ସୂଚନା ସେମାନଙ୍କ ପାଖରେ ପହଞ୍ଚିନି। କର୍ମଚାରୀ ଏକତା ମଞ୍ଚର କାର୍ଯ୍ୟକାରୀ ସଭାପତି ସରୋଜ ନାଥ କହିଛନ୍ତି ଯେ ପ୍ଲାଣ୍ଟ ଭିତରକୁ ଯିବା ପାଇଁ ୩ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଗେଟ୍‌ ପାସ୍ ମିଳିଛି। କିନ୍ତୁ ଏବେ ପ୍ଲାଣ୍ଟ ଭିତରେ କିଛି କାମ ହେଉନି। କେବଳ ହାଉସ୍‌ କିପିଂ ଚାଲିଛି। ତେଣୁ ସେମାନେ ଅନିଶ୍ଚିତତା ଭିତରେ ଦିନ କାଟୁଥିବା ସେମାନେ କହିଛନ୍ତି।