ଭୁବନେଶ୍ବର: ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ‘ସମ୍ବାଦ’ ସଂପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ପଦରୁ ଆଜି ଅବ୍ୟାହତି ନେଇଛନ୍ତି। ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ତନୟା ପଟ୍ଟନାୟକ ‘ସମ୍ବାଦ’ର ନୂତନ ସଂପାଦକ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
‘ସମ୍ବାଦ’ର ନୂତନ ସଂପାଦିକା ତଥା ସୌମ୍ୟରଂଜନ ପଟ୍ଟନାୟକଙ୍କ କନିଷ୍ଠା କନ୍ୟା ତନୟା ପଟ୍ଟନାୟକ ଓଡ଼ିଶାର ଗଣମାଧ୍ୟମ ପରିସର ସହ ଓତପ୍ରୋତ ଭାବେ ଜଡ଼ିତ। ବିଦେଶରୁ ପାଠପଢ଼ି ଫେରିବା ପରେ ପ୍ରାୟ ଦେଢ଼ ଦଶନ୍ଧି ତଳେ ସେ ଇଷ୍ଟର୍ଣ୍ଣ ମିଡିଆ ପରିଚାଳିତ ରାଜ୍ୟର ପ୍ରଥମ ଘରୋଇ ଏଫ୍ଏମ୍ ଷ୍ଟେସନ୍ ‘ରେଡିଓ ଚକଲେଟ୍’ର ଦାୟିତ୍ବ ବହନ କରି ଗଣମାଧ୍ୟମ କ୍ଷେତ୍ରରେ ପ୍ରବେଶ କରିଥିଲେ। ତାଙ୍କ ନେତୃତ୍ବରେ ‘ରେଡିଓ ଚକଲେଟ୍’ ରାଜ୍ୟର ସବୁଠାରୁ ଲୋକପ୍ରିୟ ଏଫଏମ୍ ଚାନେଲ୍ର ମାନ୍ୟତା ଲାଭ କରିଥିଲା। ଏହାପରେ ସେ ଇଲେକଟ୍ରେନିକ ଗଣମାଧ୍ୟମ କ୍ଷେତ୍ରରେ ପାଦ ରଖି ସଫଳତା ଅର୍ଜନ କରିଛନ୍ତି। ପାଖାପାଖି ଏକ ଦଶକ ଧରି ସେ ‘ସମ୍ବାଦ’ ଗ୍ରୁପ୍ ପରିଚାଳିତ ୨୪ ଘଣ୍ଟିଆ ନ୍ୟୁଜ୍ ଚାନେଲ୍ ‘କନକ ନ୍ୟୁଜ୍’ର ମଙ୍ଗ ଧରି ଆସିଛନ୍ତି । ଏହାର ସଂପାଦକୀୟ ନୀତି ନିର୍ଦ୍ଧାରଣ ସାଙ୍ଗକୁ ପରିଚାଳନାରେ ଶୀର୍ଷ ଭୂମିକାରେ ଅଛନ୍ତି ତନୟା।
ଏଥିସହ ଓଡ଼ିଶାରେ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ତାଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ‘ସମ୍ବାଦ ଡିଜିଟାଲ୍’ର ଦିଗଦର୍ଶକ ଭାବେ ସେ ନ୍ୟୁଜ୍ ପୋର୍ଟାଲ୍ ଜରିଆରେ ଓଡ଼ିଆ ଭାଷାରେ ଖବର ପରିବେଷଣକୁ ବ୍ୟାପକ କରିବା ସହ ଫେସବୁକ୍, ଏକ୍ସ ( ପୂର୍ବରୁ ଟୁଇଟର୍) ଓ ୟୁଟ୍ୟୁବ୍ ଭଳି ସମାଜିକ ଗଣମାଧ୍ୟମରେ ଖବର ପ୍ରସାରଣକୁ ଗୁରୁତ୍ବାରୋପ କରିଥିଲେ। ଏହାଫଳରେ ତାଙ୍କ ମାର୍ଗଦର୍ଶନରେ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ‘ସମ୍ବାଦ’ ଅଗ୍ରଣୀ ସ୍ଥାନ ହାସଲ କରିଛି। ନିକଟରେ ତାଙ୍କ ମାନସପ୍ରସୂତ ଶ୍ରୀଜଗନ୍ନାଥଙ୍କ କାହାଣୀ ଆଧାରିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ରାଜ୍ୟରେ ଓ ରାଜ୍ୟ ବାହାରେ ବାରମ୍ବାର ପ୍ରଦର୍ଶିତ ହୋଇ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଛି। ତାଙ୍କର କାର୍ଯ୍ୟଧାରା ଓ ସଫଳତା ଲାଗି ସେ ଓଡ଼ିଶାର ମୁଦ୍ରିତ, ଟେଲିଭିଜନ୍ ଓ ଡିଜିଟାଲ୍ ଗଣମାଧ୍ୟମ ଏବଂ ମନୋରଂଜନ ଶିଳ୍ପ ପରିସରରେ ବେଶ୍ ପରିଚିତ ଓ ଚର୍ଚ୍ଚିତ।