ହାଇକୋର୍ଟରେ ପହଞ୍ଚିଲା ତପସ୍ୱିନୀ-ସୁମିତ ବିବାଦ

କଟକ : ବହୁଚର୍ଚ୍ଚିତ ତପସ୍ବିନୀ-ସୁମିତ ବିବାଦ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁ ଏହି ଘଟଣାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି।

ଡିସେମ୍ବର ୨୦ ତାରିଖରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଡା. ସମୁତିଙ୍କ ଘରେ ତାଙ୍କ ବାପା-ମା ଥିବାବେଳେ ଗ୍ରିଲ ଭାଙ୍ଗି ତପସ୍ବିନୀ ଓ ଅନ୍ୟମାନେ ଜୋରଜବରଦସ୍ତ ପରିସରରେ ପ୍ରବେଶ କରିବା ଘଟଣାକୁ ନେଇ ବୈଦ୍ୟନାଥପୁର ଥାନାରେ ରୁଜୁ ମାମଲାରେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନାହିଁ ବୋଲି ଅଭିଯୋଗ ହୋଇଛି। ଘଟଣା ଦିନ ବରିଷ୍ଠ ନାଗରିକଙ୍କୁ ବେଆଇନ ଭାବେ ଆବଦ୍ଧ ଅବସ୍ଥାରେ ରଖାଯିବା, ଭୟଭୀତ କରାଯିବା ତଥା ଧମକ ଦିଆଯିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଚୁପ୍ ବସିଥିବା ବେଳେ ଏହି ପ୍ରସଂଗରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଘଟଣାର ଫଟୋ ଓ ଭିଡିଓ ରହିଛି। ପୁଲିସ ତଦନ୍ତ କଲେ ସବୁ ଘଟଣା ଏଥିରୁ ସ୍ପଷ୍ଟ ହେବ। ଏହି ପ୍ରସଂଗରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଗଞ୍ଜାମ ଏସପି, ବୈଦ୍ୟନାଥପୁର ଥାନା ଆଇଆଇସି ଓ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ବୋଲି ଶ୍ରୀ ସାହୁଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର