ସମ୍ବଲପୁର: ବିଭିନ୍ନ ସାମଗ୍ରୀର ଦରଦାମ୍ ହୁହୁ ହୋଇ ବଢ଼ୁଥିଲାବେଳେ ଏଥିରେ ସାମିଲ ହୋଇଛି ଆଉ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ସମସ୍ତଙ୍କ ପ୍ରିୟ ପରିବା ପାତଲଘଁଟା (ଟମାଟୋ/ବିଲାତି) ଦର ଏବେ ୭୦ ଛୁଇଁଲାଣି। ଶୁକ୍ରବାର ସମ୍ବଲପୁର ବଜାରରେ ଟମାଟୋ ଦର ପ୍ରାୟ ସବୁ ଆଡ଼େ କେଜି ପ୍ରତି ୬୦ ଟଙ୍କା ରହିଥିଲା। ଧନୁପାଲିରୁ ନେଇ ଅଇଁଠାପାଲି ପର୍ଯ୍ୟନ୍ତ ଜୁଆଡ଼େ ପଚାରିଲେ ୬୦। କେହିକେହି ଲାଭଖୋର ବ୍ୟବସାୟୀ ଭଲ ମାନର ଟମାଟୋକୁ ୭୦, ୮୦ ବି କହୁଥିଲେ। କିନ୍ତୁ ଟମାଟୋ ଏଭଳି ଏକ ପରିବା ଯାହା ନହେଲେ ନଚଳେ। ସବୁ ପରିବାରରେ ଏହା ଅତ୍ୟାବଶ୍ୟକ। ସବୁ ତରକାରିରେ ଲୋଡ଼ା। ଖରାଦିନେ ପଖାଳା ସାଂଗକୁ ଟମାଟୋ ଭଜା ବା ପୋଡ଼ା ସାଧାରଣ ଓ ଗରିବ ଲୋକଙ୍କ ପାଇଁ ବି ଅତି ଜରୁରି। ଏଭଳି ସ୍ଥିତିରେ ମେ’ ଆରମ୍ଭରୁ ୬୦ ଟଙ୍କା ଦେଇ ଟମାଟୋ କିଣିବା ଲୋକଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଏପ୍ରିଲ୍ ଶେଷ ସପ୍ତାହରୁ ଏହି ଦରବୃଦ୍ଧି ଆରମ୍ଭ ହୋଇଛି। ଖରା ବଢ଼ିବା ସହ ଆଗକୁ ଏହା ଆହୁରି ବଢ଼ିବ ବୋଲି କହାଯାଉଛି। ମେ’ ଶେଷ ବେଳକୁ ଏହା ୧୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ବ୍ୟବସାୟୀ ମାନେ ଖୋଲାଖୋଲି କହୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖରା ଦିନେ ଟମାଟୋ ଦାମ୍ ପ୍ରତି ବର୍ଷ ବଢ଼ିଥାଏ। ତେବେ ଏହା ଅଧିକାଂଶ ସମୟ ୪୦ରେ ରହିଥାଏ। ଶେଷ ବେଳକୁ କେବେ କେମିତି ୫୦ରୁ ୬୦ ପର୍ଯ୍ୟନ୍ତ ଯାଇଥାଏ। ହେଲେ ଏଥର ଏବେଠୁ ଏହାର ଦର ୬୦ ଛୁଇଁବା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଟମାଟୋ ସହିତ ପ୍ରାୟ ସବୁ ପରିବା ର ଦାମ୍ ଅଧିକ ଥିବାରୁ ଲୋକଙ୍କ ପକେଟ୍କୁ ବାଧୁଛି। ବର୍ତ୍ତମାନ ସମ୍ବଲପୁର ବଜାରକୁ ମୁଖ୍ୟତଃ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଟମାଟୋ ଆସୁଛି। କିଛି ପରିମାଣରେ ସ୍ଥାନୀୟ ଚାଷୀ ବି ଉତ୍ପାଦନ କରୁଛନ୍ତି। ଭିତିରି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯୋଗାଣରେ ବିଶେଷ ସମସ୍ୟା ନାହିଁ। ଯଥେଷ୍ଟ ପରିମାଣର ମାଲ୍ ଆସୁଛି। ହେଲେ ସବୁ ସ୍ତରରେ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି କାରଣରୁ ଏହାର ଦାମ୍ ଅହେତୁକ ବୃଦ୍ଧି ପାଇଛି। ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁଯାୟୀ ସମ୍ବଲପୁର ପରିବା ମଣ୍ଡିରେ ଶୁକ୍ରବାର ଟମାଟୋ ୨୫ କେଜିଆ ପେଟି ପିଛା ଦର ୧୦୦୦ରୁ ୧୧୦୦ ଟଙ୍କା ଥିଲା। ପ୍ରତି ପେଟିରେ ୨ରୁ ୩ କେଜି ପର୍ଯ୍ୟନ୍ତ ଖରାପ ବାହାରିଥାଏ। ତେଣୁ ଖୁଚୁରା ବେପାରୀଙ୍କୁ କେଜି ପିଛା ପ୍ରାୟ ୫୦ ଟଙ୍କା ପର୍ଯ୍ୟନ୍ତ ପଡ଼ି ଯାଉଛି। ତେଣୁ ୧୦ ଟଙ୍କା ଲାଭ ରଖି ସେମାନେ ୬୦ରେ ବିକ୍ରି କରୁଛନ୍ତି। ଦ୍ବିତୀୟ ମାନର ଟମାଟୋ ୫୦ ଟଙ୍କାରେ ବି ବିକ୍ରି ହେଉଛି ବୋଲି କହିଥିଲେ। ଆଗାମୀ ଦିନରେ ଏହି ଦାମ ଆହୁରି ବଢ଼ିବ ବୋଲି ପ୍ରାୟ ସବୁ ବେପାରି କହିଥିଲେ।
ତେବେ ଟମାଟୋର ଅହେତୁକ ଦରବୃଦ୍ଧି ସତ୍ତ୍ବେ ଚାଷୀଙ୍କୁ ଏହାର ଉଚିତ ମୂଲ୍ୟ ମିଳୁ ନାହିଁ। ଟମାଟୋ ଯୋଗାଉ ଥିବା ସମ୍ବଲପୁର ଜିଲ୍ଲାର ହାତଗଣତି ଚାଷୀଙ୍କ କହିବା ଅନୁଯାୟୀ ସେମାନଙ୍କୁ ଏବେ କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଦିଆଯାଉଛି। ତାହେଲେ ଦୁଇଗୁଣରୁ ଅଧିକ ଦାମ୍ରେ କାହିଁକି ଓ କେଉଁ କାରଣରୁ ଏହା ବିକ୍ରି ହେଉଛି ସେ ସଂପର୍କରେ ଯୋଗାଣ ବିଭାଗ ଅନୁଧ୍ୟାନ କରିିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ସବୁ ଜିନିଷର ଦରଦାମ ବେଲଗାମ ଭାବେ ବଢ଼ୁଥିବାରୁ ନିୟନ୍ତ୍ରଣ ନଥିବା ସାମଗ୍ରୀ ଗୁଡ଼ିକର ଦାମ୍ ଉପରେ ଯୋଗାଣ ବିଭାଗ ନଜର ରଖିବାକୁ ଦାବି ହେଉଛି।