ଠକେଇ ପାଇଁ ବାଟ ଖୋଲି ଦିଆଯାଇଛି: ନରସିଂହ

ଧାନ କିଣାରେ ଅବ୍ୟବସ୍ଥା ନେଇ ମୁଲତବୀ ଆଲୋଚନା

ସରକାରଙ୍କୁ ଘେରିଲେ ବିରୋଧୀ
ମଣ୍ଡିରେ ସର୍ବନିମ୍ନ ଭିତ୍ତିଭୂମି ପ୍ରସ୍ତୁତ ହେଉନି: ମୋହନ
ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ

ଭୁବନେଶ୍ବର : ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ‌ଦେଖାଦେଇଛି। ଅସାଧୁ ବ୍ୟବସାୟୀ ଓ ମିଲ୍‌ ମାଲିକମାନଙ୍କ ସହ ସରକାର ହାତ ମିଳାଇଛନ୍ତି। ମିଲ୍‌ ମାଲିକଙ୍କୁ କମ୍ ଦରରେ ଧାନ ବିକିବା ପାଇଁ ଚାଷୀଙ୍କୁ ଏକ ପ୍ରକାର ବାଧ୍ୟ କରାଯାଉଛି। ମଣ୍ଡିରେ ସିସିଟିଭି ଲାଗୁନି। ସମ୍ପୂର୍ଣ୍ଣ ଧାନ କିଣା ପ୍ରକ୍ରିୟାରେ ଠକେଇ ପାଇଁ ବାଟ ଖୋଲିଦିଆଯାଇଛି। ଶନିବାର ଦିନ ବିଧାନସଭାରେ ଏମିତି ଆରୋପ ଲଗାଇ ସରକାରଙ୍କୁ ଭର୍ତ୍ସନା କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଶନିବାର ଦିନ ଗୃହରେ କଂଗ୍ରେସ ପକ୍ଷରୁ ‘ରାଜ୍ୟରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଓ କଟ୍‌ନି ଛଟ୍‌ନି ଯୋଗୁ ଚାଷୀମାନେ ଶୋଷଣର ଶିକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ସରକାର ନିର୍ବାଚନରେ ବ୍ୟସ୍ତ ରହି ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଲେନି। ସେମାନେ କ୍ଷତି ସହିଲେ। ଚାଷୀଙ୍କ ଠାରୁ ଧାନ କିଣିବା ଏଫ୍‌ସିଆଇର ପ୍ରାଥମିକ କାର୍ଯ୍ୟ। ସବୁ ପଞ୍ଜୀକୃତ ଚାଷୀଙ୍କ ବଳକା ଧାନକୁ କିଣିବାକୁ ଏଫ୍‌ସିଆଇ ବାଧ୍ୟ। କିନ୍ତୁ ଏଥର କାହିଁକି ସମସ୍ତ ପଞ୍ଜୀକୃତ ଚାଷୀ ଧାନ ବିକିପାରିଲେ ନାହିଁ? ମନ୍ତ୍ରୀଙ୍କ ପାଖରେ ଚାଷୀଙ୍କର ପ୍ରକୃତ ସଂଖ୍ୟା ସମ୍ପର୍କରେ ତଥ୍ୟ ନାହିଁ। ରାଜ୍ୟର ସବୁ ଚାଷୀ ପଞ୍ଜୀକୃତ ନ ହେବାର କାରଣ କ’ଣ? ଧାନ କିଣିଲା ବେଳେ କଟ୍‌ନି ଛଟ୍‌ନି ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ। କିନ୍ତୁ ଏବେ ବି ସବୁଠି ଏହା ଚାଲିଛି। ଯେଉଁମାନେ ଏପରି କାମ କରୁଛନ୍ତି ସେମାନଙ୍କ ବିରୋଧରେ କି ଦଣ୍ଡବିଧାନ କରାଯାଉଛି? ସରକାରୀ ନିର୍ଦ୍ଦେଶ ଥିଲା ଯେ ଧାନ କିଣାଗଲା ପରେ ମିଲ୍‌ ମାଲିକମାନେ ମଣ୍ଡିରେ ରହିବେ ନାହିଁ। ଧାନ କିଣାରେ ଅନିୟମିତତାକୁ ଧରିବା ପାଇଁ ମଣ୍ଡିରେ ସିସିଟିଭି ଲାଗିବ। କିନ୍ତୁ ଏ ଯାଏ କାହିଁକି ସବୁଠି ସିସିଟିଭି ଲାଗିପାରିଲା ନାହିଁ? ଯେଉଁଠି ବି ଲାଗିଛି ତାହା ମଧ୍ୟରୁ ଅଧିକାଂଶ ଜାଗାରେ ସିସିଟିଭି କାମ କରୁନି। ଠକେଇ ପାଇଁ ବାଟ ଖୋଲାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ସବୁଠି ଧାନ କିଣା ନିୟମର ଖୋଲା ଉଲ୍ଲଂଘନ ହେଉଛି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି। ଧାନ କିଣାକୁ ବ୍ୟବସ୍ଥିତ କରିବା ପାଇଁ ବିଧାନସଭାର ଷ୍ଟାଣ୍ଡିଂ କମିଟି ବହୁ ସୁପାରିସ୍‌ କରିଛି। କିନ୍ତୁ ତାହାର ଆକ୍ସନ୍ ଟେକେନ୍ ରିପୋର୍ଟ ନାହିଁ।

