ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ସୁମିତ-ତପସ୍ବିନୀ, ଅଧା ରହିଲା ମଧ୍ୟସ୍ଥତା ପ୍ରକ୍ରିୟା

୧୧ରେ ପୁଣି ଉଭୟ ହେବେ ହାଜର

କଟକ: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ବିନୀ ଦାଶ ଆଜି ହାଜର ହୋଇଥିଲେ। ଉଭୟ ଦିନ ୧୧ଟା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଦିନ ପ୍ରାୟ ୧୧ଟା ସମୟରେ ମେଡିଏଟରଙ୍କ ଉପସ୍ଥିତିରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଉଭୟଙ୍କ ସହିତ ମେଡିଏଟର ଆଲୋଚନା କରି ରହିଥିବା ବିବାଦ ସଂପର୍କରେ ପଚାରି ବୁଝଥିଲେ। କେଉଁ କାରଣକୁ ନେଇ ଏପରି ବିବାଦ ଦେଖା ଦେଇଛି ଓ ଦୁଇ ଜଣଙ୍କ କଣ ସବୁ ପ୍ରସଂଗକୁ ନେଇ ସମସ୍ୟା ରହିଛି ଓ ଏବେ କଣ ମତ ରହିଛି ସେ ନେଇ ଆଲୋଚନା କରାଯାଇଥିଲା। ପ୍ରାୟ ସାଢେ ତିନି ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା। ଉଭୟ ମଧ୍ୟସ୍ଥତା ପ୍ରକ୍ରିୟାରେ ସହଯୋଗ କରି ମେଡିଏଟରଙ୍କ ନିକଟରେ ନିଜ ନିଜ ପକ୍ଷ ରଖିଥିବା ସୂଚନା ମିଳିଛି। ଆଜି ମଧ୍ୟସ୍ଥତା ପ୍ରକ୍ରିୟା ଅଧା ରହିଛି। ଏପ୍ରିଲ ୧୧ ତାରିଖ ଦିନ ପୁଣି ଉଭୟଙ୍କୁ ମଧ୍ୟସ୍ଥତା କନ୍ଦ୍ରେରେ ହାଜର ହେବାକୁ କୁହାଯାଇଛି। ମଧ୍ୟସ୍ଥତା କେନ୍ଦ୍ରରୁ ବାହାରିବା ପରେ ତପସ୍ବିନୀ ଗଣମାଧ୍ୟମକୁ କହିଥିଲେ ଯେ କିଛି ସକରାତ୍ମକ ସୂଚନା ମିଳିଛି। ରିୟୁନିୟନ ଚାନ୍ସ ରହିଛି ଓ‌ ଏ ନେଇ ସେ ଆଶାବାଦୀ ବୋଲି ତପସ୍ବନୀ କହିଥିଲେ। ସେ ଭାବୁଛନ୍ତି ଆସନ୍ତା ୧୧ ତାରିଖ ଦିନ ସବୁ ଠିକ୍ ହୋଇଯିବ ବୋଲି ତପସ୍ବିନୀ କହିଥିଲେ। ଗଣମାଧ୍ୟମ ସମ୍ମୁଖରେ ସୁମିତଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ ଆଜି ସକରାତ୍ମକ ଆଲୋଚନା ହୋଇଛି।

ଉଭୟ ସୁମିତ ଓ ତପସ୍ବିନୀ ମଧ୍ୟସ୍ଥତା ପ୍ରକ୍ରିୟାରେ ସହଯୋଗ କରିଛନ୍ତି। କିନ୍ତୁ ଆଜି କିଛି ନିଷ୍କର୍ସ ବାହାରି ପାରି ନଥିବାରୁ ପୁଣି ମଧ୍ୟସ୍ଥତା ପ୍ରକ୍ରିୟା ଲାଗି ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୩୧ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ସୁମିତ ଓ ତପସ୍ବିନୀଙ୍କୁ ଏପ୍ରିଲ ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହେବା ପରେ ଏ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩କୁ ହାଇକୋର୍ଟ ଧାର୍ଯ୍ୟ କରିଥିଲେ। ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ସହିତ ଶ୍ବଶୁରଘରେ ରହିବା ସପକ୍ଷରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟ ବିରୋଧରେ ସୁମିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫେବ୍ରୁଆରି ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତଙ୍କ ଜାନୁଆରି ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ସୁମିତ ପ୍ରଦାନ କରିବେ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର