ଗଡ଼ପୋଷ/ବାମରା: ବାମରା ବ୍ଲକ୍ ଗଡ଼ପୋଷ ରେଳ ଷ୍ଟେସନରେ ଦୁଇଟି ଟ୍ରେନ୍ ରହିବା ନେଇ ରେଲୱେ ବୋର୍ଡ ପକ୍ଷରୁ ଚିଠି ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗଡ଼ପୋଷ ରେଳ ଷ୍ଟେସନରେ ପୂର୍ବରୁ ରହୁଥିବା ଚାରିଟି ଟ୍ରେନର ପୁନଃ ରହଣୀ ଦାବିରେ ଗଡ଼ପୋଷ ରେଳ ସଂଘର୍ଷ କମିଟି ଚଳିତ ମାସ ୪ ତାରିଖ ରେଳରୋକ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଜିଲ୍ଲା ପ୍ରଶାସନ, ରେଳ ସଂଘର୍ଷ କମିଟି ଓ ରେଳ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ୧୦ ତାରିଖ ସୁଦ୍ଧା ଦୁଇଟି ଟ୍ରେନ୍ ରହିବା ନେଇ ପ୍ରତିଶ୍ରୁତି ମିଳିବାରୁ ରେଳରୋକ ପ୍ରତ୍ୟାହାର କରାଯାଇ ଥିଲା। ତେବେ ୧୦ ତାରିଖ ସୁଦ୍ଧା ଟ୍ରେନ୍ ଛିଡ଼ା ହେବାନେଇ ରେଲଵେ ପକ୍ଷରୁ କୌଣସି ସୂଚନା ମିଳି ନ ଥିଲା। ଫଳରେ ପୁଣି ୧୭ ତାରିଖ ରେଳରୋକ ପାଇଁ କମିଟି ପକ୍ଷରୁ ଦାବିପତ୍ର ଦିଆଯାଇ ଥିଲା।
ଦାବି ପୂରଣରେ ବିଳମ୍ବ ହେବାରୁ ଜନଅସନ୍ତୋଷ ବୃଦ୍ଧି ପାଇଥିଲା। ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାଏକ ଓ କମିଟି ସଭ୍ୟ ପ୍ରକାଶ ପଟେଲ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଟ୍ରେନ ରହଣୀ ନେଇ ଶ୍ରୀ ନାଏକ ବୁଧବାର କମିଟିକୁ ଆଶ୍ବସ୍ତ କରିଥିଲେ। ଦୁଇଟି ଟ୍ରେନ୍ ଛିଡ଼ା ହେବାନେଇ ପତ୍ର ମିଳିବାପରେ ଅଧିକାର ପାଇଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ୪ଟି ଟ୍ରେନ ରହଣୀ ସାଙ୍ଗକୁ ଏକ ଭୂତଳ ରାସ୍ତା ନିର୍ମାଣ ଓ ଆରକ୍ଷଣ ବ୍ୟବସ୍ଥା ପାଇଁ ଦାବି ହୋଇଥିଲା। ତେବେ ଟ୍ରେନ ରହଣୀ ନେଇ ତାରିଖ ଘୋଷଣା ହୋଇ ନ ଥିବାରୁ ରେଳରୋକ ନେଇ ଆସନ୍ତାକାଲି ବୈଠକ ପରେ ରେଳ ସଂଘର୍ଷ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।