ଶ୍ରୀ ମିଶ୍ର ତାତ୍ସଲ୍ୟ କରି କହିଥିଲେ ଯେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍‌ କରିଦେଲେ ଚାଷୀ ତାହାର ସୁଫଳ ପାଇପାରିବ ନାହିଁ। କାଳିଆ ଯୋଜନାରେ ୫ ହଜାର ଟଙ୍କା ଦେଇଦେଲେ ଚାଷୀ ମୁକ୍ତି ପାଇଯିବ ନାହିଁ। ଏସବୁ କେବଳ ଭୋଟ୍‌ ପାଇଁ। ଚାଷୀଙ୍କୁ କରାଯାଉଥିବା ଶୋଷଣ ତୁରନ୍ତ ବନ୍ଦ କରାଯାଉ। ସେମାନଙ୍କ ଆୟ ବୃଦ୍ଧି ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଚଳିତ ବର୍ଷ ଧାନ ଚାଷୀ ଧାନ ବିକିବା ଆଗରୁ ବର୍ଷା ହେଲା। ଏହା ମିଲ୍‌ ମାଲିକଙ୍କୁ ସୁହାଇଲା। କ୍ବିଣ୍ଟାଲ୍‌ ପିଛା ୧୦ କେଜି ଲେଖାଏ କାଟି ଦିଆଯାଇଛି। ଏବେ ବି ମଣ୍ଡିରେ ଧାନ ପଡ଼ି ରହିଛି। ଚାଷୀ କାନ୍ଦୁଛି।

ବିରୋଧୀ ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଯେଉଁ ବାବୁମାନେ ଏଠାରେ ବସି ଧାନ କିଣାକୁ ତଦାରଖ କରୁଛନ୍ତି ସେମାନେ ଚାଷୀଙ୍କ ଦୁଃଖ ବୁଝିପାରୁ ନାହାନ୍ତି। ଖାଲି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିଛୁ ବୋଲି ସରକାର ଘୋଷି ହେଉଛନ୍ତି। ମଣ୍ଡିରେ ସର୍ବନିମ୍ନ ଭିତ୍ତିଭୂମି ପ୍ରସ୍ତୁତ ହେଉନାହିଁ। ଧାନ କିଣା ବ୍ୟବସ୍ଥାକୁ ମିଲ୍‌ ମାଲିକଙ୍କ ଉପରେ ଛାଡ଼ି ଦିଆଯାଇଛି। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ପକ୍ଷରୁ ଭୂପିନ୍ଦର ସିଂହ, ସ୍ନେହାଙ୍ଗିନୀ ଛୁରିଆ, ରମେଶ ଚନ୍ଦ୍ର ବେହେରା ଓ ଧ୍ରୁବ ଚରଣ ସାହୁ ଆଲୋଚନାରେ ଭାଗ ନେଇ ଧାନ କିଣା ପ୍ରକ୍ରିୟାକୁ ସରକାର ବ୍ୟବସ୍ଥିତ କରିଛନ୍ତି ବୋଲି ମତ ଦେଇଥିଲେ। ବରଂ କେନ୍ଦ୍ର ସରକାର ଏମ୍‌ଏସ୍‌ପି ବୃଦ୍ଧି ନ କରି ଚାଷୀଙ୍କୁ ହଇରାଣ କରୁଛି ବୋଲି ଆରୋପ ଲଗାଇଥିଲେ।

ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ବିରୋଧୀଙ୍କ ଅଭିଯୋଗ ତଥ୍ୟ ଉପରେ ଆଧାରିତ ନୁହେଁ। ନିର୍ବାଚନ ଯୋଗୁ ଆଦୌ ଚାଷୀଙ୍କୁ ଅଣଦେଖା କରାଯାଇ ନାହିଁ। ଧାନ ସଂଗ୍ରହ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପ୍ରାଥମିକତା ମଧ୍ୟରେ ଅନ୍ୟତମ। ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଧାନ ସଂଗ୍ରହ ବର୍ଷ ୨୦୨୧-୨୨ରେ ସରକାରଙ୍କୁ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ମୋଟ୍‌ ୧୫.୪୩ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ଖରିଫ ତୁଳନାରେ ୫% ଅଧିକ ଚାଷୀ ଏଥର ପଞ୍ଜୀକୃତ ହୋଇଚନ୍ତି। ୨୫.୩.୨୦୨୨ ସୁଦ୍ଧା ୨୯୯୬ଟି କ୍ରୟ କେନ୍ଦ୍ର ମାଧ୍ୟମରେ ୧୨.୯୧ ଲକ୍ଷ ଚାଷୀଙ୍କ ଠାରୁ ୫୭,୧୬,୧୩୨ ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ କ୍ବିଣ୍ଟାଲ ପିଛା ଏମ୍‌ଏସ୍‌ପି ୧୯୪୦ ଟଙ୍କା ପ୍ରଦାନ କରାଯାଉଛି। ଗତ ବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନେ ପ୍ରଦାନ କରିଥିବା ଚାଷ ସମ୍ବନ୍ଧୀୟ ତଥ୍ୟକୁ ସାଟେଲାଇଟ୍‌ ମାଧ୍ୟମରେ ଯାଞ୍ଚ୍‌ କରାଯାଇଛି। ଏହା ଦ୍ବାରା ପ୍ରକୃତ ଚାଷୀଙ୍କୁ ସୁବିଧା ଦେବାକୁ ସକ୍ଷମ ହୋଇପାରୁଛୁ। ୨୦୨୨-୨୩ରେ ଏହା ସମସ୍ତ ୩୦ ଜିଲ୍ଲାରେ ଲାଗୁ ହେବ।

ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ ରାଜ୍ୟର ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ନେବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଠାରୁ ଅଦ୍ୟାବଧି କୌଣସି ନିର୍ଦ୍ଦେଶନାମା ପ୍ରାପ୍ତ ହୋଇ ନାହିଁ।

ସମ୍ବନ୍ଧିତ ଖବର