ସୁମିତ-ତପସ୍ବିନୀ ମାମଲାରେ ଟ୍ବିଷ୍ଟ୍‌: ତପସ୍ବିନୀଙ୍କ ଗୃହ ପ୍ରବେଶ ପରେ ରାତିଅଧିଆ ଘର ଛାଡ଼ିଲେ ଶ୍ବଶୁର

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୁମିତ ତପସ୍ବିନୀ ମାମଲାରେ ପୁଣି ଏକ ଟ୍ବିଷ୍ଟ୍‌ ଆସିଛି। ବହୁ ବାଦବିବାଦ ପରେ ଶେଷରେ ଜିଲ୍ଲାଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ବୋହୂ ତପସ୍ବିନୀ ଦାଶ ଗତକାଲି ସଂଧ୍ୟାରେ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ ସ୍ଥିତ ଶ୍ବଶୁର ଘରେ ପ୍ରବେଶ କରିଥିଲେ। ତପସ୍ବନୀ ଗୃହ ପ୍ରବେଶ କରିବାର କିଛି ସମୟ ପରେ ଶ୍ବଶୁର ପ୍ରମୋଦ ସାହୁ ଘର ଛାଡ଼ିଛନ୍ତି। ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ସେ ଘର ଛାଡ଼ିଥିବା ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି। ଏହି ଘଟଣା ପୁଣିଥରେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ନ୍ୟାୟ ପାଇଁ ଶ୍ବଶୁର ଘର ଆଗରେ ଧାରଣା ଦେଉଥିବା ତପସ୍ବନୀ ଶେଷରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ ହେଲା। ତପସ୍ବିନୀ ଗତକାଲି ଶ୍ବଶୁର ଘରକୁ ପ୍ରବେଶ କରିବା ପରେ ଏହି ମାମଲା ଅନ୍ତ ହେଲା ବୋଲି କୁହାଯାଉଥିଲା। କିନ୍ତୁ ପୁଣିଥରେ ସୁମିତ-ତପସ୍ବିନୀ ମାମଲା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ବଶୁର ପ୍ରମୋଦ ଗତରାତି ତାଙ୍କର ସ୍କୁଟି ଧରି ଘରୁ କୁଆଡ଼େ ଚାଲି ଯାଇଛନ୍ତି। ସେ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ‘ପ୍ରଶାସନିକ ଅଧିକାରୀମାନେ ବୋହୂ ତପସ୍ବିନୀଙ୍କୁ ମୋର ଅନିଚ୍ଛା ସତ୍ବେ ବ୍ରହ୍ମାନଗର ସ୍ଥିତ ବାସଭବନରେ ରଖିଲେ। କୋର୍ଟଙ୍କ ରାୟରେ କିଛି ଦ୍ବନ୍ଦ୍ବ ଥିଲା। ତାକୁ ଭଲଭାବେ ବୁଝାସୁଝା ନକରି ମୋର ସମ୍ପୂର୍ଣ୍ଣ ଅନିଚ୍ଛା ସତ୍ବେ ପ୍ରଶାସନିକ ଅଧିକାରୀମାନେ ତପସ୍ବିନୀଙ୍କୁ ମୋର ଘରେ ରଖିଲେ। ଏହା ଫଳରେ ମୁଁ ନିଜକୁ ଅସୁକ୍ଷିତ ମନେ କରୁଛି। ଏ ଦିଗରେ ପୁଲିସକୁ ମଧ୍ୟ ଅବଗତ କଲି। ମୋର ଘର ତଦାରଖ କରି ସୁରକ୍ଷା ବ୍ୟବସ୍ଥା କରନ୍ତୁ। କାରଣ ଅତୀତରେ ମୋର ବୋହୂ ମୋ’ ଏବଂ ପରିବାରବର୍ଗଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିଲେ। ଯୌତୁକଜନିତ ନିର୍ଯାତନା ମାମଲା ରୁଜୁ କରିଥିଲେ। କିନ୍ତୁ କେହି ଶୁଣିଲେ ନାହିଁ। ଏଣୁ ମୁଁ ଅତ୍ୟନ୍ତ ଭୟଭୀତ ହୋଇ ଘରେ ରହିବା ପାଇଁ ସୁରକ୍ଷିତ ମନେ କଲେ ନାହିଁ। ମୁଁ ରାତି ଘର ଛାଡ଼ି ଚାଲି ଆସିଛି। ଯେ କୌଣସି ଜାଗାରେ ରହିବି ଓ ପରବର୍ତ୍ତୀ ସମୟରେ ଘରକୁ ଫେରିବି’ ବୋଲି ଶ୍ବଶୁର ପ୍ରମୋଦ ତାଙ୍କର ଭିଡ଼ିଓ ବାର୍ତ୍ତାରେ କହିଛନ୍ତି।

ଅନ୍ୟପଟେ ଡା. ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା କହନ୍ତି, ଗତ ୪ତାରିଖରେ ଜିଲ୍ଲାଜଜ୍‌ ଯେଉଁ ରାୟ ଦେଇଥିଲେ ସେଥିରେ ସୁମିତ ମାସିକ ୧୭ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବେ ବୋଲି ଉଲ୍ଲେଖ ରହିଥିଲା। ତପସ୍ବିନୀ ଶ୍ବଶୁର ଘରେ ରହିବ ବୋଲି କୌଣସି ନିର୍ଦ୍ଦେଶ ନଥିଲା। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଜୋରଜବରଦସ୍ତ ତପସ୍ବିନୀଙ୍କୁ ଶ୍ବଶୁର ପ୍ରମୋଦଙ୍କ ଘରେ ରଖିଛନ୍ତି। ଯାହାକି କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ହୋଇଛି ବୋଲି ଡା. ସୁମିତଙ୍କ ଓକିଲ ଶ୍ରୀ ବେହେରା କହିଛନ୍ତି। ଏଣୁ ଶ୍ବଶୁର ପ୍ରମୋଦ ନିଜକୁ ଅସୁକ୍ଷିତ ମନେ କରି ଘର ଛାଡ଼ି ଚାଲି ଯାଇଛନ୍ତି। ତପସ୍ବିନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଯାହାକୁ ନେଇ ତାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସେଥିପାଇଁ ସେ ନିଜକୁ ଅସୁକ୍ଷିତ ମନେ କରି ଘର ଛାଡ଼ି ଯାଇଛନ୍ତି ବୋଲି ଆଇନଜୀବୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର