ଭୁବନେଶ୍ବର: ଆସନ୍ତା ୧୨ତାରିଖରୁ ଆରମ୍ଭ ହେଉଥିବା ତିନି ସପ୍ତାହବ୍ୟାପୀ ଅନ୍ତର୍ଜାତୀୟ ପରିଦର୍ଶକ ନେତୃତ୍ବ କାର୍ଯ୍ୟକ୍ରମ(ଆଇଭିଏଲ୍ପି)ରେ ଯୋଗଦେବା ଲାଗି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସଂପାଦକ ତନୟା ପଟ୍ଟନାୟକ ଆଜି ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କ ସହିତ ଏରିଆ ଏଗ୍ରିଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ସଂଯୁକ୍ତା ବଢେଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଭାରତର ମୋଟ ୭ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ପ୍ରକଳ୍ପର ବିଷୟବସ୍ତୁ ରହିଛି ‘ମହିଳା ଓ ଉଦ୍ୟୋଗୀ: ଷ୍ଟାର୍ଟଅପ୍’। ଏହି ପ୍ରକଳ୍ପ ଜରିଆରେ ଆମେରିକାରେ ମଧ୍ୟମ ସ୍ତରରେ ଥିବା ମହିଳା ଉଦ୍ୟୋଗୀମାନେ ଦେଶରେ ଚାଲିଥିବା ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ପାଇଁ କିଭଳି ନିଜର ବ୍ୟବସାୟକୁ ବୃଦ୍ଧି କରିବାରେ ସଫଳ ହୋଇପାରୁଛନ୍ତି ସେ ସଂପର୍କରେ ଶ୍ରୀମତୀ ପଟ୍ଟନାୟକ ଅନୁଧ୍ୟାନ କରିବେ। କେବଳ ସେତିକି ନୁହେଁ, ବହୁସ୍ତରୀୟ ମାର୍କେଟିଂ, ପ୍ରକଳ୍ପ ପରିଚାଳନା ରଣନୀତି, ଦଳ ଗଠନ, ସାମାଜିକ ଗଣମାଧ୍ୟମର ଭୂମିକା ଓ ବ୍ୟବସାୟ ବଢ଼ାଇବା ପାଇଁ ପାରମ୍ପରିକ ମାର୍କେଟିଂ ଚ୍ୟାନେଲ ସଂପର୍କରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ମହିଳା ଉଦ୍ୟୋଗ କ୍ଷେତ୍ରରେ ଆମେରିକା ଓ ଭାରତୀୟ ସଂଗଠନମାନଙ୍କ ଭିତରେ ସ୍ଥାୟୀ ସଂପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଇଛି। ୧୯୪୦ ମସିହାରୁ ଆମେରିକାର ଆଇଭିଏଲ୍ପି କାର୍ଯ୍ୟକ୍ରମ ଜାରି ରହିଛି। ବୈଦେଶିକ ନେତୃବୃନ୍ଦଙ୍କ ସହିତ ଆମେରିକାର ବର୍ତ୍ତମାନର ନେତୃତ୍ବଙ୍କ ସହ ସଂପର୍କ ସ୍ଥାପନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏ ଯାଏ ୧.୩ଲକ୍ଷ ଅନ୍ତର୍ଜାତୀୟ ପରିଦର୍ଶକ ଏଥିରେ ସାମିଲ ହୋଇସାରିଛନ୍ତି। ତହିଁରେ ୩ଶହ ଜଣ ବର୍ତ୍ତମାନ ଓ ପୂର୍ବତନ ରାଷ୍ଟ୍ର ମୁଖ୍ୟ ରହିଛନ୍ତି। ପୂର୍ବରୁ ଭାରତର ବହୁ ସାମାଜିକ ସଂଗଠନ, ଗଣମାଧ୍ୟମ, ବ୍ୟାବସାୟିକ ପ୍ରତିଷ୍ଠାନ, ରାଜନୀତି, କଳା ଓ ସରକାରୀ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/cb14enpWrczkVnljiede.jpg)