ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା : ବଦଳିବେ ମୁଖ୍ୟସଚିବ, ପ୍ରଶାସନର ଚେହେରା ବି

ଆଇଏଏସ୍ ଓ ଆଇପିଏସ୍‌ରେ ବି ପରିବର୍ତ୍ତନ ହେବ

ଭୁବନେଶ୍ୱର : ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଏହି ମାସରେ ସରୁଛି। ଗୋଟିଏ ପକ୍ଷ କହୁଛନ୍ତି, ସରକାର ତାଙ୍କ ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିପାରନ୍ତି। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଉନ୍ନୟନ କମିସନର ସୁରେଶ ମହାପାତ୍ର ମୁଖ୍ୟସଚିବ ଦୌଡରେ ଆଗରେ ଅଛନ୍ତି। ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ସରକାର ବସାଇବା ସମ୍ଭାବନା ଅଧିକ। ଏଥିସହିତ ନୂଆବର୍ଷରେ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହେବ।

ହେଲେ ଏହା ଭିତରେ ଗୋଟିଏ ବଡ଼ ପ୍ରସଙ୍ଗ ଆଜି ହଠାତ୍ ସଚିବାଳୟ କରିଡ଼ର ଓ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିଛି। ବିଜେଡି ଓ ପ୍ରଶାସନିକ ଅଧିକାରୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିପାରନ୍ତି। ବିଭିନ୍ନ ପ୍ରସଙ୍ଗରେ କିଛିମାସ ଧରି ନିରବତା ଅବଲମ୍ବନ କରୁଥିବା ନବୀନ ଗତକାଲି ପରୀ ହତ୍ୟା ଘଟଣାରେ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ମନ୍ତବ୍ୟକୁ ନାପସନ୍ଦ କରିବାକୁ ପଛାଇ ନଥିଲେ। ଏହା ପରୋକ୍ଷରେ ସଙ୍କେତ ଦେଉଛି ଯେ ମନ୍ତ୍ରୀଙ୍କ ମତ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିରେ ନୂଆ ଓଡ଼ିଶା ଗଠନ ଲାଗି ଆହ୍ବାନ ଦେଇଥିଲେ। ମନ୍ତ୍ରୀମାନଙ୍କର ପାରଦର୍ଶିତା ବୃଦ୍ଧି ଉପରେ ବି ଜୋର ଦିଆଯାଇଥିଲା। ହେଲେ କରୋନା ସରକାରଙ୍କ ସ୍ବପ୍ନକୁ ଗଭୀର ଭାବେ ପ୍ରଭାବିତ କରିଛି। ଏବେ କୋଭିଡ୍ ପ୍ରଭାବ କମିଛି। ଏଣୁ ନୂଆବର୍ଷରୁ ପୁଣି ଥରେ ସରକାରୀସ୍ତରରେ ସକ୍ରିୟତା ଆଣିବା ଲାଗି ନବୀନ ମନ୍ତ୍ରିମଣ୍ଡଳ ଓ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳ ବଦଳ କରିବା ଲାଗି କସରତ ଚଳାଇଛନ୍ତି।

ମିଳୁଥିବା ସୂଚନା ଅନୁସାରେ, ଏକାଧିକ ମନ୍ତ୍ରୀଙ୍କ ଦକ୍ଷତା ସରକାରଙ୍କ ପ୍ରଦର୍ଶନକୁ ଗୌଣ କରୁଛି। ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସମବାୟ ବିଭାଗରେ ଟୋକନ୍ ବିବାଦ ପରେ ଏବେ ଋଣ କେଳେଙ୍କାରୀ ସରକାରଙ୍କୁ ଚିନ୍ତାରେ ପକାଇଛି। ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଗିରଫଦାରି ଓ ଲୋକାୟୁକ୍ତରେ ତିନି ତିନିଟି ମାମଲା ବନୀକରଣ ପ୍ରସଙ୍ଗରେ ଜଙ୍ଗଲ ମନ୍ତ୍ରୀଙ୍କ ଅଡ଼ୁଆ ବଢାଇଛି। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ବିଦ୍ୟାଳୟ ଓ ଗଣଶିକ୍ଷା ଭଳି ଏକାଧିକ ବିଭାଗର ମନ୍ତ୍ରୀ କିଛି ନା କିଛି ବିବାଦରେ ଛନ୍ଦି ହୋଇଛନ୍ତି।

ସେପଟେ ଗଞ୍ଜାମରେ ରାଜନୈତିକ ସମୀକରଣ ବଦଳୁଛି। ଉତ୍ତର ଓଡ଼ିଶା ଓ ଉପକୂଳ ରାଜନୀତି ବି। ଏସବୁର ଝଲକ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲ ପୂର୍ବାନୁମାନ କରୁଛନ୍ତି। ଅର୍ଥାତ୍ ସଂକ୍ଷେପରେ କହିବାକୁ ଗଲେ, କିଛି ମନ୍ତ୍ରୀଙ୍କର ବିଭାଗ ବଦଳିବ, କିଛି ମନ୍ତ୍ରୀ ବିଦା ହେବେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମନ୍ତ୍ରୀ ହେବାର ସମ୍ଭାବନାକୁ ବି ଏଡ଼ାଇ ଦେଇ ହେବନାହିଁ।

ଅନ୍ୟପକ୍ଷରେ ମୁଖ୍ୟଶାସନ ସଚିବ ବଦଳିଲେ, ପ୍ରଶାସନରେ ଏକ ବଡ଼ ପରିବର୍ତନ ହେବ। ଯଦି ଶ୍ରୀ ମହାପାତ୍ର ମୁଖ୍ୟସଚିବ ହୁଅନ୍ତି, ତେବେ ଉନ୍ନୟନ କମିସନର ପଦବିରେ ନୂଆ ଅଧିକାରୀଙ୍କୁ ଦେଖିବାକୁ ମିଳିବ। ସେହିଭଳି ଦୀର୍ଘ ୮ ବର୍ଷ ଧରି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ସଚିବଙ୍କର ବଦଳି ହୋଇନାହିଁ। ଏଣୁ ଜଙ୍ଗଲ, ଉଚ୍ଚଶିକ୍ଷା ଠାରୁ ଆରମ୍ଭ କରି ଏକାଧିକ ବିଭାଗର ସଚିବସ୍ତରରେ ଅଦଳବଦଳ ହୋଇପାରେ। କିଛି ଜିଲ୍ଲାର ଜିଲ୍ଲାପାଳ ବି ବଦଳିପାରନ୍ତି। ସେହିଭଳି ବିବାଦରେ ଏବେ ନୟାଗଡ଼ ଏସ୍‌ପି ଅଛନ୍ତି। ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଏସ୍‌ପି ପଦବି ଖାଲି ପଡିଛି। ଏଣୁ ଏସବୁ ସହିତ ନୂଆ ବର୍ଷରେ ଆଇଏଏସ୍ ଓ ଆଇପିଏସ୍ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହେବ।

ସମ୍ବନ୍ଧିତ ଖବର