ତାଳଚେର : ତାଳଚେର ସହରକୁ ଚାରିଆଡୁ ବିପଦ ଘେରିଛି। ଜନବସତି ତଳେ ମାଟି ଫମ୍ପା ହୋଇଯାଇଥିବା ବେଳେ ଭୂପୃଷ୍ଠରେ ବାୟୁ ପ୍ରଦୂଷଣ ଲୋକଙ୍କୁ ଅଣନିଃଶ୍ବାସୀ କରୁଛି। ଭୂକମ୍ପ ପ୍ରବଣ ବଳୟରେ ରହିଛି ଏହି ଅଞ୍ଚଳ। ଫଳରେ ତାଳଚେରବାସୀ ଘୋର ଚିନ୍ତାରେ ଅଛନ୍ତି।
ତାଳଚେର ସହର ଦେଉଳବେଡ଼ା କୋଇଲା ଖଣିରୁ କୋଇଲା ଉତ୍ତୋଳନ ପରେ ଭୂପୃଷ୍ଠକୁ ଟେକି ଧରିବା ପାଇଁ ଖଣି ଭିତରେ ଛାଡ଼ି ଦିଆଯାଇଛି କିଛି କୋଇଲା ଖମ୍ବ। କେତୋଟି କୋଇଲା ଖଣ୍ତ ଉପରେ ତାଳଚେର ସହର ରହିଛି। ଭୂଗର୍ଭରେ ଖଣିର ସୀମା ପୂର୍ବ-ପଶ୍ଚିମ ଦିଗରେ ସାଢେ଼ ୪ କିଲୋମିଟର ଓ ଉତ୍ତର-ଦକ୍ଷିଣକୁ ୨.୧ କିଲୋମିଟର ଅଞ୍ଚଳକୁ ବ୍ୟାପିଛି। ଖଣିରୁ କୋଇଲା ଉତ୍ତୋଳନ ପରେ ଖାଲି ସ୍ଥାନରେ ପର୍ଯ୍ୟାପ୍ତ ବାଲି ଭର୍ତ୍ତି କରାଯାଇ ନଥିବା କୁହାଯାଉଛି। ଫଳରେ ତାଳଚେର ସହରର ସ୍ଥାୟିତ୍ବ ନେଇ ଅନିଶ୍ଚିତତା ଦେଖାଦେଇଛି। ଝାଡ଼ଖଣ୍ତ ଧାନବାଦ ସେଣ୍ଟ୍ରାଲ୍ ମାଇନି˚ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ବିଶେଷଜ୍ଞମାନେ ଅତୀତରେ ଏହି ଅଞ୍ଚଳର ସମୀକ୍ଷା କରି ଏଠାରେ ନିର୍ମାଣ କାର୍ଯ୍ୟ ନ କରିବାକୁ ଖଣି ସୁରକ୍ଷା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି।
ଭୂଗର୍ଭର ସ୍ଥିତି ଏଭଳି ଥିବାବେଳେ ଭୂପୃଷ୍ଠରେ ବାୟୁରୁ ବିଷ ଶୋଷୁଛନ୍ତି ତାଳଚେରବାସୀ। ତାଳଚେର ସହର ଓ ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ ସୀମା ଲ˚ଘନ କରିଛି। ଖଣି ରାସ୍ତା, ଜାତୀୟ ରାଜପଥ, ଅଞ୍ଚଳରେ ଥିବା କୋଇଲା ଖଣି, ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ ଆର୍ଥିକ ଉନ୍ନତିର କାରଣ ସାଜିଥିବା ବେଳେ ପ୍ରଦୂଷଣ ହିଁ ତାଳଚେରବାସୀଙ୍କ ପାଇଁ ମୁଣ୍ତବ୍ୟଥା ସୃଷ୍ଟି କରିଛି। ଆନ୍ତର୍ଜାତିକ ସ˚ସ୍ଥା ଗ୍ରିନ୍ପିସ୍ ପକ୍ଷରୁ ଦୁଇବର୍ଷ ପୂର୍ବରୁ ପ୍ରକାଶିତ ତାଲିକାରେ ବିଶ୍ବର ସର୍ବାଧିକ ପ୍ରଦୂଷିତ ସହରମାନଙ୍କ ମଧୢରେ ତାଳଚେରର ନାମ ରହିଛି। ସେହିପରି କୋଲ୍ ଇଣ୍ତିଆର ଏକ ସହଯୋଗୀ ସ˚ସ୍ଥା ‘ସେଣ୍ଟ୍ରାଲ୍ ମାଇନି˚ ପ୍ଲାନି˚ ଆଣ୍ଡ ଡିଜାଇନି˚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏ ଅଞ୍ଚଳର ବାୟୁ ପ୍ରଦୂଷଣର ମାତ୍ରା ମାପିବା ପରେ ଏହାର ରିପୋର୍ଟ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଦିଆଯାଇଛି।
