ପ୍ରଶାସନ କଟକଣାକୁ ଅବମାନନା, ପୋଖରୀ ହୁଡ଼ାରେ ଆବର୍ଜନା କୁଣ୍ଡ ନିର୍ମାଣ 

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଓରବରସିଂହ ପଂଚାୟତର ହିରିମୂଳ ଗାଁରେ ଆବର୍ଜନା କୁଣ୍ଡ (ଡମ୍ପିଂୟାର୍ଡ) ନିର୍ମାଣ ପାଇଁ ପୂର୍ବ ପ୍ରସ୍ତାବିତ ସ୍ଥାନ ବଦଳରେ ପୋଖରୀ ହୁଡ଼ାରେ ଏହା ନିର୍ମାଣ କରାଯାଉଥିଲା । ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ପ୍ରଶାସନ ଏହାର ନିର୍ମାଣକୁ ବନ୍ଦ କରିଥିଲା, ବର୍ତମାନ ପୁଣିଥରେ ସେଠାରେ ନିର୍ମାଣ ଆରମ୍ଭ ହୋଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେବା ସହ ଏନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଆଜି ହିରିମୂଳ ଗ୍ରାମର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ର ନେଇ ଆସିଥିବା ଗ୍ରାମବାସୀ ରଘୁନାଥ ବଳିଆରସିଂହ, ନୀଳକଣ୍ଠ ସିଂହ, ରମେଶ ସ୍ୱାଇଁ, ରଙ୍କନିଧି ବଳିଆରସିଂହ, ଭରସ ସିଂହ, ସର୍ବେଶ୍ୱର ସିଂହ, ବେଣୁଧର ରାଉତରାୟ, ଅମୂଲ୍ୟ ମଙ୍ଗରାଜ ପ୍ରମୁଖଙ୍କ କହିବା କଥା ହେଲା, ବ୍ଲକ ପ୍ରଶାସନ ଡମ୍ପିଂୟାର୍ଡ ନିର୍ମାଣ କରିବାକୁ ଡିହଖଳା ମୌଜାର ଏକ ସରକାରୀ ଜାଗା ଚିହ୍ନଟ କରିଥିଲା । କିନ୍ତୁ ପରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚାପରେ ଏହାକୁ ହିରିମୂଳ ଗାଁ ପୋଖରୀ ହୁଡ଼ାରେ ଏହା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ପ୍ରତିବାଦରେ ଅପ୍ରିଲ୍ ୧୭ ତାରିଖରେ ବିଡିଓ ପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶାନୁସାରେ ପୋଖରୀ ହୁଡ଼ାରେ ଡମ୍ପିଂୟାର୍ଡ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା । ବର୍ତମାନ ପୁଣି ୧ ମାସ ନିରବତା ପରେ ଗତକାଲି ଠାରୁ ସେଠାରେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଆଜି ଜିଲ୍ଲାପାଳଙ୍କ ପୁଣିଥରେ ଦୃଷ୍ଟି ଆକର୍ଷଣ କରିଛୁ, ଯଦି ପ୍ରଶାସନ ନିର୍ମାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନନିଏ ତେବେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର