ଭୁବନେଶ୍ବର (ମହେନ୍ଦ୍ର ସାହୁ): ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପରିଚାଳନାଗତ ତ୍ରୁଟି ନେଇ ଅନେକ ସମୟରେ ଅଭିଯୋଗ ଆସୁଛି। ବିଗତ ଦିନରେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିବା, ‌ଭୋଜନ ଖାଇ ପିଲାମାନେ ଅସୁସ୍ଥ ହେବା, ନିମ୍ନମାନର ଖାଦ୍ୟ ପରଷା ଯିବା ନେଇ ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଅନେକ ସମୟରେ କହିଥାନ୍ତି ଯେ, ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ସୂତ୍ରରୁ ମିଳୁଥିବା ଟଙ୍କା ଆବଶ୍ୟକତା ଠାରୁ ବହୁତ କମ୍‌। ସମସ୍ୟାର ସମାଧାନ ପାଇଁ ବିକଳ୍ପ ଚିନ୍ତା କରାଯାଇଥାଏ। ଦରକାର ପଡ଼ିଲେ ନିଜ ହାତରୁ କିଛି ଅର୍ଥ ମିଶାଇ ଅଥବା ପରିଶ୍ରମ କରି ମଧ୍ୟାହ୍ନ ଭୋଜନ ଗୁଣବତ୍ତାକୁ ଭଲ କରିବାକୁ ଉଦ୍ୟମ କରାଯାଇଥାଏ ବୋଲି ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଓ ନବୀନ ବେହେରା କହନ୍ତି। ସହଯୋଗୀ ଶିକ୍ଷକଙ୍କ ମାଧ୍ୟମରେ ଉଭୟ ଶ୍ରୀ ସାହୁ ଓ ଶ୍ରୀ ବେହେରା ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ପରିସରରେ ପନିପରିବା ଫଳାଇ ପାରିଛନ୍ତି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ରହିଛି ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ୨୦୧୬ରୁ ଶିକ୍ଷକ ଅଛନ୍ତି ଲକ୍ଷ୍ମୀନାରାୟଣ ସାହୁ। ୨୦୨୧ରୁ ତାଙ୍କ ହାତରେ ପ୍ରଧାନଶିକ୍ଷକ ଦାୟିତ୍ବ ରହିଛି। ବିଦ୍ୟାଳୟରେ ପନିପରିବା ଚାଷ କରିବାକୁ ସ୍ବତନ୍ତ୍ର ଜାଗା ନାହିଁ। କିନ୍ତୁ ଛୋଟ ପରିସର ମଧ୍ୟରେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁଙ୍କ ଉଦ୍ୟମରେ ଟମାଟୋ, ବାଇଗଣ, ସଜନା, ଅମୃତଭଣ୍ଡା, କଦଳୀ, ଲଙ୍କା ଆଦି କିଛି ପନିପରିବା ଅମଳ ହୋଇ ପାରୁଛି। ଏହି ପରିବାକୁ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରାଯାଇଥାଏ। ଗତ ୩ ତାରିଖ ଦିନ ସ୍କୁଲ ପରିସରରୁ ଗୋଟିଏ ଗଛରୁ ପ୍ରାୟ ଦେଢ଼ କିଲୋ ଟମାଟୋ ସଂଗୃହୀତ ହୋଇଥିଲା।

publive-image

କିଛି ମାସ ହେଲା ଟମାଟୋ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକ ଟମାଟୋ କିଣିପାରୁ ନାହାନ୍ତି। ମଧ୍ୟବତ୍ତି ଶ୍ରେଣୀର ଲୋକେ ଅତି ଆବଶ୍ୟକ କରୁଥିଲେ ୨୫୦ ଗ୍ରାମ୍‌ କିଣୁଛନ୍ତି। ଧନୀ ଶ୍ରେଣୀର ଲୋକେ ମଧ୍ୟ ୧୬୦ରୁ ୨୦୦ ଟଙ୍କା ଦେଇ ଟମାଟୋ କିଣିବାକୁ ଚାହୁଁ ନାହାନ୍ତି। ଦେଶରେ ଟମାଟୋ ସଂକଟ ଥିବା ବେଳେ ବିଦ୍ୟାଳୟ ପରିସରରୁ ଏହା ମିଳୁଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି। 

publive-image

ଶ୍ରୀ ସାହୁ କହିଛନ୍ତି, ୧୯୯୧ରେ କାନପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲି। ୫୨ ବର୍ଷ ବୟସରେ ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଇବା, ସ୍କୁଲର ଅନ୍ୟ କାମ କରିବା ସହିତ ସ୍ପଳ୍ପ ସ୍ଥାନରେ ଫୁଲଗଛ ପାଖରେ ଖାଲିଥିବା ସ୍ଥାନରେ ବାଇଗଣ, ଲଙ୍କା, ଭେଣ୍ଡି, ଟମାଟୋ ଗଛ ଲଗାଇବାକୁ ଭଲ ପାଏ। ବିଦ୍ୟାଳୟରେ ସଜନା ଓ କଦଳୀ ଗଛ ମଧ୍ୟ ଲାଗିଛି। ମଧ୍ୟାହ୍ନ ଭୋଜନ ପାଇଁ ପନିପରିବା ଉତ୍ପାଦନ କରିବାରେ ଅନ୍ୟ ୪ ଜଣ ଶିକ୍ଷକ ମଧ୍ୟ ସହଯୋଗ କରିଥାନ୍ତି। ସେହିପରି ଅବସର ସମୟରେ ଛାତ୍ରଛାତ୍ରୀମାନେ ମଧ୍ୟ ବଗିଚାରେ କାମ କରିଥାନ୍ତି। ଏବେ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମୋଟ୍‌ ୧୭୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

publive-image

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଧୀନ ଗରଗଡ଼ବାହାଲ ଗାଁରେ ରହିଛି ଲୋକନାଥ ବାବା ହାଇସ୍କୁଲ। ଏହି ସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ପଢ଼ନ୍ତି ୯୩ ଜଣ ଛାତ୍ରଛାତ୍ରୀ। ଏମାନଙ୍କୁ ପାଠ ପଢ଼ାନ୍ତି ୭ ଜଣ ଶିକ୍ଷକ। ଏଠାରେ ଥିବା ୧୦୦ ଆସନ ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରାବାସରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୮୬ ଜଣ ଛାତ୍ର ରୁହନ୍ତି। ଏହି ଛାତ୍ରାବାସକୁ ପରିଚାଳନା କରନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ ବେହେରା। ଶ୍ରୀ ବେହେରା କୁହନ୍ତି ପ୍ରତିବର୍ଷ ବିଦ୍ୟାଳୟ ପରିସରରେ କିଛି ପରିବା ଚାଷ କରାଯାଉଛି। ଏହା ମଧ୍ୟାହ୍ନ ଓ ରାତ୍ରି ଭୋଜନ ପାଇଁ ପ୍ରସ୍ତୁତ କରାଯାଉଥିବା ତରକାରୀରେ ବ୍ୟବହାର ହୋଇଥାଏ। ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ କୌଣସି ପରିବା ଅମଳ ହୋଇପାରି ନାହିଁ। କିନ୍ତୁ କଲରା, ଝୁଣୁଙ୍ଗ, ଜହ୍ନି, ଭେଣ୍ଡି ଚାଷ କରାଯାଇଛି। କିଛି ଦିନ ପରେ ଏହି ସବୁ ପରିବା ମିଳିବ। କରୋନା ପୂର୍ବରୁ ବିଦ୍ୟାଳୟ ପରିସରରେ ପ୍ରଚୁର ପନିପରିବା କରାଯାଉଥିଲା। ସେହି ସମୟରେ ଛାତ୍ରାବାସରେ ରୋଷେଇ ପାଇଁ ବଜାରରୁ କମ୍‌ ପରିମାଣରେ ପନିପରିବା କିଣିବାକୁ ପଡୁଥିଲା। ସେପ୍ଟେମ୍ବର ମାସ ହେଲେ ପ୍ରତିବର୍ଷ ବିଦ୍ୟାଳୟର ଫୁଲ ବଗିଚା ପାଇଁ କାମ ଆରମ୍ଭ ହୋଇଯାଇଥାଏ।