/sambad/media/post_attachments/wp-content/uploads/2022/11/talcher-pp-750x430.jpg)
ତାଳଚେର ପୌରାଞ୍ଚଳର ମଣ୍ତାପାଳ ଡାକ୍ତରଖାନା, ଲିଙ୍ଗରାଜ ଖଣି ପ୍ରବନ୍ଧକଙ୍କ କାର୍ଯ୍ୟାଳୟ, ଖଣି ରାସ୍ତା ଓ ପୌରାଞ୍ଚଳ ନିକଟ ଡେରା ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ପ୍ରଦୂଷଣ ମାପକ ଯନ୍ତ୍ର ବସାଯାଇ ପ୍ରଦୂଷଣ ମାତ୍ରା ରେକର୍ଡ କରାଯାଇଥିଲା। ସ୍ବାଭାବିକ ଜୀବନଧାରଣ ପାଇଁ ବାୟୁମଣ୍ତଳରେ ପିଏମ୍ ୨.୫ର ପରିମାଣ ୩୫ -୪୦ ମାଇକ୍ରୋ ଗ୍ରାମ ହୋଇଥିବାବେଳେ ପିଏମ୍ ୧୦ର ଅନୁମୋଦିତ ହାର ୬୦-୭୦ ମାଇକ୍ରୋ ଗ୍ରାମ୍ ଅଟେ। ଏବେ ତାଳଚେରର ପିଏମ୍ ୨.୫ର ପରିମାଣ ୩୨୯କୁ ଛୁଇଁ ଥିବାବେଳେ ପିଏମ୍ ୧୦ର ୩୦୯ରେ ପହଞ୍ଚିଥିବା ଜାତୀୟ ବାୟୁ ଗୁଣବତ୍ତା ପକ୍ଷରୁ ୱେବ ସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି। ଏଭଳି ପ୍ରଦୂଷଣ ବୃଦ୍ଧି ଦ୍ବାରା ସହରବାସୀଙ୍କ ଆଖି, ନାକ, ଗଳା, ଫୁସଫୁସ୍ ସ˚କ୍ରମିତ ହେବା, ନାକରୁ ପାଣି ବହିବା, ସର୍ଦ୍ଦି ଲାଗିରହିବା, ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ଭଳି ଲକ୍ଷଣ ପ୍ରକାଶ ପାଉଛି।
ଭୂଗର୍ଭ ଓ ଭୂପୃଷ୍ଠ ତାଳଚେରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ଏବେ ସମଗ୍ର ଅଞ୍ଚଳ ଭୂକମ୍ପ ପ୍ରବଣ ବଳୟରେ ଆସିବା ଖବର ତାଳଚେରବାସୀଙ୍କ ନିଦ ହଜାଇ ଦେଇଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ତିଆ, ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଖଡ଼ଗପୁର ଆଇଆଇଟି ବିଶେଷଜ୍ଞଙ୍କ ଅନୁଧ୍ୟାନ ଅନୁଯାୟୀ ବ୍ରାହ୍ମଣୀ ଉପତ୍ୟକାର ଏହି ଅଞ୍ଚଳ ଅଧିକ ଭୂମିକମ୍ପ ପ୍ରବଣ ବୋଲି ଜଣାପଡ଼ିଛି। କେତେବେଳେ ଓ କିପରି ଦୁର୍ଘଟଣା ଘଟିବ ସେ ସ˚ପର୍କରେ ଠିକ୍ ଆକଳନ କରିବା ଅସମ୍ଭବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବୈଜ୍ଞାନିକ ପଦ୍ଧତିରେ ଫମ୍ପା ଖଣି ପୋତାଯାଉନାହିଁ। ଫଳରେ ଖଣି ଅଞ୍ଚଳ ଅଧିକ ଭୂକମ୍ପ ପ୍ରବଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।