ଭୁବନେଶ୍ବର : ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲିପଡ଼ିଥିଲା। ଏବେ ଦୁଇ ଜଣଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳରେ ତିନି ଜଣଙ୍କୁ ସାମିଲ କରାଯାଇପାରିବ। ତାହା ସହ ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି କରାଯିବ। କେଉଁ ଚାରି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିବେ, ତାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ଚାଲିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲା ପରେ ଏହି ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି। କିନ୍ତୁ ରାଜ୍ୟପାଳ ପ୍ର‌ଫେସର ଗଣେଶୀ ଲାଲ ଏବେ ହରିଆନାରେ ଅଛନ୍ତି। ସେ ୨୨ ତାରିଖରେ ଭୁବନେଶ୍ବର ଫେରିବାର ରହିଛି। ତେଣୁ ସେ ଫେରିଲା ପ‌ରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ନା ସେ ଆଗୁଆ ଆସୁଛନ୍ତି ସେ ସଂପର୍କରେ ରାଜଭବନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

Advertisment

ଅନ୍ୟପକ୍ଷରେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କେଉଁ ଆଧାରରେ ତାଙ୍କ ସହଯୋଗୀ ଚୟନ କରିବେ, ତାହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଆଞ୍ଚଳିକ ଭିତ୍ତିରେ ନା ବୟସ ଭିତ୍ତିରେ ନା ମହିଳା କାର୍ଡ ଖେଳି‌ବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅବଶ୍ୟ ନବୀନ ତାଙ୍କ ଗୋଟି ଏମିତି ଚଳାନ୍ତି, ତାହାର ସାମାନ୍ୟ ସୁରାକ ବି ପାଖ ଲୋକ ପାଆନ୍ତି ନାହିଁ। ଆଜି ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ କହି ସେ ଯେମିତି ସମସ୍ତଙ୍କୁ ଚକିତ କରିଛନ୍ତି, ନୂଆ ମନ୍ତ୍ରୀଙ୍କୁ ବାଛି ସେ ପୁଣି ସମସ୍ତଙ୍କୁ ଚକ୍‌ମା ଦେବେ ବୋଲି କୁହାଯାଉଛି।

ବାଚସ୍ପତି ପଦ ପାଇଁ ବିଧାୟକ ଅମର ଶତପଥୀ ଓ ଦେବୀପ୍ରସାଦ ମିଶ୍ରଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି। ବିକ୍ରମ କେଶରୀ ଆରୁଖଙ୍କୁ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ଅଧିକ। କାରଣ ଦକ୍ଷିଣ ଓଡ଼ିଶାରୁ ମନ୍ତ୍ରୀ ହୋଇଥିବା ଶ୍ରୀକାନ୍ତ ସାହୁ ଇସ୍ତଫା ଦେଲା ପରେ ଆଉ ଜଣେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ଶ୍ରୀ ଆରୁଖଙ୍କ ନାମ ସର୍ବାଗ୍ରେ ରହିଛି। ଯଦି ମହିଳା ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଏ, ତେବେ ଲତିକା ପ୍ରଧାନଙ୍କ ନାମ ଆଗକୁ ଆସିପାରେ।

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ରାଉରକେଲା ବିଧାୟକ ଶାରଦା ନାୟକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ଦୀପାଳି ଦାସଙ୍କୁ ମନ୍ତ୍ରୀ କରାଯିବ ବୋଲି ଦଳର ଗୋଟିଏ ମହଲରେ ଆଲୋଚନା ହେଉଛି। ନଚେତ ପଶ୍ଚିମ ଓଡ଼ିଶାକୁ ବିଚାରକୁ ନେଲେ ସୁଶାନ୍ତ ସିଂହଙ୍କୁ ପୁନର୍ବାର ମନ୍ତ୍ରିମଣ୍ଡଳକୁ ଫେରାଇ ଅଣାଯାଇପାରେ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି।