୬୦ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ମା’ଓ ଝିଅଙ୍କ ମୃତ୍ୟୁ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଦିନ ଗୋଟାଏ ସମୟରେ କୋଲକାତାରୁ ଗଞ୍ଜାମ ଅଭିମୁଖେ ଇଣ୍ଡିଆନ ଅଏଲର ଏକ ତେଲ ବୋଝେଇ ଟ୍ୟାଙ୍କର ( ଡବ୍ଲୁ ବି ୧୧ଇ ୩୫୧୮) ଯାଉଥିବା ସମୟରେ କଟିପୋଲ ନିକଟରେ ଭାରସାମ୍ୟ ହରାଇ ବାମପଟେ ଥିବା ନୟନଜୋଡିକୁ ଖସି ପଡ଼ିଥିଲା। ସେତେବେଳେ ରାସ୍ତାରେ ଯାଉଥିବା ଦୁଇ ଜଣ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ।ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ହେଲେ ବାହାର୍ଦା ପଞ୍ଚାୟତର ଗହୀରସିମୁଳିଆ ଗ୍ରାମର ମୁନୀ ଟୁଡୁ (୫୦) ଏବଂ ତାଙ୍କର ଝିଅ ଶାନ୍ତି ଟୁଡୁ (୧୨) ବୋଲି ଜଣାପଡ଼ିଛି।

ପୁଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରିଥିବା ଜାଣିବାକୁ ମିଳିଛି।  ରାଜପଥ ଉପରେ ପ୍ରତ୍ୟେକ ଦିନ ମଦ୍ୟପ ଚାଳକମାନେ ଗାଡ଼ି ଚଲାଉଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ଏବେ ଉଦ୍ଧାର କାର୍ଯ୍ୟରେ ଚାରିଟି କ୍ରେନ, ଫାୟାର ବିଭାଗ, ରାଜପଥ ଉଦ୍ଧାରକାରୀ ଦଳ ଲାଗିପଡ଼ିଛନ୍ତି। ପୁଲିସ ଉପସ୍ଥିତିରେ ମୃତ ମୁନି ଏବଂ ଶାନ୍ତିଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ବାହାର୍ଦା ପଞ୍ଚାୟତ ସରପଞ୍ଚ ପ୍ରତିମା ଦାସ, ନାଏବ ସରପଞ୍ଚ ପ୍ରତାପ ବେହେରା, ସମାଜସେବୀ ମହାଦେବ ଦାସ ଏବଂ ସମାଜସେବୀ ସୁବାସିନୀ ଜେନାଙ୍କ ଉପସ୍ଥିତିରେ ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ମୃତ ମୁନି ଓ ଶାନ୍ତିଙ୍କ ପରିବାରକୁ ରେଡକ୍ରସରୁ ୧୦ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

 

 

ସମ୍ବନ୍ଧିତ ଖବର