ବ୍ରହ୍ମପୁର: ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ସଂଘର୍ଷ ଜାରି ରଖିଛନ୍ତି। ଶ୍ବଶୁର ଘର ଆଗରେ ତପସ୍ବିନୀଙ୍କ ଧାରଣା ଅଷ୍ଟମ ଦିନରେ ପହଞ୍ଚିଛି। ସେପଟେ ତପସ୍ବିନୀ ରୁଜୁ କରିଥିବା ପିଟିସନ୍(ଏମ୍ସି ନମ୍ବର-୩୪୪/୨୧)ର ଶୁଣାଣି ପାଇଁ କୋର୍ଟ ଆଜି ତାରିଖ ଧାର୍ଯ୍ୟ କରିଥିଲେ। ଏହା ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ଆସନ୍ତାକାଲି ଗଞ୍ଜାମ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଥିବାରୁ ପିଟିସନ୍ ଶୁଣାଣି ହେବ କି ନାହିଁ, ସେ ଦିଗରେ କିଛି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ଶ୍ବଶୁର ଘରେ ରହିବା ଦାବି ନେଇ ଗତ ୨୨ତାରିଖରୁ ତପସ୍ବିନୀ ଧାରଣା ଜାରି ରଖିଛନ୍ତି। ତାଙ୍କୁ କେହି ନ୍ୟାୟ ନଦେବାରୁ ଶେଷରେ ସେ କୋର୍ଟର ଆଶ୍ରୟ ନେଇଥିଲେ। ଶ୍ବଶୁର ଘରେ ରହିବାକୁ ଅନୁମତି ଦେବା ପାଇଁ ଏସ୍ଡିଜେଏମ୍ କୋର୍ଟରେ ପିଟିସନ୍ ରୁଜୁ କରିଥିଲେ। ଆସନ୍ତାକାଲି ଏହାର ଶୁଣାଣି ରହିଛି।
ଅନ୍ୟପକ୍ଷରେ, ଆଜି ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ରାଜ୍ୟ ସଭାନେତ୍ରୀ ସସ୍ମିତା ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବ୍ରହ୍ମାନଗରରେ ପହଞ୍ଚି ତପସ୍ବିନୀଙ୍କ ସହିତ ଆଲୋଚନା କରି ଆପୋସ ବୁଝାମଣାରେ ମାମଲାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ଧାରଣା ଦେଲେ ସମାଧାନର ବାଟ ଫିଟିବ ନାହିଁ। କୋର୍ଟ ଊର୍ଦ୍ଧ୍ବରେ କେହି ନାହାନ୍ତି। ଏଣୁ କୋର୍ଟଙ୍କ ରାୟକୁ ସମସ୍ତେ ଅପେକ୍ଷା କରନ୍ତୁ ବୋଲି କହିଥିଲେ। ପ୍ରତିନିଧି ଦଳରେ କେନ୍ଦ୍ରୀୟ ପରିଷଦ ସଭାପତି ପ୍ରଭୁପ୍ରସାଦ ମହାନ୍ତି, ସଦସ୍ୟ କବିନ୍ଦ୍ର କୁମାର ସାହୁ, ଲିପିକା ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଏ ନେଇ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ କହନ୍ତି, ଜଣେ ବୋହୂ ୮ଦିନ ଧରି ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି। ତାଙ୍କର ସୁରକ୍ଷା ବ୍ୟବସ୍ଥା କରିବା ହେଉଛି ପୁଲିସର ପ୍ରଥମ ଦାୟିତ୍ବ। ପୁଲିସ ସମ୍ପୃକ୍ତ ମହିଳାଙ୍କୁ ସୁରକ୍ଷା ଦେଇ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟରେ ଆବେଦନ କରିବା କଥା। ସେପଟେ ସମ୍ପୃକ୍ତ ମହିଳାଙ୍କ ତରଫରୁ ଘରୋଇ ହିଂସା ଆଇନ ଅନୁସାରେ କୋର୍ଟରେ ପିଟିସନ୍ ରୁଜୁ କରିଛନ୍ତି। ଏହି ଆକ୍ଟ୍ ଅନୁସାରେ ମାମଲାର ବିଚାରଣା ସରିବା ପର୍ଯ୍ୟନ୍ତ କୋର୍ଟ ଆବେଦନକାରୀଙ୍କୁ ସ୍ବାମୀଙ୍କ ଘରେ ପତ୍ନୀ ମର୍ଯ୍ୟାଦା ପାଇ ରହିବାର ଅନୁମତି ଦେଇ ପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କୋର୍ଟରେ ମାମଲା ଥିବାରୁ ଏ କ୍ଷେତ୍ରରେ ପୁଲିସର କୌଣସି ଭୂମିକା ନାହିଁ ବୋଲି ବ୍ରହ୍ମପୁର ଏସ୍.ପି କହିଆସୁଛନ୍ତି।