ନୂଆଗାଁ: ୧୯୮୪ରେ ଆମେରିକାରୁ ସଂଗୃହୀତ ଚନ୍ଦ୍ରମଣ୍ଡଳର ୩ଟି ପଥର ଖଣ୍ଡ ନୟାଗଡ଼-ଦଶପଲ୍ଲାର ବଣପାହାଡ଼ ଘେରା ଉଦୟପୁର ଗାଁରେ ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ସାରସ୍ବତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ବାରା ପ୍ରତିଷ୍ଠିତ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି। ବର୍ତ୍ତମାନ ଚନ୍ଦ୍ରଯାନ-୩ର ସଫଳତା ଭାରତ ପାଇଁ ଗୌରବ ଆଣି ଦେଇଥିବା ବେଳେ ଏବେ ଏହି ସଂଗ୍ରହାଳୟରେ ଥିବା ଚନ୍ଦ୍ର ପଥରକୁ ନେଇ ସବୁଆଡ଼େ ଚର୍ଚ୍ଚା। ଆମେରିକାର ବୈଜ୍ଞାନିକ ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ତାଙ୍କ ସହଯୋଗୀ ୧୯୬୯ରେ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପଦାର୍ପଣ କରି ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଆମେରିକାକୁ ଆଣିଥିଲେ। ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁତ୍ର ତଥା ପ୍ରଫେସର୍ ଡ. ବିକ୍ରମ ଦାସ ଆମେରିକାରୁ ଚନ୍ଦ୍ର ପଥର ସଂଗ୍ରହ କରି ଓଡ଼ିଶାକୁ ଆଣିଥିଲେ। ଏହାକୁ ରାଜ୍ୟ ସଂଗ୍ରହାଳୟରେ ରଖିବାକୁ ଡ. ଦାସଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲା। ମାତ୍ର ସେ ସମସ୍ତଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ଦାସିଆ ଅଜାଙ୍କ ସଂଗ୍ରହର ସାଧନାରେ ଉତ୍ସାହିତ ହୋଇ ଡ. ଦାସ ଚନ୍ଦ୍ରର ୩ ଖଣ୍ଡ ପଥରକୁ ଦାସିଆ ଅଜାଙ୍କୁ ଖୁସିରେ ପ୍ରଦାନ କରିଥିଲେ।
ଦାସିଆ ଅଜା ଏହି ବିରଳ ସାମଗ୍ରୀକୁ ପାଇବା ପରେ ଏହାକୁ ନେଇ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ପଦ୍ମଶ୍ରୀ ବିନୋଦ କାନୁନ୍ଗୋ, ‘ସମାଜ’ ତତ୍କାଳୀନ ସମ୍ପାଦକ ରାଧାନାଥ ରଥ, ନ୍ୟାୟମୂର୍ତ୍ତି ହରିହର ମହାପାତ୍ର, କବି ସଚ୍ଚି ରାଉତରାୟ ଓ ପଦ୍ମଭୂଷଣ ଗୋପୀନାଥ ମହାନ୍ତି, ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ, ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଓ ‘ପ୍ରଗତିବାଦୀ’ର ତତ୍କାଳୀନ ସମ୍ପାଦକ ପ୍ରଦ୍ୟୁମ୍ନ ବଳଙ୍କୁ ବ୍ୟକ୍ତିଗତ ଭାବେ ଦେଖାଇଥିଲେ। ସେତେବେଳେ ଏହି ସମ୍ମାନନୀୟ ବ୍ୟକ୍ତିବିଶେଷମାନେ ଦୁର୍ଲ୍ଲଭ ଚନ୍ଦ୍ରମଣ୍ଡଳର ପଥର ଖଣ୍ଡ ଦେଖି ଖୁସି ହୋଇଥିଲେ। ଡ. ବିକ୍ରମ ଦାସଙ୍କ ବଦାନ୍ୟ ଗୁଣ ଓ ଦାସିଆ ଅଜାଙ୍କ ସଂଗ୍ରହର ସାଧନାକୁ ବାରମ୍ବାର ପ୍ରଶଂସା କରିଥିଲେ। ଭାରତ ବର୍ଷରେ ବର୍ତ୍ତମାନ ସୁଦ୍ଧା କେଉଁ ସ୍ଥାନରେ ଓ କାହାରି ପାଖରେ ଚନ୍ଦ୍ରପୃଷ୍ଠର ପଥର ନାହିଁ। ଏହି ଅମୂଲ୍ୟ ସମ୍ପଦକୁ ଦାସିଆ ଅଜା ନିଜ ପ୍ରତିଷ୍ଠିତ ସଂଗ୍ରହାଳୟରେ ରଖି ଯାଇଛନ୍ତି। ଏହା ରାଜ୍ୟ ଓ ଦେଶବିଦେଶର ଦର୍ଶକ, ପର୍ଯ୍ୟଟକ, ଗବେଷକ, ଐତିହାସିକ ଓ ବୁଦ୍ଧିଜୀବୀମାନଙ୍କୁ ସଦାବେଳେ ଆକର୍ଷିତ କରୁଛି। ତେବେ ଚନ୍ଦ୍ରଯାନ ୩, ବିକ୍ରମ ଓ ପ୍ରଜ୍ଞାନଙ୍କ ସଫଳତା ପରେ ଏବେ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଥିବା ଚନ୍ଦ୍ର ପଥରକୁ ନେଇ ଜୋର୍ ଚର୍ଚ୍ଚା ଚାଳିଛି।