ପୁରୀ ରେଳ ଷ୍ଟେସନରେ ଜଳିଗଲା ତପସ୍ୱିନୀ ଏକ୍ସପ୍ରେସ୍, ଅଗ୍ନିକାଣ୍ଡରେ ୩ଟି ବଗି ପୋଡି ପାଉଁଶ

ପୁରୀ : ପୁରୀ ରେଳଷ୍ଟେସନ ପ୍ଲାଟଫର୍ମରେ ପୁଣି ଜଳିଗଲା ଟ୍ରେନ୍ । ପ୍ଲାଟଫର୍ମରେ ଥିବା ପୁରୀ-ହାଟିଆ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟି ୩ଟି ବଗି ପୋଡି ପାଉଁଶ ହୋଇଯାଇଛି । ଟ୍ରେନ୍ ଖାଲି ଥିବାରୁ ବଡ ଧରଣର ଅଘଟଣ ଘଟିନାହିଁ । ରେଳବାଇର ୪ଜଣିଆ ଟିମ୍ ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡର ଅନୁଧ୍ୟାନ କରିଛନ୍ତି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ମଧ୍ୟ ଦ୍ୱିତୀୟଥର ପାଇଁ ପ୍ଲାଟଫର୍ମରେ ଟ୍ରେନରେ ଅଗ୍ନିକାଣ୍ଡ ଅନେକ ପ୍ରଶ୍ନ ଠିଆ କରିଛି ।

ପୁରୀ ରେଳ ଷ୍ଟେସନରେ ଟ୍ରେନରେ ନିଆଁ । ପ୍ଲାଟଫର୍ମରେ ଜଳିଗଲା ତପସ୍ୱିନୀ ଏକ୍ସପ୍ରେସ୍ । ପୁରୀ ରେଳ ଷ୍ଟେସନର ପ୍ଲାଟଫର୍ମରେ ପୋଡି ପାଉଁଶ ହୋଇଯାଇଥିବା ଟ୍ରେନ୍‌ର ଏହି ବଗିର ଚିତ୍ର କହୁଛି, କେତେ ଭୟଙ୍କର ଥିବ ସେ ସମୟର ଅଗ୍ନିକାଣ୍ଡର ଦୃଶ୍ୟ । ନିଆଁରେ ଛାରଖାର ହୋଇଯାଇଛି ସବୁକିଛି । ଚାରିଆଡେ ଖାଲି ଅଙ୍ଗାର । ସିଟ୍, ଆଲୁମିିନିୟମ୍ କଭର, ଫ୍ୟାନ୍ ପାଉଁଶ ହୋଇଯାଇଛି । କିଛି ବି ବର୍ତିନି ପ୍ରବଳ ନିଆଁରୁ ।

ସମୟ – ମଧ୍ୟାହ୍ନ ପ୍ରାୟ ୧୨ ଟା ୫୦ ମିନିଟ୍ । ସ୍ଥାନ- ପୁରୀ ରେଳ ଷ୍ଟେସନ, ପ୍ଲାଟଫର୍ମ ନମ୍ବର-୪ । ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିଲା ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ । ସନ୍ଧ୍ୟା ପ୍ରାୟ ୭ଟା ୫୫ରେ ଟ୍ରେନ୍ ହାଟିଆ ଯାଇଥାନ୍ତା । ଟ୍ରେନ୍ ଭିତରପଟୁ ଲକ୍ ଥିଲା । ବିଦ୍ୟୁତ୍ ସରବରାହ ବି ବନ୍ଦ ଥିଲା । ହଠାତ୍ ଟ୍ରେନର ସ୍ଲିପର କୋଚ୍ ଏସ୍-୪ରୁ ନିଆଁ ବାହାରିଥିଲା । ସଙ୍ଗେ ସଙ୍ଗେ ନିଆଁ ବ୍ୟାପିଯାଇଥିଲା ଅନ୍ୟ ବଗିକୁ । ପ୍ଲାଟଫର୍ମରେ ହୁତ୍ ହୁତ୍ ହୋଇ ଜଳି ଯାଇଥିଲା ତପସ୍ୱୀନି ଏକ୍ସପ୍ରେସର ତିନି ତିନିଟି କୋଚ୍ ।

ଜଳିଗଲା ତପସ୍ୱିନୀ ଏକ୍ସପ୍ରେସ୍ । ଟ୍ରେନରେ କେମିତି ଲାଗିଲା ନିଆଁ ? ଏହି ଘଟଣା ପରେ ପରେ ସଙ୍ଗେ ସଙ୍ଗେ ୯ଟି ଦମକଳ ଗାଡି ରେଳ ଷ୍ଟେସନରେ ପହଁଚି ଯାଇଥିଲା । ୪ ଜଣ ଅଫିସରଙ୍କ ନେତୃତ୍ୱରେ ୫୦ ଜଣ ଫାୟାର ମ୍ୟାନ୍ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ପରେ ରେଳବାଇର ୪ଜଣିଆ ଟିମ୍ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି । ଟ୍ରେନ୍ ଭିତରପଟୁ ବନ୍ଦ ଥିବାରୁ ଏବଂ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ସଟସର୍କିଟର ଆଶଙ୍କା ନାହିଁ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ବି ପୁରୀ ଷ୍ଟେସନରେ ଦ୍ୱିତୀୟଥର ପାଇଁ ଟ୍ରେନରେ ଅଗ୍ନିକାଣ୍ଡ ଅନେକ ପ୍ରଶ୍ନ ଠିଆ କରିଛି ।

ସମ୍ବନ୍ଧିତ ଖବର