ନବରଙ୍ଗପୁର: ପାହାଡ଼ ଉପରେ ପାଣି ଟାଙ୍କି ରହିଛି। ତଳେ ଆମେ ରହୁଛୁ। ଟାଙ୍କିରୁ ନବରଙ୍ଗପୁର ସହରବାସୀଙ୍କୁ ଜଳ ଯୋଗାଣ ହେଉଛି। କିନ୍ତୁ ପାଣି ଟାଙ୍କି ତଳେ ଥିଲେ ମଧ୍ୟ ପଞ୍ଚାୟତ ଅଧୀନରେ ରହିଥିବାରୁ ମିଳୁନି ପିଇବା ପାଣି। ଫଳରେ ପାଣି ପାଇଁ ଡହଳବିକଳ ହେବାକୁ ପଡ଼ୁଛି। ବାରମ୍ବାର ଦାବି ପରେ ମଧ୍ୟ କେହି ଶୁଣୁନାହାନ୍ତି। ଏହାର ପ୍ରତିବାଦରେ ଗରା ଓ ହାଣ୍ଡି ଧରି ରାଜରାସ୍ତାକୁ ଓଲ୍ଲାଇ ନବରଙ୍ଗପୁର-ଜୟପୁର ବାଇପାସ୍ ରାସ୍ତା ଅବରୋଧ କରିଛନ୍ତି ମହିଳା। ପାଣି ସହ ନିମୟିତ ବିଦ୍ୟୁତ ସେବା ମଧ୍ୟ ମିଳୁନି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବୁ ନାହିଁ ବୋଲି ମହିଳାମାନେ ଚେତବାନୀ ଦେଇଛନ୍ତି।
ମହିଳାମାନଙ୍କ କହିବା ଅନୁଯାୟୀ, ନବରଙ୍ଗପୁର ସହର ଉପକଣ୍ଠସ୍ଥ ଅଗ୍ନିପୁର ପଞ୍ଚାୟତର ନୁଆ ହିର୍ଲି ଗ୍ରାମରେ ପ୍ରାୟ ୩୦ ବର୍ଷ ହେଲା ରହି ଆସୁଛୁ। ହିର୍ଲି ଡଙ୍ଗରୀ ପାହାଡ଼ ଉପରେ ପାଣି ଟାଙ୍କି ରହିଛି। ଏହି ପାଣି ଟାଙ୍କିରୁ ସହରବାସୀଙ୍କୁ ପାଣି ଯୋଗାଯାଉଛି। ତେବେ ଏହି ପାହାଡ଼ ତଳେ ରହିଥିଲେ ମଧ୍ୟ ଆମକୁ ପିଇବା ପାଣି ମିଳୁନି। ପୌରାପାଳିକା କିମ୍ବା ପଞ୍ଚାୟତ ପକ୍ଷରୁ ପାଣି ଯୋଗା ଯାଉନି। ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ନିକଟରେ ବହୁବାର ଦାବି କରି ଆସୁଛୁ। ତଥାପି କିଛି ସୁଫଳ ମିଳିଲା ନାହିଁ। ତେଣୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛୁ। ପାଣି ଯୋଗାଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବୁ ନାହିଁ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ସକାଳ ୮ଟାରୁ ରାସ୍ତା ଅବରୋଧ କରାଯିବାରୁ ଏହି ରାସ୍ତା ଦେଇ ନବରଙ୍ଗପୁର ଓ ଜୟପୁର ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଶେଷରେ ଆର୍ଡବ୍ଲୁଏସ୍ଏସ୍ ବିଭାଗ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଏହି ଅଞ୍ଚଳଟି ପଞ୍ଚାୟତରେ ରହିଥିବାରୁ ଟାଙ୍କିରୁ ପାଣି ଯୋଗାଣ ହୋଇପାରୁନି। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା ଜାରି ରହିଛି। ପାଣି ଯୋଗାଣ ପାଇଁ ପାଇପ୍ ଆଣି ଉକ୍ତ ଅଞ୍ଚଳରେ ରଖିବା ସହ ୧୦ ଦିନ ମଧ୍ୟରେ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ମହିଳାମାନେ ରାସ୍ତା ଅବରୋଧରୁ ହଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/ggjgjgjjg.jpg)