ସୁନ୍ଦରଗଡ଼ : ଆଦିବାସୀଙ୍କ ପାଇଁ ସଂରକ୍ଷିତ ତଳସରା ବିଧାନସଭା କ୍ଷେତ୍ର କଂଗ୍ରେସର ଗଡ଼ ଭାବେ ପରିଚିତ। ଜଣେ ଜନପ୍ରିୟ ବିଧାୟକ ଭାବେ ଦିବଂଗତ ଗଜାଧର ମାଝୀ ଏଠାରୁ ୫ ଥର ବିଧାନସଭାକୁ ଯାଇଥିଲେ। ୨୦୦୬ ମେ ୨୫ରେ ଗଜାଧରଙ୍କ ଦେହାନ୍ତ ପରେ ଅନୁଷ୍ଠିତ ଉପ ନିର୍ବାଚନ ଓ ପରବର୍ତ୍ତୀ ୨ଟି ବିଧାନସଭା ନିର୍ବାଚନ ୨୦୦୯ ଓ ୨୦୧୪ରେ ସମ୍ପର୍କୀୟ ଡ. ପ୍ରଫୁଲ୍ଲ ମାଝୀ ନିର୍ବାଚିତ ହୋଇ କଂଗ୍ରେସର ଗଡ଼ ରକ୍ଷା କରି ଆସୁଛନ୍ତି। ଚଳିତ ନିର୍ବାଚନରେ ଦଳ ତାଙ୍କୁ ପୁଣି ଥରେ ଗଡ଼ ରକ୍ଷା ଦାୟିତ୍ବ ଦେଇଛି। ଯଦିଓ ନିର୍ବାଚନ ଋତୁ ଆରମ୍ଭରେ ନବ ଓ ଯୋଗେଶଙ୍କୁ ଅନୁସରଣ କରି ପ୍ରଫୁଲ୍ଲ ବି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାକୁ ଚାହୁଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରି ଡ. ମାଝୀ ଏବେ କଂଗ୍ରେସରୁ ପୁଣି ଅଣ୍ଟା ଭିଡ଼ିଛନ୍ତି। ତାଙ୍କୁ ଟକ୍କର ଦେବାକୁ ବିଜେଡି ପ୍ରମୁଖ ଆଶାୟୀମାନଙ୍କୁ ହଟାଇ ଜଣେ ନବାଗତ ଯୁବ ଚେହେରା ଷ୍ଟିଫେନ୍ ୱିଲସନ୍ ସୋରେଙ୍ଗଙ୍କୁ ପ୍ରାର୍ଥୀ କରିଛି। ଏପରିକି ଗତ ୨୦୧୪ ନିର୍ବାଚନରେ ଡ. ମାଝୀଙ୍କୁ କଡ଼ା ଟକ୍କର ଦେଇ ଅତି କମ୍ ଭୋଟ (୧୪୩୮) ବ୍ୟବଧାନରେ ପରାଜିତ ବିନୟ ଟପ୍ପୋଙ୍କୁ ଏଥର ଦଳ ଭରସା କରିନାହିଁ।
ଅନ୍ୟପଟେ ବିଜେପି ମଧ୍ୟ ଏକ ଯୁବ ଚେହେରା ଭବାନୀ ଭୋଇଙ୍କୁ ପ୍ରାର୍ଥୀ କରିଛି। ୩ ପ୍ରମୁଖ ଦଳ ସହ ମଇଦାନରେ ସଞ୍ଜୀବ ଖାଲକୋ, ଗୋରେଟି ଖେସ୍, ସଞ୍ଜିତ ପ୍ରଧାନ, ହଳଧର ନାଏକ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ତେବେ ଟକ୍କର ୩ ପ୍ରମୁଖ ଦଳ ମଧ୍ୟରେ ହେଉଥିବା ବେଳେ ପ୍ରାର୍ଥୀମାନେ କେବଳ ଦଳୀୟ ପ୍ରତିଶ୍ରୁତିକୁ ହିଁ ଅସ୍ତ୍ର କରିଛନ୍ତି। ଏହା ସହ ବିଜେଡି ଓ ବିଜେପି ଦଳର ମୁଖିଆଙ୍କ ଚେହେରାକୁ ସମ୍ମୁଖ ଭାଗରେ ରଖି ମତଦାତାଙ୍କ ପାଖକୁ ପହଞ୍ଚୁଛନ୍ତି। ଲୋକେ ଦଳୀୟ ପ୍ରତିଶ୍ରୁତି ଓ ମୁଖିଆଙ୍କ ଚେହେରାରେ କେତେ ପ୍ରଭାବିତ ହେଉଛନ୍ତି, ତାହା ଭିନ୍ନ କଥା। କିନ୍ତୁ ତଳସରା ବିଧାନସଭା କ୍ଷେତ୍ରର ଛାତି ଚହଳେଇ ଦେଲା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଯୁବତୀ ଚାଲାଣକୁ ସମସ୍ତ ପ୍ରାର୍ଥୀ ନଜର ଅନ୍ଦାଜ କରିବା ସାଧାରଣରେ ଉଦ୍ବେଗର କାରଣ େହାଇଛି। ଜିଲ୍ଲାର ସର୍ବାଧିକ ଯୁବତୀ ଚାଲାଣ ଓ ଅନେକ ସମୟରେ ବାହାର ରାଜ୍ୟରେ ବିକ୍ରି ଭଳି ଲଜ୍ଜାକର ତଥା ଲୋମଟାଙ୍କୁରା ଚିତ୍ର ଏହି ଅଞ୍ଚଳରୁ ହିଁ ସାମ୍ନାକୁ ଆସିଥାଏ। ଏପରିକି ଏହି ଅଞ୍ଚଳରୁ ବାହାର ରାଜ୍ୟକୁ ରୋଜଗାର ଆଶାରେ ଚାଲାଣ ପରେ ନିଖୋଜ ହୋଇଯାଇଥିବା ଯୁବତୀ, ନାବାଳିକାଙ୍କ ସଂଖ୍ୟା ଅନେକ। ଅନେକ ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ପୁଲିସ, ପ୍ରଶାସନ କିଛି ନାବାଳିକାଙ୍କୁ ଶୋଚନୀୟ ସ୍ଥିତିରେ ଉଦ୍ଧାର କରିଥିବାର ଦୁଃଖଦ ନଜିର ବି ରହିଛି।
ସେହିପରି ସ୍ଥାନୀୟ ଅଞ୍ଚଳରେ ଜୀବିକା ଓ ରୋଜଗାର ଅଭାବରୁ ଶହ ଶହ ଯୁବକ ବାହାର ରାଜ୍ୟକୁ ନିତିପ୍ରତି ଚାଲାଣ ହେଉଥିବା ଜଣାଯାଏ। ୯ ବର୍ଷ ତଳେ ଏକ ବେସରକାରୀ ସଂସ୍ଥା ‘ପ୍ରଗତି’ର ସର୍ଭେ ଅନୁସାରେ, ତଳସରା ବିଧାନସଭା କ୍ଷେତ୍ର ସମେତ ଜିଲ୍ଲାର କିଛି ଅଞ୍ଚଳରୁ ୪୫ ହଜାରରୁ ଅଧିକ ଯୁବକ, ଯୁବତୀ (ସେଥିରେ ନାବାଳିକାଙ୍କ ସଂଖ୍ୟା ଅଧିକ) ଚାଲାଣ ହୋଇଥିବା ପ୍ରକାଶ ପାଇଥିଲା। ଯାହା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ୯ ବର୍ଷ ପରେ ଏବେ ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ। ଏବେ ମଧ୍ୟ ତଳସରାର ଉପାନ୍ତ ଅଞ୍ଚଳରୁ ନାବାଳିକା, ଯୁବତୀ ଚାଲାଣ ଏକ ନିତିଦିନିଆ ଘଟଣା ହୋଇଯାଇଛି। ଏବେ ବି ବାହାର ରାଜ୍ୟରେ ବିକ୍ରି ହୋଇ ଅତି ଶୋଚନୀୟ ସ୍ଥିତିରେ ଥିବା ନାବାଳିକା ଉଦ୍ଧାର ହେଉଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ସାରା ରାଜ୍ୟ, ତଥା ଦେଶରେ ଚହଳ ପକାଇଥିବା ତଳସରାର ଏହି ଦୁର୍ନାମକୁ ହଟାଇବାର ଇଚ୍ଛା ପ୍ରାର୍ଥୀମାନଙ୍କ ଇସ୍ତାହାରରେ ସ୍ଥାନ ପାଇ ନାହିଁ। ଗତ ୨୦୧୪ ନିର୍ବାଚନକୁ ନିରୀକ୍ଷଣ କଲେ କଂଗ୍ରେସର ଡ. ମାଝୀ ୪୫୬୮୯ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ବିନୟ ଟପ୍ପୋଙ୍କ ଠାରୁ ଅତି କମ୍ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ। ଚଳିତ ନିର୍ବାଚନରେ ଯୁବତୀ ଚାଲାଣ, ଜଳସେଚନ, ରୋଜଗାର ଭଳି ପ୍ରମୁଖ ପ୍ରଶ୍ନର ସମ୍ମୁଖୀନ ହେଉଥିବା ପ୍ରଫୁଲ୍ଲଙ୍କ ଜିତାପଟ କଷ୍ଟକର ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି। କାରଣ କଂଗ୍ରେସର ଅନ୍ୟତମ ଦାବିଦାର ଗୋରେଟି ଖେସ୍ ଟିକଟ ନପାଇବାରୁ ପ୍ରଫୁଲ୍ଲଙ୍କୁ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି।
ସବଡେଗା ବ୍ଲକ କରମଡିହି ପଞ୍ଚାୟତରୁ ଲଗାତର ୩ ଥର ସରପଞ୍ଚ ଭାବେ ବିଜୟୀ ହୋଇଥିବା ଗୋରେଟି ଏବେ ଜିଲ୍ଲା ପରିଷଦ ସଭ୍ୟା ରହି ଏକ ଟାଣୁଆ ନେତ୍ରୀର ପରିଚୟ ଦେଇଛନ୍ତି। ସେ ପ୍ରଫୁଲ୍ଲଙ୍କ ପଥ ରୋକିବାକୁ ଚେଷ୍ଟା ଚଲାଇଛନ୍ତି। ଅନ୍ୟପଟେ ତାଙ୍କୁ ସର୍ବଦା ବିଜୟର ଟିକା ପିନ୍ଧାଉଥିବା ଲେଫ୍ରିପଡ଼ା, ବାଲିଶଙ୍କରା, ସବଡେଗା, ବଡ଼ଗାଁ ବ୍ଲକର ଉପାନ୍ତ ଅଞ୍ଚଳର ମତଦାତାଙ୍କୁ ଚଳିତ ଥର ନିଜ ସପକ୍ଷରେ ଆଣି ପାରୁଛନ୍ତି କି ନାହିଁ, ତାହା ଦେଖିବା କଥା। କାରଣ ତା’ରି ଉପରେ ପ୍ରଫୁଲ୍ଲଙ୍କ ହାରଜିତ ନିର୍ଭର କରୁଥିବା ଆଲୋଚନା ହେଉଛି। ସେପଟେ ଯୁବ ପିଢ଼ି ବିଜେଡି ଆଡ଼କୁ ଢ଼ଳୁଥିବା ବେଳେ ବିଜେପି ମୋଦି ଲହରରେ ବିଜୟ ହେବାର ଆଶା ରଖିଛି। ଏସବୁ ଭିତରେ ପ୍ରଫୁଲ୍ଲ ନିଜ ଗଡ଼ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି କି ନାହିଁ, ତାହା ମେ ୨୩ରେ ସ୍ପଷ୍ଟ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/prafulla.jpg)