ମୁଁ ତଳ ଘରେ ହିଁ ରହିବି, ଉପର ଘରେ ରହିବି ନାହିଁ: ତପସ୍ୱିନୀ

ବ୍ରହ୍ମପୁର: ସରୁନି ସୁମିତ-ତପସ୍ୱିନୀ ବିବାଦ । କୋର୍ଟଙ୍କ ରାୟ ପରେ ବି ସମୁତିଙ୍କ ଘରକୁ ଯାଇ ନାହାନ୍ତି ତପସ୍ୱିନୀ । ରହିବା ଘରକୁ ନେଇ ବିବାଦ ଦେଖାଦେଇଛି । ଦୁଇ ମହଲା ଘର ମଧ୍ୟରୁ ତଳ ଘରେ ରହିବାକୁ ଚାହୁଁଛନ୍ତି ତପସ୍ୱିନୀ । ହେଲେ ସୁମିତଙ୍କ ଘର ଲୋକେ ଉପର ଘରେ ରହିବାକୁ କହୁଛନ୍ତି । ଉପରେ ଘରେ କେହି ରହୁଥିବାରୁ ଘର ସଫା ହୋଇନାହିଁ । ତେଣୁ ଉପର ଘରେ ରହିବାକୁ ରାଜି ନାହାନ୍ତି ତପସ୍ୱିନୀ । ତେଣୁ ଗତକାଲି ରାତିରେ ସେ ପୂର୍ବ ପରି ଘର ଗ୍ୟାରେଜରେ ରହିଥିଲେ । ଅନ୍ୟପଟେ ଜିଲ୍ଲା ଜଜଙ୍କ ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଅପିଲ କରାଯିବ ବୋଲି ସୁମିତଙ୍କ ଓକିଲ କହିଛନ୍ତି । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଇଥିଲେ କୋର୍ଟ ।

ତପସ୍ୱିନୀ ଶାଶୁ ଘରେ ରହିବା ସହ ତାଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ଡାକ୍ତର ସୁମିତ ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ କରିବାକୁ କହିଛନ୍ତି କୋର୍ଟ । ଗତକାଲି ନ୍ୟାୟ ପାଇଁ ଦୀର୍ଘ ୪୪ଦିନର ଲଢେଇ ପରେ ଶେଷରେ ବୋହୂ ତପସ୍ବିନୀ ଦାଶଙ୍କ ସପକ୍ଷରେ ରାୟ ଦେଇଥିଲେ କୋର୍ଟ । ସେ ଶ୍ବଶୁର ଘରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତପସ୍ବିନୀଙ୍କ ଦ୍ବାରା ରୁଜୁ ‌କରାଯାଇଥିବା ଏକ ଅପିଲ୍‌ର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । ଆଇନ ଅନୁସାରେ ତପସ୍ବିନୀ ହେଉଛନ୍ତି ଡା.ସୁମିତ ସାହୁଙ୍କ ପତ୍ନୀ । ଏଣୁ ତପସ୍ବିନୀ ଶ୍ବଶୁରଙ୍କ ଘରେ ରହି ପାରିବେ ବୋଲି ଜିଲ୍ଲାଜଜ୍‌ ତାଙ୍କ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଥିବା ତାଙ୍କର ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।

ଓକିଲ ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ତପସ୍ବିନୀଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ଡା. ସୁମିତ ୧୦ତାରିଖ ସୁଦ୍ଧା ୧୭ହଜାର ଟଙ୍କା ପ୍ରଦାନ କରିବେ । ଟଙ୍କା ଗ୍ରହଣ ବାବଦରେ ତପସ୍ବିନୀ ଏକ ରସିଦ୍‌ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଉଭୟ ପକ୍ଷର ପରିବାର ଲୋକେ ପରସ୍ପରଙ୍କୁ କୌଣସି ପ୍ରକାର ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ସେ କହିଥିଲେ । ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀଙ୍କ ତରଫରୁ ରୁଜୁ ହୋଇଥିବା ମୂଳ ପିଟିସନ୍‌ର ଶୁଣାଣି ସରିବା ପର୍ଯ୍ୟନ୍ତ ଜିଲ୍ଲାଜଜ୍‌ଙ୍କ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ରାୟରେ ଦର୍ଶାଯାଇଛି ।

ସମ୍ବନ୍ଧିତ ଖବର