ଜଳେଶ୍ୱର: ବଜାରରେ ବିଲାତି (ଟମାଟୋ) ଦର ବଢ଼ିଲେ ତାହା ଖବର ଶିରୋନାମା ପାଲଟିଯାଉଛି। ଅଥଚ ବିଲାତିର ପ୍ରଚୁର ଉତ୍ପାଦନ ସମୟରେ ଚାଷୀମାନେ ଅସହାୟ ହୋଇ ପଡ଼ୁଛନ୍ତି। ଶୀତଳଭଣ୍ଡାରର ଅଭାବ ହେଉ ବା ବଜାରରେ ଚାହିଦା ନଥିବା କାରଣରୁ ହେଉ; ବେପାରୀମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଅଭାବୀ ବିକ୍ରିର ଶିକାର ହୋଇ ଚାଷୀ ଉତ୍ପାଦିତ ବିଲାତିକୁ ମାତ୍ର ୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି।
ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ସୁବର୍ଣ୍ଣରେଖା ନଦୀତଟରେ ରହିଛି ମାକିଡ଼ିଆ ପଞ୍ଚାୟତ। ଉର୍ବର ମାଟି ଯୋଗୁଁ ମାକିଡ଼ିଆ ଓ କୁଆଁରପୁର ଗାଁରେ ପ୍ରତିବର୍ଷ ବହୁଳ ପରିମାଣରେ ପନିପରିବା ଚାଷ ସହିତ ବିଲାତି ଚାଷ କରାଯାଏ। ଏହି ଦୁଇ ଗାଁ’ରେ ଏଥର ୩୦୦ ଏକରରୁ ଊର୍ଦ୍ଧ୍ବ ଜମିରେ ବିଲାତି ଚାଷ ହୋଇଛି। ଅନୁକୂଳ ପାଗ ଯୋଗୁଁ ଗଛରେ ଭଲ ଫଳ ମଧ୍ୟ ଫଳିଛି। ଚାଷୀମାନେ ଭାବିଥିଲେ, ଏଥର ଅମଳ କରି ଭଲ ଦି’ ପଇସା ରୋଜଗାର କରିବେ। ହେଲେ, ସେମାନଙ୍କର ସବୁ ଆଶା ମଉଳିଯାଇଛି। ଦେଢ଼ ସପ୍ତାହ ତଳେ ବିଲାତି ଅମଳ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ବେପାରୀମାନେ କିଲୋ ପିଛା ୨୦ ଟଙ୍କା ଦରରେ କିଣି ନେଇଥିଲେ। ହେଲେ ଦିନ କେଇଟାରେ ସ୍ଥିତି ବଦଳିଯାଇଛି।

Advertisment

ଗୋଟିଏପଟେ ବାହାର ରାଜ୍ୟରୁ ବିଶେଷ କରି ପଶ୍ଚିମବଙ୍ଗରୁ ଦେଖିବାକୁ ସୁନ୍ଦର ଓ ମନଲୋଭା ବିଲାତି ଆମଦାନି ହେଉଛି। ଅନ୍ୟପଟେ ବଜାରରେ ଦେଶୀ ବିଲାତିର ବିଶେଷ ଚାହିଦା ନାହିଁ। ତେଣୁ ବେପାରୀମାନେ ଚାଷୀଙ୍କୁ କିଲୋ ପିଛା ମାତ୍ର ୫ ଟଙ୍କା ଦେଉଛନ୍ତି। କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ଅମଳ ବିଲାତି ପଡ଼ି ରହିଥିବାରୁ କମ୍‌ ଦର ହେଉ ପଛେ, ଚାଷୀମାନେ ବାଧ୍ୟ ହୋଇ ନତୁବା ଯାଚିକି ବିକି ଦେଉଛନ୍ତି। ତେବେ ବିଡ଼ମ୍ବନାର ବିଷୟ ହେଉଛି, ବେପାରୀମାନେ ୫ ଟଙ୍କାରେ ବିଲାତି କିଣି ବଜାରରେ ଖାଉଟିଙ୍କୁ ୧୫ରୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଗୋଟିଏ ଏକର ବିଲାତି ଚାଷ ପାଇଁ ୩୫ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ ଚାଷୀମାନେ ମୂଳ ଟଙ୍କା ମଧ୍ୟ ଫେରି ପାଉନାହାନ୍ତି। ସରକାର ଏ ଦିଗରେ ଦୃଷ୍ଟି ଦେଇ ସ୍ଥାନୀୟ ଅଞ୍ଚଳରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଚାଷୀ ଗଣେଶ୍ବର ଦାସ, ରମାପଦ କୁଇଲା, ପ୍ରବୋଧ କୁଇଲା, ଜଗନ୍ନାଥ ଦାସ ପ୍ରମୁଖ ନିବେଦନ କରିଛନ୍ତି।