ଟାଙ୍ଗୀ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଘଟଣା : ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯାଉ – ବିଜେପି

ଭୁବନେଶ୍ବର : ଟାଙ୍ଗୀ ଥାନା ଅଧୀନ ଜରିପଡ଼ା ପଞ୍ଚାୟତ ପାଣିଦୁଆର ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ଗତ ୧୭ ତାରିଖରେ ସ୍ଥାନୀୟ ଅଞ୍ଚଳର ଭିକାରୀ ବେହେରା ନାମକ ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ସେ ବିଜେଡି ନେତା‌ ହୋଇଥିବାରୁ ପୁଲିସ ତାକୁ ଗିରଫ ନକରି ଗତ ୧୨ ଦିନ ହେବ ସୁରକ୍ଷା ଦେଇ ଆସୁଥିଲା। ଘଟଣା ବିଷୟରେ ଜଣାପଡ଼ିବା ପରେ ବିଜେପିର ଏକ ପ୍ରତିନିଧିଦଳ ପୀଡ଼ିତାଙ୍କ ପରିବାରକୁ ଭେଟି ଟାଙ୍ଗୀ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ବିଜେପି ପକ୍ଷରୁ ଚାପ ପକାଯିବା ପରେ ପୁଲିସ ତାକୁ ଗିରଫ କରିଥିଲା। ହେଲେ ତାକୁ କୋହଳ ଦଫା ଲଗାଇ ଖସାଇବାର ଅନେକ ଆଶଙ୍କା ରହିଛି। ତେଣୁ ଅଭିଯୁକ୍ତକୁ ପୋକସୋ ଆକ୍ଟ ଲଗାଇବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ରାଜ୍ୟ ବିଜେପି ସମ୍ପାଦିକା‌ ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଗତ ୯ ବର୍ଷରେ ରାଜ୍ୟରେ ୧୬ ହଜାର ୫୯୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍‌ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଗୃହ ବିଭାଗ ଓ ପୁଲିସ ପ୍ରଶାସନ ଦୁଷ୍କର୍ମ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି। ଶାସକ ଦଳର ପୃଷ୍ଠପୋଷକତାରେ ରାଜ୍ୟରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର