ବ୍ରହ୍ମପୁର : ବହୁଚର୍ଚ୍ଚିତ ସୁମିତ୍‌-ତପସ୍ବିନୀ ମାମଲା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଗୋଟିଏପଟେ ୪ଦିନ ହେଲା ଡାକ୍ତର ସ୍ବାମୀ ସୁମିତ୍‌ ସାହୁଙ୍କ ଖୋଜଖବର ମିଳୁନଥିବା ବେଳେ ଅନ୍ୟପଟେ ପତ୍ନୀ ତପସ୍ବିନୀ ଦାଶ ନ୍ୟାୟ ଗୁହାରି କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁମିତ୍‌ ଅନୁପସ୍ଥିତ ଥିବାରୁ ପୂର୍ବ ନିର୍ଦ୍ଧାରିତ କାଉନ୍‌ସେଲିଂ ଆଜି ହୋଇପାରିନାହିଁ।

Advertisment

ତପସ୍ବିନୀ ଆଜି ପୁଣିଥରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପହଞ୍ଚିଥିଲେ। ଡା. ସୁମିତ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ୪ଦିନ ହେଲା କୁଆଡ଼େ ପଳାଇ ଯାଇଛନ୍ତି। ଏ ଦିଗରେ କିଛି ନିର୍ଦ୍ଦେଶନାମା ଜାରି କରିବାକୁ ତପସ୍ବିନୀ ତାଙ୍କ ଓକିଲଙ୍କ ଜରିଆରେ ପିଟିସନ୍‌ ରୁଜୁ କରିଥିଲେ। ଆସନ୍ତା ୧୭ତାରିଖରେ ପରବର୍ତ୍ତୀ ଶୁଣାଣି ତାରିଖ ଥିବାରୁ ସେହିଦିନ ପିଟିସନ୍‌ ଉପରେ କୋର୍ଟ ରାୟ ଦେବେ ବୋଲି ଜଣାପଡ଼ିଛି। କିନ୍ତୁ କୋର୍ଟ ଦେଇଥିବା ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସିକା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ ୭ଦିନରେ ଥରେ ତାଙ୍କର ରିପୋର୍ଟ କୋର୍ଟରେ ଦାଖଲ କରିବେ। ଏଥିସହିତ, ସୁମିତ୍‌ଙ୍କ ଛାଡ଼ପତ୍ର ଆବେଦନ ଉପରେ ଆଜି ଉଭୟ ପକ୍ଷରୁ ପରିବାର କୋର୍ଟରେ କାଉନସେଲିଂ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ, କେବଳ ତପସ୍ବିନୀ ପରିବାର କୋର୍ଟରେ ହାଜର ହୋଇଥିଲେ। ଡା. ସୁମିତ୍‌ ଅନୁପସ୍ଥିତ ଥିବାରୁ କାଉନ୍‌ସେଲିଂ ହୋଇପାରି ନଥିଲା।

ତପସ୍ବିନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। କୋର୍ଟ ଯାହା ନିର୍ଦ୍ଦେଶ ଦେଇଥିଲେ ତାହା ସୁମିତ୍‌ ପାଳନ ନକରି କୁଆଡ଼େ ଚାଲିଯାଇଛନ୍ତି। ଭଡ଼ାଘର ନେଇ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସୁମିତ୍‌ ତାହା ପାଳନ କରୁନାହାନ୍ତି ବୋଲି ତପସ୍ବିନୀ କହିଛନ୍ତି। ଏହାପରେ, ଅପରାହ୍‌ଣରେ ପୁଣିଥରେ ତପସ୍ବିନୀ ଆସିକା ଚିନିଶିଳ୍ପ ଆଇବିକୁ ଫେରିଯାଇଛନ୍ତି। ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ରଂଜନ ଉପାଧ୍ୟାୟ, ଆଇନଜୀବୀ ପ୍ରଦୀପ କୁମାର ବେହେରା ମକଦ୍ଦମା ପରିଚାଳନା କରୁଛନ୍ତି।