ହାଇକୋର୍ଟରେ ତପସ୍ବିନୀ-ସୁମିତ ମାମଲା: ତପସ୍ବିନୀ, ତାଙ୍କ ବାପାଙ୍କୁ ନୋଟିସ୍ ଜାରି

ଗଞ୍ଜାମ ଅଦାଲତରେ ତପସ୍ବିନୀଙ୍କ ପିଟିସନ୍‌ ଶୁଣାଣି ଘୁଞ୍ଚିଲା

କଟକ/ବ୍ରହ୍ମପୁର: ବହୁଚର୍ଚ୍ଚିତ ତପସ୍ବିନୀ-ସୁମିତ ବିବାଦକୁ ନେଇ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର ୨୦ରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଡାକ୍ତର ସୁମିତଙ୍କ ଘରେ ଗ୍ରିଲ୍‌ ଭାଙ୍ଗି ତପସ୍ବିନୀ ଓ ଅନ୍ୟମାନେ ପ୍ରବେଶ କରିବା ଘଟଣାକୁ ନେଇ ବୈଦ୍ୟନାଥପୁର ଥାନାରେ ରୁଜୁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ପ୍ରମୋଦ କୁମାର ସାହୁ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାରେ ତପସ୍ବିନୀ ଓ ତାଙ୍କ ବାପା କିଶୋରଚନ୍ଦ୍ର ଦାସଙ୍କୁ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଏଥିସହିତ ମାମଲାରେ ତପସ୍ବିନୀଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ଆଜି ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୮କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୧, ଡିସେମ୍ବର ୨୦ରେ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘରେ ତାଙ୍କ ବାପା-ମା’ ଥିବାବେଳେ ଗ୍ରିଲ୍‌ ଭାଙ୍ଗି ତପସ୍ବିନୀ ଓ ଅନ୍ୟମାନେ ଜୋରଜବରଦସ୍ତ ପରିସରରେ ପ୍ରବେଶ କରିବା ଘଟଣାକୁ ନେଇ ବୈଦ୍ୟନାଥପୁର ଥାନାରେ ଦିଆଯାଇଥିବା ଏତଲା ଉପରେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରି ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି। ଘଟଣା ଦିନ ବରିଷ୍ଠ ନାଗରିକଙ୍କୁ ବେଆଇନ ଭାବେ ଆବଦ୍ଧ ଅବସ୍ଥାରେ ରଖାଯିବା ତଥା ଧମକ ଦିଆଯିବା ‌ନେଇ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଥିବାବେଳେ ଏହି ପ୍ରସଂଗରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ସାହୁଙ୍କ ଆବେଦନରେ ଦର୍ଶାଯାଇଛି। ଘଟଣାର ଫଟୋ ଓ ଭିଡିଓ ରହିଛି। ପୁଲିସ ତଦନ୍ତ କଲେ ସବୁ ଘଟଣା ଏଥିରୁ ସ୍ପଷ୍ଟ ହେବ। ଏହି ପ୍ରସଂଗରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଗଞ୍ଜାମ ଏସ୍‌ପି, ବୈଦ୍ୟନାଥପୁର ଥାନା ଆଇଆଇସି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ଅନ୍ୟପକ୍ଷରେ, ସୁମିତ ସାହୁ ପ୍ରତି ମାସର ୧୦ତାରିଖ ସୁଦ୍ଧା ଭରଣପୋଷଣ ବାବଦରେ ୧୭ହଜାର ଟଙ୍କା ଦେବେ ବୋଲି ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ତପସ୍ବିନୀ ଏ ବାବଦ ଟଙ୍କା ପାଇ ନାହାନ୍ତି। ସୁମିତ କୋର୍ଟଙ୍କ ଆଦେଶ ଅବମାନନା କରିଥିବା ଓ ଭରଣପୋଷଣ ବାବଦ ଅର୍ଥ ଦେଇ ନଥିବା ନେଇ ଗତ ୨୦ତାରିଖରେ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲାଜଜ୍‌ କୋର୍ଟରେ ଅପିଲ୍‌ କରିଥିଲେ। କୋର୍ଟ ତାହା ବିଚାର ପାଇଁ ଗ୍ରହଣ କରିଥିଲେ। ଆଜି ଏହି ପିଟିସନ୍‌ର ଶୁଣାଣି ହେବ ବୋଲି ତିଥି ଧାର୍ଯ୍ୟ ହୋଇଥିଲା। କୋର୍ଟ ଏହାର ଶୁଣାଣି ତିଥିକୁ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର