ଦେବଗଡ଼/ବଡ଼ବିଲ: ଓଡ଼ିଶାରେ ତାମିଲ ଶାସନ ଚାଲିଛି। ବିଜେଡିରେ ଥିବା ଜଣେ ତାମିଲ ନେତା ଭି‌.କେ. ପାଣ୍ଡିଆନ ରାଜ୍ୟ ଶାସନ କରୁଛନ୍ତି। ତାଙ୍କ ବିନା ଅନୁମତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଣିଗ୍ଲାସଟିଏ ଛୁଅନ୍ତି ନାହିଁ। ଓଡ଼ିଶାରେ ବିଜେପି ପାଇଁ ନିର୍ବାଚନ ପ୍ରଚାରକୁ ଆସିଥିବା ଅବସରରେ ଏହିଭଳି ଟିପ୍ପଣୀ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଶ୍ରୀ ବିଶ୍ବଶର୍ମା ଆଜି ଦେବଗଡ଼ରେ ସମ୍ବଲପୁରର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ବିଜେପିକୁ ବହୁମତ ଦେବାପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଶୋଭାଯାତ୍ରା ଗୋପାଳଜୀଉ ମନ୍ଦିରରୁ ବାହାରି ଷ୍ଟେଟବ୍ୟାଙ୍କ ଛକ, ଗୋପବନ୍ଧୁ ଛକ, ପ୍ରାଇଭେଟ ବସଷ୍ଟାଣ୍ଡ, ମ୍ୟୁନ୍‌ସିପାଲଟି, ବରୋଦା ବ୍ୟାଙ୍କ ଛକ, ଗଣେଶ ଛକ, ଗୁରୁସାହି ଦେଇ ଶାସନ ସାହି ଛକରେ ପହଞ୍ଚିଥିଲା। ତେବେ ଅନ୍ୟସ୍ଥାନରେ କାର୍ଯ୍ୟକ୍ରମ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ବରୋଦା ବ୍ୟାଙ୍କ ଛକରୁ ଚାଲିଯାଇଥିଲେ।

Advertisment

ଦେବଗଡ଼, କେନ୍ଦୁଝର, କଟକରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ଚୌଦ୍ବାର କାର୍ଯ୍ୟକ୍ରମ ବାତିଲ୍‌

ଏହାପରେ ଶ୍ରୀ ବିଶ୍ବଶର୍ମା ହେଲିକପ୍ଟର ଯୋଗେ ଆସି କେନ୍ଦୁଝରର ଟଣ୍ଟୋ ଉଡ଼ାଜାହାଜ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ବଡ଼ବିଲ ବିକାଶ ମହଲ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାକୁ ଆସିଥିଲେ। ଶାସକ ଦଳ ବିଜେଡି ବିରୋଧରେ ବର୍ଷିବା ସହ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ବଖାଣିଥିଲେ। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ରାମମନ୍ଦିର ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଦେଶବାସୀଙ୍କ ଉଜ୍ବଳ ଭବିଷ୍ୟତ ଗଢ଼ିବା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେବେ ବୋଲି କହିଥିଲେ। ଚମ୍ପୁଆର ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ, ବଡ଼ବିଲର ପୂର୍ବତନ ପୌରାଧ୍ୟକ୍ଷ ଦିଲୀପ ମିଶ୍ର, ଯୋଡ଼ାର ପୂର୍ବତନ ପୌରାଧ୍ୟକ୍ଷ ରବୀନ୍ଦ୍ର କୁମାର ଦାସ, ଦେବପ୍ରକାଶ ମିଶ୍ର, ମୋହନ କର, ଶ୍ରୀନିବାସ କୋନାର, ସୁନୀଲ ଦାସ, ବ୍ରଜକିଶୋର ସାହୁ, ଶ୍ରଦ୍ଧାଞ୍ଜଳି କର, ସ୍ୱପ୍ନାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ବିଜେପିର ଷ୍ଟାର୍ ପ୍ରଚାରକ ଶ୍ରୀ ବିଶ୍ବଶର୍ମା କଟକ ଲୋକସଭା ଅନ୍ତର୍ଗତ ଦୁଇଟି ସ୍ଥାନରେ ଆୟୋଜିତ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ବଡ଼ମ୍ବାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବଡ଼ମ୍ବା ବିଧାନସଭା ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଥିଲେ। ଚୌଦ୍ବାର କପାଳେଶ୍ବର ପଡ଼ିଆରେ ହିମନ୍ତ ବିଶ୍ବଶର୍ମାଙ୍କ କାର୍ଯ୍ୟକ୍ରମ ଥିଲେ ବି ହେଲିକପ୍ଟର ସମସ୍ୟା ଯୋଗୁଁ ‌ତାହା ଶେଷ ମୁହୂର୍ତ୍ତରେ ବାତିଲ ହେଇଯାଇଥିଲା।