କୋରେଇରେ ଟମାଟୋ ଫ୍ଲୁ!

କୋରେଇ : କୋରେଇ ବ୍ଲକ୍‌ରେ ଏବେ ‘ଟମାଟୋ ଫ୍ଲୁ’ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ଦିନକୁଦିନ ବହୁ ଶିଶୁ ଏପରି ଏକ ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି। ହେଲେ ଜିଲ୍ଲା ବା ବ୍ଲକ୍ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ। କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଶଙ୍ଖଚିଲା, ମସୁଦପୁର, ପାଣିକୋଇଲି, ବରୁଣ୍ତାଇ ଆଦି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବ୍ୟାସନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏପରି ବହୁ ଆକ୍ରାନ୍ତ ଶିଶୁ ଆସୁଛନ୍ତି। ସେମାନଙ୍କ ଦେହରେ ଫୋଟକା ହେବା ସହ ଦେହ କୁଣ୍ତାଇ ହେବା, ଜ୍ବର ହେବା ଓ ବାନ୍ତି ହେଉଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଏବେ ସ୍କୁଲ୍‌ ବନ୍ଦ ରହିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲା ରହିଛି। ସ୍କୁଲ୍‌ ଯାଉଥିବା ପିଲାଙ୍କ ମଧ୍ୟରେ ଏହା ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏସମ୍ପର୍କରେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ଜ୍ୟୋତିପ୍ରକାଶ ସାମଲଙ୍କୁ ପଚାରିବାରୁ, ଏନେଇ ସ୍ପଷ୍ଟ ହୋଇନଥିବା କହିବା ସହ ଟମାଟୋ ଫ୍ଲୁ ଏକ ସଂକ୍ରମଣ ରୋଗ। ଏବେ ରାଜ୍ୟର କାଁଭାଁ ସ୍ଥାନରେ ଏପରି ଅଭିଯୋଗ ହେଉଛି ଓ ସ୍ବାସ୍ଥ୍ୟବିଭାଗ ସେତିପ୍ରତି ସତର୍କ ରହିଛି ବୋଲି କହିଛନ୍ତି। ଏନେଇ ବରୁଣ୍ତାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ହିମାଂଶୁ କୁମାର କୁହନ୍ତି ଯେ, ଟମାଟୋ ଫ୍ଲୁ ଏକ ସାଧାରଣ ଫ୍ଲୁ ଓ ଏହା ୪ରୁ ୫ ଦିନ ମଧ୍ୟରେ କମିଯାଇଥାଏ। ଏନେଇ ସ୍ବତନ୍ତ୍ର ଔଷଧ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କୌଣସି ନିର୍ଦେଶ ଦେଇନାହିଁ। ସାଧାରଣ ଜ୍ବର ବା ଥଣ୍ତା ପାଇଁ ବ୍ୟବହାର ହେଉଥିବା ଔଷଧରେ ହିଁ ଏହା ଭଲ ହେଉଥିବା ଦେଖିବାକୁ ମିଳୁଛି ବୋଲି ଶ୍ରୀ କୁମାର କହିଛନ୍ତି। ତେବେ ଶୀଘ୍ର ଟମାଟୋ ଫ୍ଲୁ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ପ୍ରତି ଗ୍ରମାରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଶିଶୁମାନଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯିବ ବୋଲି କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର