ଯାଜପୁର : ହାପ୍ ପ୍ୟାଣ୍ଟ୍ ପିନ୍ଧି ବିନାମାକ୍ସରେ ଥାନା ଗାଡ଼ିରେ ବସି ରାଜରାସ୍ତାରେ ବଟି ଆଦାୟ କରୁଥିବା ଭିଡ଼ିଓ ଭାଇରାଲ ଘଟଣା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିଜିପିଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଏସ୍‌ପି ଚରଣସିଂ ମୀନା ଯାଜପୁର ଜିଲ୍ଲା ଟମକା ଥାନାର ଏସ୍‌ଆଇ ମହମ୍ମଦ ସୁରଜଙ୍କୁ ତତ୍‌କ୍ଷଣାତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି।

Advertisment

ପ୍ରକାଶଥାଉକି, ଟମକା ଥାନାର ଏସ୍‌ଆଇ ସୁରଜ ଥାନା ଗାଡ଼ି ନେଇ ଟମକା-ବ୍ରାହ୍ମଣୀପାଳ ରାସ୍ତାରେ ଗାଡ଼ି ଅଟକାଇ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଜଣେ ଗାଡ଼ି ଚାଳକ ନିଜ ମା’ର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ୨ ହଜାର ଟଙ୍କା ମାଗିଥିଲେ। ସେ ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଧମକ ଦେଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ସମୟରେ ସମ୍ପୃକ୍ତ ଏସ୍‌ଆଇ ହାପ୍ ପ୍ୟାଣ୍ଟ ଓ ଗଞ୍ଜି ପନ୍ଧିଥିବା ‌ବେଳେ ମାକ୍ସ ପିନ୍ଧିନଥିବା ଦେଖିବାକୁ ମିଳିଥିଲା। ‘ସମ୍ବାଦ’ରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ ଏହି ଘଟଣାର ତନାଘନା କରାଯାଇଛି।

ଅନ୍ୟପକ୍ଷରେ, ଅମାନିଆ ଡ୍ରାଇଭରଙ୍କ ଠାରୁ ଜରିମାନା ଆଦାୟ କରଯାଉଥିଲା ବୋଲି ଟମକା ପୁଲିସ କହୁଥିବାବେଳେ ବିନା ପୁଲିସ ପୋଷାକରେ କାହିଁକି ଗାଡ଼ି ଯାଞ୍ଚ ହେଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ, ସୁରଜଙ୍କୁ ବିନା ପୁଲିସ ପୋଷାକରେ ଯିବାକୁ ଥାନାଧିକାରୀ ସଂଘମିତ୍ରା ନାୟକ ନିର୍ଦ୍ଦେଶ ଦେଇଥିଲେ ବୋଲି ଗତକାଲି ‘ସମ୍ବାଦ’କୁ କହିଥିଲେ। ସୁରଜଙ୍କୁ ସୁରକ୍ଷା ଦେବାକୁ ଥାନାଧିକାରୀ ସୁଶ୍ରୀ ନାୟକ କହିଥିଲେ ନା ପ୍ରକୃତରେ ନିର୍ଦ୍ଦେଶ ଦେଇଥିଲେ, ତାହା ତଦନ୍ତ ସାପେକ୍ଷ।

ଉଲ୍ଲେଖଯୋଗ୍ୟ, ଏସ୍‌ଆଇ ସୁରଜଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। କିଛିଦିନ ପୂର୍ବରୁ ସେ ଟାଟା କମ୍ପାନିରେ ଇଂଜିନିୟର ଭାବେ ଠିକା କାମ କରୁଥିବା ଜଣେ ଯୁବକ ଓ ତାଙ୍କ ସାଙ୍ଗଙ୍କ କାର୍‌କୁ ଅଟକାଇ ଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା।

ପୁଲିସକୁ ଆକ୍ରମଣ ଭଳି ମାମଲା ରୁଜୁ କରି ଫସେଇ ଦିଆଯାଇଥିବା ନେଇ ପରିବାର ପକ୍ଷରୁ ଏସ୍‌ପି ଓ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେହିପରି, ପଡୋଶୀ ଘସିପୁର ଥାନା ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କୁ ସୁରଜ ଓ ତାଙ୍କ ସହଯୋଗୀ ଗୋଡାଇଥିଲେ। ଏହି ସମୟରେ ଜଣେ ବାଟୋଇକୁ ବାଡ଼େଇ ଲହୁଲୁହାଣ କରି ପିଙ୍ଗି ପଳାଇ ଆସିଥିଲେ। ଘସିପୁରା ଥାନାର ଏସ୍‌ଆଇ ବିଶ୍ବଜିତ ବେହେରା ଆହତ ବାଟୋଇଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।