ବିଷମକଟକ/ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩୨୬ ନମ୍ବର ରାଜ୍ୟ ରାଜପଥରେ ଦୁଇଟି ବାଇକ୍ ଉପରେ ଟ୍ୟାଙ୍କର୍ ଚଢ଼ିଯିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶାଖାପାଟଣା ସ୍ଥାନାନ୍ତର ବେଳେ ରାସ୍ତାରେ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଛି। ମୃତକ ମୁନିଗୁଡ଼ା ଥାନା ଅନ୍ତର୍ଗତ କୁର୍ମାଯୋଡ଼ି ଗ୍ରାମର ନେପାଳ ବ୍ରେଡ଼େକା, ତେଲେଙ୍ଗାପଦର ପଞ୍ଚାୟତ ପଟାଙ୍ଗପଦର ଗ୍ରାମର ଚିମୁକି ଶିକକା ଏବଂ ଅମ୍ବାଦଳା ଥାନା ଅନ୍ତର୍ଗତ ଶିବପଦର ଗ୍ରାମର କାଳିଆ ସାହୁ ବୋଲି ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଟ୍ୟାଙ୍କର୍ ଓଡି-୧୭ଏନ୍-୫୨୯୨) ଝାରୁସୁଗୁଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଦୁଇଟି ବାଇକ୍‌ରେ ୩ଜଣ ରାୟଗଡ଼ାରୁ ନିଜନିଜ ଗାଁକୁ ଫେରୁଥିଲେ। ଗୋଟିଏ ବାଇକ୍ (ଓଡି-୧୮ଏଚ୍-୩୯୧୨)ରେ ନେପାଳ ବ୍ରେଡ଼େକା ଓ ଚିମୁକି ଶିକକା ଥିବାବେଳେ ଅନ୍ୟ ବାଇକ୍ (ଓଡି-୧୮ଏ-୪୩୩୫)ରେ କାଳିଆ ସାହୁ ଥିଲେ। ବୃନ୍ଦାବାଡ଼ି ନିକଟର ଟ୍ୟାଙ୍କର ଚାଳକ ନିୟନ୍ତ୍ରଣ ହରାଇବାରୁ ବାଇକ୍‌ ଗୁଡ଼ିକୁ ଧକ୍କା ଦେବାସହ ଉପରେ ଚଢ଼ିଯାଇଥିଲା। ଟ୍ୟାଙ୍କର୍ ତଳେ ଚାପି ହୋଇଯିବାରୁ ନେପାଳ ବ୍ରେଡ଼େକା ଓ ଚିମୁକି ଶିକକା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଟ୍ୟାଙ୍କର ଧକ୍କାରେ କାଳିଆ ସାହୁ ଗୁରୁତର ଆହତ ହୋଇଥିଲେ। କାଳିଆଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ବିଶାଖାପାଟଣା ସ୍ଥାନାନ୍ତର ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର୍ ଜବତ କରିବା ସହ ଗାଡ଼ି ଡ୍ରାଇଭର ଇମ୍ରାନ ଖାଁନଙ୍କୁ ଗରଫ କରିଛି। ଏନେଇ ବିଷମକଟକ ଥାନାରେ ମାମଲା ରୁଜୁ ହୋଇଛି, ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି। ବିଷମକଟକ ତହସିଲଦାର କେ. ଭେଙ୍କଟେଶ୍ୱର ରେଡ୍ଡି ମୃତକଙ୍କ ପରିବାରକୁ ଭେଟି ରେଡକ୍ରସ୍ ପାଣ୍ଠିରୁ ଦଶ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।