ନିତେଶଙ୍କ ନିରବତାକୁ ନେଇ ଚର୍ଚ୍ଚା: ଶାସକ ଦଳ ଆଡ଼କୁ ଢଳୁଛନ୍ତି ପତ୍ନୀ ଅରୁନ୍ଧତୀ

ଦେବଗଡ଼: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସମ୍ବଲପୁର ବିଜେପି ସାଂସଦ ତଥା ବାମଣ୍ଡା ରାଜପରିବାରର ସଦସ୍ୟ ନିତେଶ ଗଙ୍ଗଦେବଙ୍କୁ ଆଉ ଦେଖିବାକୁ ମିଳୁନି। ୨୦୨୪ ନିର୍ବାଚନ ପାଇଁ ବର୍ତ୍ତମାନ ଛକାପଞ୍ଝା ଲାଗି ରହିଥିବାବେଳେ ନିତେଶଙ୍କ ନିରବତା ଏବଂ ଦେବଗଡ଼ ମାଟି ମାଡୁନଥିବା ଘଟଣା ରାଜନୈତିକ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଇଛି। ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁବାର ଦେବଗଡ଼ ଗସ୍ତରେ ଆସିଥିବାବେଳେ ନିତେଶଙ୍କ ଦେଖାମିଳି ନ ଥିଲା। ଗତବର୍ଷ କେବଳ ଜୁଲାଇ ମାସରେ ବଡ଼ବଗିଚାରେ ଅନୁଷ୍ଠିତ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ଶେଷଥର ପାଇଁ ଏଠାରେ ଦେଖିବାକୁ ମିଳିଥିଲା। ଅନ୍ୟପଟେ, ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଭିନ୍ନସମୟରେ ବିଜେପି ନେତାଙ୍କୁ ସାମାଜିକ ଗଣମାଧ୍ୟମରେ ଟାର୍ଗେଟ୍‌ କରିବା ସହିତ ଶାସକ ଦଳ ବିଜେଡିର ଗୁଣଗାନ କରୁଥିଲେ। ଫଳରେ, ଅରୁନ୍ଧତୀ ବିଜେଡି ଆଡ଼କୁ ଢଳୁଥିବା ନେଇ ସାଧାରଣରେ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଦେବଗଡ଼ ନିର୍ବାଚନମଣ୍ଡଳୀରେ ରାଜପରିବାରର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଚଳିତ ନିର୍ବାଚନରେ ନିତେଶଙ୍କ ଭୂମିକା କ’ଣ ରହିବ, ସେ ନେଇ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର