ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ବର୍ତ୍ତମାନସୁଦ୍ଧା ୧୩,୯୩୦ ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ୪,୭୭,୫୩୭ଟି ନଳକୂପ ସ୍ଥାପନ କରାଯାଇଛି। ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୫୭ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

Advertisment

ଆଜି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ୨୦୨୩-୨୪ ବର୍ଷ ପାଇଁ ପଞ୍ଚାୟତିରାଜ ବିଭାଗର ବ୍ୟୟ ଅଟକଳ ୨୬୩୧୧.୯୫‌ କୋଟି ଟଙ୍କା ରଖାଯାଇଛି। ଗତବର୍ଷ ତୁଳନାରେ ୧୬ ପ୍ରତିଶତ ଅଧିକ। ଏଥିରେ ୧୫ତମ କେନ୍ଦ୍ରୀୟ ଅର୍ଥ କମିସନ, ୫ମ ରାଜ୍ୟ ଅର୍ଥ କମିସନ ଅନୁଦାନ ଓ ପ୍ରାଶାସନିକ ଖର୍ଚ୍ଚ ରହିଛି। ସବୁ ପରିବାରକୁ ଟ୍ୟାପ୍ ପାଣି ଯୋଗାଇଦେବା ଲାଗି କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ମଧ୍ୟରେ ୪୨ହଜାର କୋଟି ଟଙ୍କାର ଭୂପୃଷ୍ଠ ଜଳ ଆଧାରିତ ଓ ୨୦୭ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ୧୦ଟି ପ୍ରକଳ୍ପ ସଂପୂର୍ଣ୍ଣ ଶେଷ ହୋଇଛି। ୧୬୩ଟି ପ୍ରକଳ୍ପ କାର୍ଯ୍ୟ ଚାଲିଛି ଓ ୩୪ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟର ୮୮.୫୬ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ୫୦.୭୧ଲକ୍ଷ କରିବାରକୁ ଟ୍ୟାପ୍ ସଂଯୋଗ କରାଯାଇଛି। ତେବେ ରାଜ୍ୟର ଯେଉଁ ଜିଲ୍ଲାଗୁଡ଼ିକରେ ପାଣିରେ ଆଇରନ୍, ଫ୍ଲୋରାଇଡ୍ କିମ୍ବା ସାଲିନିଟି ରହିଛି ସେସବୁ ଜିଲ୍ଲାଗୁଡ଼ିକରେ ଟ୍ୟାପ୍ ପାଣିକୁ ଅଗ୍ରାଧିକାର ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ପାଣିରେ ଫ୍ଲୋରାଇଡ୍‌ ମିଳିବା କାରଣରୁ ସେଠାରେ ଅଗ୍ରାଧିକାର ଭିତ୍ତିରେ ଟ୍ୟାପ୍ ପାଣି ସଂଯୋଗ ହୋଇଥିଲା। ଜିଲ୍ଲାରେ ୯୦ ପ୍ରତିଶତ ଲୋକ ପାଣି ସଂଯୋଗ ପାଇଛନ୍ତି। ସେହିପରି କଳାହାଣ୍ଡି, କୋରାପୁଟ, ମାଲକାନଗିରି ଭିଳି ଜିଲ୍ଲାରେ ପାଣିରେ ଆଇରନ୍ ରହିଥିବା ନଜରକୁ ଆସିବାରୁ ସେଠାରେ ମଧ୍ୟ ଟ୍ୟାପ୍ ପାଣିକୁ ସଂଯୋଗ ଜାରି ରହିଛି। ଏହାସହ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପାଣିର ମାନ ପରୀକ୍ଷା ପାଇଁ କିଟ୍‌ ଦିଆଯାଇଛି। ପ୍ରତି ଗ୍ରାମ ପଞ୍ଚାୟତରେ ଏହି କିଟ୍ ଯୋଗାଇ ଦିଆଯାଇଛି।

ଏକାଧିକ ଜିଲ୍ଲାର ପାଣିରେ ଆଇରନ୍, ଫ୍ଲୋରାଇଡ୍‌
ପ୍ରତି ପଞ୍ଚାୟତରେ ଭିଡିଓ କନଫରେନ୍ସିଂ ସୁବିଧା, ପ୍ରତିଷ୍ଠା ହେବ ଡାଟା ସେଣ୍ଟର

ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୨୦ଟି ଦାଦନ ପ୍ରବଣ ବ୍ଲକ୍‌ରେ କର୍ମ ନିଯୁକ୍ତି ପାଇଁ ୫ଶହ କୋଟି ଟଙ୍କାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ବିଜ୍ଞାପତି ଦୈନିକ ମଜୁରୀ ୩୩୩ ଟଙ୍କା ହାରରେ ଦିଆଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୧୬.୮୧ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଛି। ୩୭.୭୪ ଲକ୍ଷ ପରିବାରର ୪୯.୧୧ ଲକ୍ଷ ଉପଭୋକ୍ତା କର୍ମ ନିଯୁକ୍ତି ପାଇଛନ୍ତି। ଏଥିପାଇଁ ୨୦୨୩-୨୪ ବର୍ଷରେ ହଜାର କୋଟି ଟଙ୍କାର ଘୂର୍ଣ୍ଣୟମାନ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ସେହିପରି ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ତିଆରି ସଂପୂର୍ଣ୍ଣ କରିଥିବା ୨୭.୨୭ଲକ୍ଷ ପରିବାରକୁ ବିଜୁ ପକ୍କା ଘର ଯୋଜନା ପାଣ୍ଠିରୁ ଗୃହ ମରାମତି ଅନୁଦାନ ବାବଦରେ ପରିବାର ପିଛା ୩ହଜାର ଟଙ୍କା ହିସାବରେ ୮୧୮ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧୀନରେ ରାଜ୍ୟରେ ୯.୫୯ ଲକ୍ଷ ସମ୍ଭାବ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ମନ୍ତ୍ରୀ କହିଥିଲେ, ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ। ଏବେ ରାଜ୍ୟର ୯୦-୯୫ ପ୍ରତିଶତ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ପହଞ୍ଚିସାରିଛି। ଏହାସହ ଓକାକ୍‌ରେ ଏକ ୨୫କୋଟି ଟଙ୍କା ବ୍ୟୟରେ ଏକ ଡାଟା ସେଣ୍ଟର ନିର୍ମାଣ କରାଯିବ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ୫୦ହଜାର ଯୁବକଙ୍କୁ ବିଭିନ୍ନ ତାଲିମ ଦିଆଯିବ। ଏହାସହ ଦୁସ୍ଥ ମହିଳା, ଦିବ୍ୟାଙ୍ଗ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମଧ୍ୟ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ତାଲିମ ପ୍ରଦାନ କରାଯିବ।