ଲକ୍ଷ୍ମୀଧର ନାୟକ
ଧାମରା: ଗତକାଲି ମଧ୍ୟରାତ୍ରଠାରୁ ଭଦ୍ରକର ଧାମରା ଅଞ୍ଚଳରେ ବାତ୍ୟା ‘ଦାନା’ର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଓ ପବନର ବେଗ ବଢ଼ିବା ସହିତ ଗୁରୁବାର ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ସମୁଦ୍ର ଜୁଆର ଦେଢ଼ଫୁଟ୍ ବଢ଼ିଛି। ସମୁଦ୍ର ଅଶାନ୍ତ ରହିବା ସହିତ ତଟବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି। ସମୁଦ୍ର କୂଳଠାରୁ ୧୦୦ ମିଟର ଦୂରରେ ଥିବା ଧାମରା ବନ ବିଭାଗ ବିଟ୍ ହାଉସ ଜୁଆର ପାଣିରେ ବୁଡ଼ିରହିଛି। ଅନ୍ୟପଟେ ବାତ୍ୟାର ପ୍ରକୋପ ଦେଖି ଆଜି ଦିନ ୧୨ଟା ସୁଦ୍ଧା ୧୩ହଜାର ଏବଂ ସନ୍ଧ୍ୟା ସୁଦ୍ଧା ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
‘ଦାନା’ ଭିତରକନିକାଠାରୁ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିବା ପରେ ଧାମରା ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ରହିଛି। ଗତକାଲି ମଧ୍ୟରାତ୍ରଠାରୁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ବେଳେ ଆଜି ସକାଳଠାରୁ ତୁହାକୁତୁହା ବର୍ଷା ଓ ଜୋରରେ ପବନ ବହିବାରେ ଲାଗିଛି। ଗତକାଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ପ୍ରସ୍ତୁତି ସମୀକ୍ଷା କରିଥିଲେ। ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରିଥିଲେ। ସୂଚନା ଅନୁସାରେ, ଗତକାଲି ସୁଦ୍ଧା କେବଳ ଧାମରା ପଞ୍ଚାୟତ ଝାଡ଼କଟା ବାତ୍ୟା ଆଶ୍ରୟସ୍ଥଳ ଛଡ଼ା ଅନ୍ୟ କୌଣସି ବାତ୍ୟାସ୍ଥଳକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇନଥିଲା। ତେବେ ଆଜି ସକାଳୁ ପୁଲିସ ପ୍ରଶାସନ ଏବଂ ଏନ୍ଡିଆର୍ଏଫ୍ ଟିମ୍ ଲୋକମାନଙ୍କୁ ସ୍ଥାନାନ୍ତର କାମରେ ଲାଗିପଡ଼ିଥିଲେ। ଦିନ ୧୨ଟା ସୁଦ୍ଧା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଏବଂ ସ୍କୁଲଗୁଡ଼ିକରେ ପାଖାପାଖି ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
୧୦୦ ମିଟର ଯାଏ ମାଡ଼ିଆସିଲା ସମୁଦ୍ର
୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର
ତଟବର୍ତ୍ତୀ ଅଞ୍ଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନ
ଧାମରା ପଞ୍ଚାୟତର ଝାଡ଼କଟା, ଶଙ୍ଖେଯାଡ଼ି, ବାଭୁଆସାହି, ଗୋବିନ୍ଦପୁର, ଗୁଆଁଳ; ଜାଘୁଳା ପଞ୍ଚାୟତର ବଳଭଦ୍ରପ୍ରସାଦ, ନରସିଂହପୁର ଡିଆଁ, ଜୟଦୁର୍ଗାପାଟଣା, ପାଇକସାହି; ଝଳିଦୋସିଙ୍ଗା ପଞ୍ଚାୟତର ବିଦ୍ୟୁତ୍ପ୍ରଭା, ବାଲିସାହି, ଅମରନଗର, ରବିନ୍ଦ୍ରନଗର, ପ୍ରଦ୍ୟୁତନଗର, ଦୋସିଙ୍ଗା, ସମିପାଟିଆ; କଇଥଖୋଲା ପଞ୍ଚାୟତର କନକପ୍ରସାଦ, ଗୌରପ୍ରସାଦ, ଶରଦପ୍ରସାଦ ଏବଂ କରଞ୍ଜମାଳ ପଞ୍ଚାୟତର ସରସ୍ୱତୀ, ହୃଦୟପ୍ରସାଦ, କରଞ୍ଜମାଳ ଆଦି ଗ୍ରାମମାନଙ୍କରେ ଥିବା ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ନିଜେ ମନ୍ତ୍ରୀ ଶ୍ରୀ ସୂରଜ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରିଥିବାବେଳେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଅଧିକାରୀମାନେ ଆଜି ସକାଳେ ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ଅନ୍ୟପକ୍ଷରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଧାମରାରେ ପହଞ୍ଚି ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ଆଶ୍ୱାସନା ଦେଇଛନ୍ତି। ତେବେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ, ଏସ୍ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଧାମରାରେ ଯେଉଁଭଳି ଭାବେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି, ତାହା ସୂଚାଉଛି ଯେ ଏହି ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ସମସ୍ତଙ୍କ ଫୋକସ୍ରେ ରହିଛି।