ଟମାଟୋ ଫ୍ଲୁ ଭୟ! ଆରଏମ୍‌ଆରସିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ପଠାଇବାକୁ ସବୁ ଜିଲ୍ଲାକୁ ନି‌ର୍ଦ୍ଦେଶ

ସ୍ବାସ୍ଥ୍ୟ ବିଭାଗର ବିସ୍ତୃତ ଆଲୋଚନା

ଭୁବନେଶ୍ବର : ଦେଶର କିଛି ରାଜ୍ୟରେ ଟମାଟୋ ଫ୍ଲୁ ଦେଖାଦେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ସତର୍କ ହୋଇଉଠିଛି। ପ୍ରକୃତରେ ରାଜ୍ୟର କିଛି ଜିଲ୍ଲାରେ ଦେଖା ଦେଉଥିବା ହ୍ୟାଣ୍ଡ, ଫୁଟ୍‌ ଓ ମାଉଥ୍ ଡିଜିଜ୍ ବା ଏଫ୍‌ଏଚ୍‌ଏମ୍‌ଡି ରୋଗ ସହିତ ଟମାଟୋ ଫ୍ଲୁର କିଛି ସାମଞ୍ଜସ୍ୟ ରହିଛି କି ନାହିଁ ଜାଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଆଜି ବିଭାଗର ପକ୍ଷରୁ ଜିଲ୍ଲା ଓ ମେଡିକାଲ କଲେଜର ଶିଶୁରୋଗ ବିଶେଷଜ୍ଞମାନଙ୍କୁ ନେଇ ଏକ ବିସ୍ତୃତ ଆଲୋଚନା ହୋଇଛି। ଯେଉଁସବୁ ଜିଲ୍ଲାରେ ଏଫ୍‌ଏଚ୍‌ଏମ୍‌ଡି ଆକ୍ରାନ୍ତ ଶିଶୁ ଚିହ୍ନଟ ହେଉଛନ୍ତି ସେମାନଙ୍କ ନମୁନାର ଆରଏମ୍‌ଆରସିକୁ ପଠାଇବାକୁ କୁହାଯାଇଛି। ଯାହାଫଳରେ ରାଜ୍ୟରେ ଏହି ରୋଗ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି ନା ମହାମାରୀ ରୂପ ନେଲାଣି ତାହା ସଂପର୍କରେ ସବିଶେଷ ସୂଚନା ମିଳିପାରିବ।

କେରଳ, କର୍ଣ୍ଣାଟକ ଭଳି ରାଜ୍ୟରେ ଶିଶୁଙ୍କଠାରେ ନାଲି ଫୋଟକା ‌ଦେଖାଯିବା ପରେ ଏହାକୁ ଅନେକ ଟମାଟୋ ଫ୍ଲୁ ବୋଲି ଚର୍ଚା ହୋଇଥିଲା। ମାତ୍ର ବିଜ୍ଞାନ ଶିକ୍ଷାରେ ଏଭଳି କୌଣସି ରୋଗ ନାହିଁ। ବରଂ ଏଫ୍‌ଏଚ୍‌ଏମ୍‌ଡି ରୋଗ ରହିଛି। ଯାହାକି ମୁଖ୍ୟତଃ ୦-୫ବର୍ଷର ଶିଶୁଙ୍କଠାରେ ଦେଖା ଯାଉଥିବା ବେଳେ ସ୍ଥଳ ବିଶେଷରେ ୧୪ବର୍ଷର ପିଲା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ରାଜଧାନୀ ଆଖପାଖର କିଛି ଜିଲ୍ଲାରେ ଏଭଳି ଶିଶୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସ୍ପଷ୍ଟ ହୋଇଛି। କୋଭିଡ ପୂର୍ବରୁ ଏହି ରୋଗୀଙ୍କ ସଂଖ୍ୟା ବେଶ୍‌ ସୀମିତ ଥିବା ବେଳେ ଏବେ ପ୍ରତ୍ୟେକ ଦିନ ୫/୬ଜଣ ରୋଗାକ୍ରାନ୍ତ ଶିଶୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ନଜରକୁ ଆସିଛି। କିନ୍ତୁ ଅନ୍ୟ ରାଜ୍ୟରେ ଟମାଟୋ ଫ୍ଲୁ ବ୍ୟାପିବା ପରେ ଅନେକ ଏଫ୍‌ଏଚ୍‌ଏମ୍‌ଡିକୁ ଏହାସହ ତୁଳନା କରିବା ଆରମ୍ଭ କରିଛନ୍ତି। ଏପରିକି କଟକସ୍ଥିତ ଶିଶୁ ଭବନରେ ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ୱାର୍ଡ ମଧ୍ୟ ଖୋଲାଯାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ,ଟମାଟୋ ଫ୍ଲୁ ସହିତ ଏଫ୍‌ଏମ୍‌ଏମ୍‌ଡି ରୋଗର କୌଣସି ସାମଞ୍ଜସ୍ୟ ରହିଛି କି ନାହିଁ ଜାଣିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ ଟେଷ୍ଟିଂ ବଢ଼ାଇବାକୁ କୁହାଯାଇଛି। ଆକ୍ରାନ୍ତ ଶିଶୁଙ୍କ ଗଳା ସ୍ବାବ୍, ମଳ କିମ୍ବା ଫୋଟକା ସ୍ଥାନ ପାଣି/ଖୋଳପା ପଠାଇବାକୁ ନିର୍ଦେଶ ଦିଆଯାଇଛି। ଶିଶୁରୋଗ ବିଶେଷଜ୍ଞମାନେ ଏହା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। କେରଳରେ ୨୦୧୮ ମସିହାରୁ ଏହି ରୋଗ ଦେଖିବାକୁ ମିଳୁଛି। ମାତ୍ର ଓଡ଼ିଶାରେ ଏଫ୍‌ଏଚ୍‌ଏମ୍‌ଡି ବର୍ତମାନସୁଦ୍ଧା ମହାମାରୀ ରୂପ ନେଇନାହିଁ। ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଶିଶୁରୋଗ ବିଶେଷଜ୍ଞ ଡା.ଦେବକାନ୍ତ ଦାସଙ୍କ ମତରେ, ଏଫ୍‌ଏଚ୍‌ଏମ୍‌ଡି ଏକ ପରିଚିତ ରୋଗ। ଏହା ବହୁ ପୂର୍ବରୁ ରହିଛି। ମାତ୍ର ଟମାଟୋ ଫ୍ଲୁ ଏବେ ନୂଆ ନୂଆ ଚିହ୍ନଟ ହୋଇଛି। ଏଥିରେ ଶିଶୁକୁ ଭୀଷଣ ଜ୍ବର ହେବା ସହିତ ଦେହହାତ କୁଣ୍ଡାଇ ହେବା, ଡିହାଇଡ୍ରେସନ୍ ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ମାତ୍ର କେଉଁ ଭୂତାଣୁ ଯୋଗୁଁ ଏହା ହେଉଛି ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ। ତେଣୁ ନମୁନାର ଜିନୋମ ସିକ୍ବେନ୍ସିଂ କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ବର୍ତମାନସୁଦ୍ଧା ଏହା ଦେଖିବାକୁ ମିଳିନାହିଁ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର