ଭୁବନେଶ୍ବର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ହଙ୍ଗାମା ହୋଇଛି। କଂଗ୍ରେସ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରି ବିଜେପି ସଭ୍ୟମାନେ ତୀବ୍ର ପ୍ରତିବାଦ କରିଥିଲେ। ବିଜେପିକୁ ଗାନ୍ଧୀ ହତ୍ୟାକାରୀର ଆଦର୍ଶରେ ଅନୁପ୍ରାଣିତ ଦଳ ବୋଲି ଆକ୍ଷେପ କରି କଂଗ୍ରେସ ପାଲଟା ଆକ୍ରମଣ କରିଥିଲା। ଦୁଇ ଦଳ ଏପରି ମୁହାଁମୁହିଁ ହୋଇଥିଲେ ଯେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଫଳରେ ପ୍ରଶ୍ନକାଳ, ମୁଲତବୀ ଆଲୋଚନା ହୋଇପାରି ନ ଥିଲା।

Advertisment

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭ୍ୟମାନେ ବିଜେପି ସଭ୍ୟମାନଙ୍କର ଏପରି କାର୍ଯ୍ୟର ପ୍ରତିବାଦ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ ରଖିଥିଲେ। ୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି। ବିଜେପି ଏହାକୁ ନିନ୍ଦା କରୁଛି। ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଜଣେ ଆଦିବାସୀ ମହିଳା। ସେ ସବୁବେଳେ ଗରିବ, ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରୁଛନ୍ତି। ବିଜେପି ସବୁବେଳେ ଦଳିତ, ଆଦିବାସୀଙ୍କ ଗୁରୁତ୍ବ ଦେଇଆସୁଛି। ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ କଂଗ୍ରେସ ସହିପାରୁନି। କଂଗ୍ରେସ ମୁଖପାତ୍ର ତାଙ୍କ ଚରିତ୍ର ସଂହାର କରୁଛନ୍ତି। ଏପରି ଘୃଣ୍ୟ ମନ୍ତବ୍ୟ ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦଳର ମୁଖପାତ୍ରଙ୍କୁ ଆଦେଶ ଦେଇଛନ୍ତି। କଂଗ୍ରେସର ଏପରି ମନ୍ତବ୍ୟ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଶ୍ରୀ ମାଝୀ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗଣତନ୍ତ୍ରରେ ଭିନ୍ନ ମତ ଥାଏ। ତାହାକୁ ଆମେ ଗୃହରେ ପ୍ରକାଶ କରୁ। ଯେଉଁ ଖବରକୁ ନେଇ ବିଜେପି ବନ୍ଧୁମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି, ସେଥିରେ କୌଣସି ଆପତ୍ତିଜନକ ଶବ୍ଦ ବ୍ୟବହାର ହୋଇନାହିଁ। ଯେଉଁ ସମୟରେ ମୁଁ ଅନ୍ୟ ଏକ ପ୍ରସଙ୍ଗ ଗୃହରେ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡ଼ିଥିଲି, ସେତେବେଳେ ବିଜେପି ବିଧାୟକ ଦଳ ଉପନେତା କହିଥିଲେ ଯେ ଯେଉଁମାନେ ଗୃହରେ ନାହାନ୍ତି ସେମାନଙ୍କ ସମ୍ପର୍କରେ କାହିଁକି କୁହାଯାଉଛି? ଏବେ ତାଙ୍କରି ଦଳର ସଭ୍ୟ କିପରି ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ ନାମ ନେଉଛନ୍ତି? ସେ ଦୁଇ ଜଣ କ’ଣ ଏ ଗୃହର ସଦସ୍ୟ ଅଛନ୍ତି କି? ଯେଉଁମାନେ ଗୃହରେ ନାହାନ୍ତି, ତାଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ବେଶ୍ ନିନ୍ଦନୀୟ। ତାହାକୁ ଗୃହରୁ ବିବରଣୀରୁ ବାଦ୍ ଦିଆଯାଉ।

