କଟକ: ବହୁଚର୍ଚ୍ଚିତ ତପସ୍ବିନୀ-ସୁମିତ ବିବାଦ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଛି। ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁଙ୍କ ଅଭିଯୋଗର ଶୁଣାଣି କରି କମିସନ୍ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। ଡିସେମ୍ବର ୨୦ ତାରିଖରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଡା. ସୁମିତଙ୍କ ଘରେ ତାଙ୍କ ବାପା-ମା ଥିବା ବେଳେ ଗ୍ରିଲ ଭାଙ୍ଗି ତପସ୍ବିନୀ ଓ ଅନ୍ୟମାନେ ଜୋର ଜବରସ୍ତ ପରିସରରେ ପ୍ରବେଶ କରିବା ଘଟଣାକୁ କମିସନ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏଠାରେ ସୁମିତ ଓ ତପସ୍ବିନୀଙ୍କ ବିବାଦ ଗୁରୁତ୍ବପୂର୍ଣ୍ଣ ନୁହେଁ। ବରିଷ୍ଠ ନାଗରିକଙ୍କୁ ବେଆଇନ ଭାବେ ଆବଦ୍ଧ ଅବସ୍ଥାରେ ରଖାଯିବା, ଭୟଭୀତ କରାଯିବା ତଥା ଏହି ପ୍ରସଂଗରେ ଅଭିଯୋଗ ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ଗୁରୁତ୍ବପୂର୍ଣ୍ଣ ବୋଲି କମିସନ୍ କହିଛନ୍ତି। ସୁମିତ ଓ ତପସ୍ବିନୀଙ୍କ ବିବାଦ ଉପରେ ନୁହେଁ, ଘଟଣା ସମୟରେ ବରିଷ୍ଠ ନାଗରିକଙ୍କ ଅଧିକାରକୁ ନେଇ ଉଠିଥିବା ପ୍ରଶ୍ନକୁ ନେଇ କମିସନ ରିପୋର୍ଟ ତଲବ କରିଛନ୍ତି ବୋଲି ରାୟରେ ଉଲ୍ଲେଖ କରାଯାଇଛି।

Advertisment

ଶ୍ରୀ ସାହୁଙ୍କ ଅଭିଯୋଗକୁ କମିସନ୍ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କୁ ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର ୨୦ରେ ଶ୍ରୀ ସାହୁ ପୁଲିସ ନିକଟରେ ଦାଖଲ କରିଥିବା ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ ପାଇଁ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ବିଚାରାଧୀନ ଥିବା ବେଳେ ଅଭିଯୋଗକାରୀ ବରିଷ୍ଠ ନାଗରିକଙ୍କ ଅଧିକାର ଯେପରି ଉଲ୍ଲଂଘନ ନ ହେବ ସେ ନେଇ ସୁନିଶ୍ଚିତ କରିବାକୁ ଆଇଆଇସିଙ୍କୁ କମିସନ୍ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ‌କୌଣସି ଭାବେ ଯେଭଳି ଅଭିଯୋଗକାରୀଙ୍କୁ ଭୟଭୀତ କରା ନ ଯିବ ତାହା ମଧ୍ୟ ବୈଦ୍ୟନାଥପୁର ଥାନା ଆଇଆଇସି ସୁନିଶ୍ଚିତ କରିବେ ବୋଲି କମିସନ୍ କହିଛନ୍ତି। ୨୦୨୨, ଜାନୁଆରି ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଡିସେମ୍ବର ୨୦ରେ ତପସ୍ବିନୀ ଓ ସୁମିତ ବିବାଦ ନୂଆ ମୋଡ ନେଇଥିବା ବେଳେ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ପରିସରରେ ସ୍ଥାନୀୟ ମହିଳା ଓ ଜନତା ଗ୍ରିଲ ଭାଙ୍ଗି ପ୍ରବେଶ କରିଥିଲେ। ସୁମିତଙ୍କ ଘରର ଦ୍ବିତୀୟ ଫାଟକ ବନ୍ଦ ଥିବା ବେଳେ ତପସ୍ବିନୀ ସେହି ଫାଟକ ସମ୍ମୁଖରେ ଧାରଣା ଦେବା ଆରମ୍ଭ କରିଥିଲେ। ଏହି ସମୟରେ ସୁମିତଙ୍କ ବାପା-ମା ଭୟଭୀତ ଅବସ୍ଥାରେ ରହିଥିଲେ। ଘଟଣାକୁ ନେଇ ସୁମିତଙ୍କ ବାପା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ସୁମିତଙ୍କ ବାପା-ମା ଏହି ପ୍ରସଂଗକୁ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରାସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିବା ବେଳେ ଶୁଭଙ୍କର ରାଉତ ଓ ସୁମିତ ଶେଖର ପଟ୍ଟନାୟକ ସହାୟତା କରୁଛନ୍ତି।