ପୁରୀ ରେଳ ଷ୍ଟେସନରେ ଜଳିଗଲା ତପସ୍ବିନୀ

ପୁରୀ : ପୁରୀ ରେଳ ଷ୍ଟେସନ୍‌ରେ ୪ ବର୍ଷରେ ୬ଟି ଟ୍ରେନ୍‌ରେ ଅଗ୍ନିକାଣ୍ଡ। ଶୁକ୍ରବାର ତପସ୍ବିନୀ ଏକ୍ସପ୍ରେସ୍‌ର ଗୋଟିଏ ବଗି ଜଳି ପାଉଁଶ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇଟି ବଗି ଅଧାରୁ ଅଧିକ ଜଳିଯାଇଛି। ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇ ନଥିଲେ ମଧ୍ୟ ପୁରୀ ଭଳି ଏକ ସମ୍ବେଦନଶୀଳ ଷ୍ଟେସନ‌୍‌ରେ ଏପ୍ରକାର ଅଘଟଣ ସିଧାସଳଖ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶୁକ୍ରବାର ଦିନ ୧୨ଟା୫୦। ଷ୍ଟେସନ୍‌ରେ ଯାତ୍ରୀ ଗହଳି ଥିବା ବେଳେ ହଠାତ୍‌ ପ୍ଲାଟଫର୍ମ ନଂ-୨ରେ ଥିବା ତପସ୍ବିନୀ ଏକ୍ସପ୍ରେସ୍‌ର କୋଚ୍‌ ନଂ-୪ରୁ ଧୂଆଁ ଓ ନିଆଁ ବାହାରିଥିଲା। ଚାହୁଁଚାହୁଁ ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା ଟ୍ରେନ୍‌। କର୍ମଚାରୀଙ୍କ ହୋହଲ୍ଲା, ଧାଁଧଉଡ ଭିତରେ ଯାତ୍ରୀମାନଙ୍କୁ ଷ୍ଟେସନ୍‌ ବାହାରକୁ ପଳାଇଯିବାକୁ କୁହାଯାଇଥିଲା। ୩ଟି ଦମ୍‌କଳ ଗାଡ଼ି ଓ ରେଳ ଷ୍ଟେସନରେ ଥିବା ପାଇପ୍‌ରୁ ପାଣି ସ୍ପ୍ରେ କରାଯାଇଥିଲେ ମଧ୍ୟ ନିଆଁ ଏସ୍‌-୩ ଓ ଏସ୍‌-୫ ବଗିକୁ ବ୍ୟାପୀ ଯାଇଥିଲା। ପରେ ଏସ୍‌-୬କୁ ଟ୍ରେନ୍‌ରୁ ଅଲଗା କରାଯିବା ସହ ଅଗ୍ନିଶମ କର୍ମଚାରୀମାନେ ନିରନ୍ତର ପ୍ରୟାସ କରି ନିଆଁକୁ ନିୟନ୍ତ୍ରଣାଧୀନ କରିଥିଲେ। ତେବେ ସେତେବେଳକୁ ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅନ୍ୟ ଦୁଇଟି ଆଂଶିକ ପ୍ରଭାବିତ ହୋଇଥିଲା।

ତପସ୍ବିନୀ ଅଗ୍ନିକାଣ୍ଡ ବିଦ୍ୟୁତ୍‌ ସଟ୍ ସର୍କିଟ୍ ନା ମନୁଷ୍ୟକୃତ ଏହା ଜାଣିବା ପାଇଁ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ଅତିରିକ୍ତ ଡିଆର୍‌ଏମ୍‌ଙ୍କ ନେତୃତ୍ବରେ ସିନିୟର ଡିଭିଜନାଲ୍‌ ସେଫ୍‌ଟି ଅଫିସର, ସିନିୟର ଡିଭିଜନାଲ୍‌ ମେକାନିକାଲ ଇଞ୍ଜିନିୟରଙ୍କ ସମେତ ଜିଆରପି, ଆରପିଏଫ୍‌, ସାଇଣ୍ଟିଫିକ୍ ଟିମ୍‌ ଓ ସନ୍ଧାନୀ କୁକୁରକୁ ନେଇ ଘଟଣାର ତଦନ୍ତ କରାଯାଇଛି। ପ୍ରାଥମିକ ତଦନ୍ତରୁ କୋଚ୍‌ର ୪ଟି ଦ୍ବାର ଖୋଲାଥିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ୨୦୧୪ ନଭେମ୍ବର ୧୨ ତାରିଖ ରାତିରେ ପୁରୀ ଷ୍ଟେସନରେ ଏକକାଳୀନ ୪ଟି ଟ୍ରେନରେ ନିଆଁ ଲାଗିଥିବା ବେଳେ ୨୦୧୮ ଜାନୁଆରି ୧୭ ତାରିଖରେ ଏକ ଆର୍ମି ଟ୍ରେନ୍‌ରେ ନିଆଁ ଲାଗିଥିଲା। ସେହିପରି ୨୦୧୫ ଏପ୍ରିଲ ୧୭ ତାରିଖରେ ଜଣେ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଡେଲାଙ୍ଗରେ ପୁରୀ-ବଡ଼ବିଲ-ପାରାଦୀପ ଏକ୍ସପ୍ରେସ୍‌କୁ ଲୋକମାନେ ଜାଳି ଦେଇଥିଲେ। ପୁରୀ ଷ୍ଟେସନ୍‌ରେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଯାତ୍ରୀ ଓ ରେଳ ସୁରକ୍ଷାରେ ପ୍ରଶ୍ନ ଚିହ୍ନ ଲାଗିଛି।

ସମ୍ବନ୍ଧିତ ଖବର