ଶ୍ରୀ ମିଶ୍ର ବିଜେପିକୁ ସିଧାସଳଖ ଟାର୍ଗେଟ୍‌ କରି କହିଥିଲେ, ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରାଯାଇଛି। ବ୍ୟକ୍ତିଗତ ଭାବେ ଆମେ ତାଙ୍କୁ ସମ୍ମାନ ଦେଉ। ସେ ଜଣେ ଭଲ ମଣିଷ ଓ ତାଙ୍କ ବ୍ୟବହାର ବହୁତ ଭଲ। କିନ୍ତୁ ଯେଉଁ ଚିନ୍ତାଧାରାରେ ସେ ଅନୁପ୍ରାଣିତ, ଆମେ ତାହାକୁ ବିରୋଧ କରୁଛୁ। କଠୋର ସମାଲୋଚନା କରୁଛୁ। ବିଜେପି ଓ ଆର୍ଏସ୍ଏସ୍ ସଂଗଠନର ଚିନ୍ତାଧାରା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ। ଭାରତ ସ୍ବାଧୀନ ହେଲା ପରେ ଆର୍‌ଏସ୍‌ଏସ୍ କାର୍ଯ୍ୟାଳୟରେ ବହୁ ବର୍ଷ ଧରି ଜାତୀୟ ପତାକା ବଦଳରେ କଳା ପତାକା ଉଡ଼ୁଥିଲା। ଏମାନଙ୍କ ଚିନ୍ତାଧାରା ଦେଶଦ୍ରୋହୀ ଚିନ୍ତାଧାରା। ଶ୍ରୀ ମିଶ୍ରଙ୍କ ଏପରି ମନ୍ତବ୍ୟରେ ବିଜେପି ସଭ୍ୟମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ହୋହଲ୍ଲା କରି ଗୃହ ମଧ୍ୟ ଭାଗକୁ ମାଡ଼ିଆସିଲେ। ଶ୍ରୀ ମିଶ୍ର ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ। କଂଗ୍ରେସ ସଭ୍ୟମାନେ ମଧ୍ୟ ବିଜେପି ବିରୋଧରେ ନାରାବାଜି କରିଥିଲେ। ଫଳରେ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କଲେ।

୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଉପବାଚସ୍ପତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କହିବା ପାଇଁ ଡାକିଲେ। ଶ୍ରୀ ମାଝୀ କହିଲେ, ପୂର୍ବାହ୍ନରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ଚାଲିଥିଲା ବେଳେ କଂଗ୍ରେସ ବିଧାୟକ ଦଳ ନେତା ବିଜେପିକୁ ଆକ୍ଷେପ କରିଥିଲେ। ନାଥୁରାମ ଗଡ୍‌ସେଙ୍କ ବିଚାରଧାରାକୁ ନେଇ ବିଜେପି ରାଜନୀତି କରୁଛି ବୋଲି କହିଥିଲେ, ଯାହା କି ଆଦୌ ଗ୍ରହଣୀୟ ନୁହେଁ। ଗୋଟିଏ ଦଳର ଏକ ବିଚାରଧାରା, ନୀତି ଆଦର୍ଶ ରହିଛି। ତାହାକୁ ଏପରି ଭାବେ ସମାଲୋଚନା କରିବା ଠିକ୍ ହୋଇନାହିଁ। ଶ୍ରୀ ମିଶ୍ରଙ୍କ ଏହି ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦିଆଯାଉ।

ବିଜେପିର ଏହି ଦାବି ସମ୍ପର୍କରେ ବାଚସ୍ପତିଙ୍କୁ ଜଣାଇବେ ବୋଲି ଉପବାଚସ୍ପତି କହିଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ମୁଁ ସେଥିରେ ଏକମତ ନୁହେଁ। ମୁଁ ଏପରି କୌଣସି ଆପତ୍ତିଜନକ ଶବ୍ଦ ବ୍ୟବହାର କରିନି, ଯାହାକୁ କି ଗୃହର ବିବରଣୀରୁ ବାଦ୍ ଦିଆଯିବ। ମୁଁ ଯାହା କହିଛି ଠିକ୍ କହିଛି। ନୀତି, ଆଦର୍ଶର କଥା କହିଛି। କାହାକୁ ବ୍ୟକ୍ତିଗତ ଆକ୍ଷେପ କରିନି। ଖରାପ ଭାଷା ବି ବ୍ୟବହାର କରିନି। କଂଗ୍ରେସ ମୁଖପାତ୍ରଙ୍କ ମନ୍ତବ୍ୟକୁ ନେଇ ବିଜେପି ସଭ୍ୟମାନେ ତମ୍ବିତୋଫାନ କଲେ। କିନ୍ତୁ ସେହି ମନ୍ତବ୍ୟରେ ଅଛି ଯେ ‘ଦ୍ରୌପଦୀ ମୁର୍ମୁ ଅତ୍ୟନ୍ତ ଭୁଲ୍ ବିଚାରଧାରାକୁ ପ୍ରତିନିଧିତ୍ବ କରୁଛନ୍ତି। ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ।’ ଏଥିରେ କ’ଣ ଆପତ୍ତିଜନକ ଅଛି? ଏହି ମନ୍ତବ୍ୟକୁ ଠିକ୍ ଭାବେ ତର୍ଜମା ନ କରି ବିଜେପି ସଭ୍ୟମାନେ ହୋହଲ୍ଲା କରିବା ଠିକ୍ ହେଲା ନାହିଁ। ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେଲା ପରେ ମୋତେ କଲ୍ କରିଥିଲେ। ମୁଁ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ଧନ୍ୟବାଦ ବି ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ କଲ୍‌ କରିଥିଲେ। ମୁଁ ଏବେ ବି କହୁଛି ମୁଁ ବ୍ୟକ୍ତିଗତ ଭାବେ ଶ୍ରୀମତୀ ମୁର୍ମୁଙ୍କୁ ବହୁତ ପସନ୍ଦ କରେ। ତାଙ୍କ ବିରୋଧରେ କିଛି ଅଭିଯୋଗ ନାହିଁ। କିନ୍ତୁ ଏଠି ନୀତି ଓ ଆଦର୍ଶର ଲଢ଼େଇ ଚାଲିଛି। ବିଜେପି ନୀତି, ଆଦର୍ଶ ସହ ମୁଁ ସହମତ ନୁହେଁ। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳର ଜଣେ ସାଂସଦ ମହାତ୍ମା ଗାନ୍ଧୀଙ୍କ ଫଟୋରେ ଗୁଳି ମାରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ତାଙ୍କୁ କ୍ଷମା ଦେବିନି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ସେହି ଦଳର ସାଂସଦ ଅଛନ୍ତି। ବିଜେପି ନେତାମାନେ ନାଥୁରାମ୍ ଗଡ୍‌ସେକୁ ଭଗବାନ ଆଖ୍ୟା ଦେଇ ପୂଜା କରୁଛନ୍ତି। ଶ୍ରୀ ମିଶ୍ରଙ୍କ ଏପରି ମନ୍ତବ୍ୟ ପରେ ବିଜେପି ସଭ୍ୟମାନେ ପୁଣି ତାତିଥିଲେ। ହୋହଲ୍ଲା କରି ପ୍ରତିବାଦ କରିଥିଲେ। ଉପବାଚସ୍ପତି କହିଥିଲେ, ବାହାରେ କିଏ କ’ଣ କହିଲା ଆମେ ତାହାକୁ ଗୃହକୁ ଆଣିବାନି। ଏହି ପ୍ରସଙ୍ଗକୁ ଏଇଠି ଶେଷ କରାଯାଉ। ଶ୍ରୀ ମିଶ୍ର ବି ଏଥିରେ ସମ୍ମତି ଜଣାଇଥିଲେ। ବିଜେପି ସଭ୍ୟମାନେ ମଧ୍ୟ ବସିପଡ଼ିଥିଲେ। ତାହା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା।