ଭୁବନେଶ୍ବର: କମିସନରେଟ୍‌ ପୁଲିସର ସେଫ୍‌ ସିଟି ଡ୍ରାଇଭ୍‌ କାର୍ଯ୍ୟକ୍ରମ କଡ଼ାକଡ଼ି ହେଉଥିଲେ ମଧ୍ୟ ରାଜଧାନୀରେ ସଡ଼କ ଦୁର୍ଘଟଣା କମିବା ନାଁ ଧରୁନାହିଁ। ପ୍ରତିଦିନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଗାଡ଼ିଚାଳକଙ୍କୁ ଧରି ଜରିମାନା କରାଯାଉଛି, ଆବଶ୍ୟକସ୍ଥଳେ ମଦୁଆ ଗାଡ଼ିଚାଳକଙ୍କୁ ଗିରଫ କରାଯାଉଛି, ଗାଡ଼ି ଜବତ କରାଯାଇ କୋର୍ଟ ଚାଲାଣ କରାଯାଉଛି ଏବଂ ଡ୍ରାଇଭିଂ ଲାଇସେନ୍‌ସ ମଧ୍ୟ ବାତିଲ କରାଯାଉଛି। କିନ୍ତୁ ଅମାନିଆଙ୍କୁ ସାବାଡ଼ କରିବା ସମ୍ଭବ ହେଉନାହିଁ। ରାଜଧାନୀରେ ସଡ଼କ ଦୁର୍ଘଟଣା ବଢ଼ାଉଛି ଡ୍ରାଇଭିଂ ବେଳେ ମୋବାଇଲ୍‌‌ରେ ଗପିବା। ତେଣୁ କମିସନରେଟ୍‌ ପୁଲିସ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂଆ କଟକଣା ଲାଗୁ କରିବାକୁ ଯୋଜନା କରିଛି। କେହି ଗାଡ଼ିଚାଳନା ସହ ମୋବାଇଲ୍‌ରେ ଗପୁଥିଲେ, ଏଣିକି ଗାଡ଼ି ସହ ମୋବାଇଲ୍‌ ଫୋନ୍‌ ଜବତ କରାଯିବ। କୋର୍ଟରୁ ହିଁ ଗାଡ଼ି ଓ ମୋବାଇଲ୍‌ ମୁକୁଳାଇବାକୁ ପଡ଼ିବ।

Advertisment

ଏହି ନୂଆ ପଦକ୍ଷେପକୁ କଡ଼ାକଡ଼ି କରାଯିବ ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି। ଗତକାଲି ଅପରାହ୍ଣ ୪ଟା ରୁ ରାତି ୯ଟା ଭିତରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୨୧୮ଗାଡ଼ି ଜବତ ହୋଇଥିଲା। ଏଥିରୁ ଅଧିକାଂଶ ଗାଡ଼ି ଚାଳକ ମୋବାଇଲ୍‌ରେ ଗପିଗପି ଡ୍ରାଇଭିଂ କରୁଥିବା ଦେଖିବାକୁ ମିଳିଥିଲା। ସେହପରି ଭୁବନେଶ୍ବର ଟ୍ରାଫିକ୍‌ ଥାନା-୧ ଓ ୨ ପକ୍ଷରୁ ହୋଇଥିବା ଯାଞ୍ଚ ବଳରେ ୪୬ ଗାଡ଼ି ଜବତ କରାଯାଇଥିଲା। ଓମ୍‌ଫେଡ୍‌ ଛକରେ ଯାଞ୍ଚ ଚାଲିଥିବା ବେଳେ ଖସି ପଳାଇଥିବା ମଦ୍ୟପ ମିନିଟ୍ରକ୍‌ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଛି। ସେହି ଡ୍ରାଇଭରକୁ ଗୋଡ଼ାଇଗୋଡ଼ାଇ କଳିଙ୍ଗ ଷ୍ଟାଡିୟମ୍‌ ନିକଟରୁ ଗିରଫ କରାଯାଇଥିଲା। ରାଜଧାନୀରେ ନିକଟରେ ଘଟିଥିବା ଅଧିକାଂଶ ସଡ଼କ ଦୁର୍ଘଟଣାର କାରଣ ଯାଞ୍ଚ କଲା ବେଳେ ଜଣାପଡ଼ିଛି ଯେ ଗାଡ଼ିଚାଳକ ମୋବାଇଲ୍‌ରେ ଗପିଗପି ଗାଡ଼ି ଚଳାଉଥିଲେ। ତେଣୁ ସେଫ୍ ସିଟି ଡ୍ରାଇଭ୍ ଯାଞ୍ଚ ପ୍ରକ୍ରିୟାରେ ଏଣିକି ମୋବାଇଲ୍‌ ଜବତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।